ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। 'ଶ୍ରୀ ଜଗନ୍ନାଥ ଭକ୍ତ ସେବା ସଂସ୍ଥାନ' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁ-ସନ୍ଥ, ଶ୍ରୀମନ୍ଦିରର ସେବାୟତ ମଣ୍ଡଳୀ ଏବଂ ହଜାର ହଜାର ଜଗନ୍ନାଥପ୍ରେମୀ ଭକ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସାଦର ସମ୍ବର୍ଦ୍ଧିତ କରିଥିଲେ ।

ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ମନ୍ଦିର ନାମରୁ "ଧାମ" ଶବ୍ଦ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସଫଳ ଓ ଐତିହାସିକ ହସ୍ତକ୍ଷେପ ପାଇଁ ସଂସ୍ଥାନ ପକ୍ଷରୁ ତାଙ୍କୁ ଗଭୀର କୃତଜ୍ଞତା ପ୍ରକାଶ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି କହିଥିଲେ ଯେ, ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ସମଗ୍ର ବିଶ୍ଵରେ କେବଳ 'ପୁରୀ' ହିଁ ଏକମାତ୍ର ଶ୍ରୀଜଗନ୍ନାଥ ଧାମ। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତା ରହିଛି। ଆମ ସରକାର ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର, ଏବଂ ଶ୍ରୀ ମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ପାଇଁ ରାଜ୍ୟ ସରକାର ସତର୍କ ପ୍ରହରୀ ସଦୃଶ ଜଗିକି ରହିବେ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁମାନେ ମହାପ୍ରଭୁଙ୍କୁ ନେଇ ରାଜନୀତି କିମ୍ବା ଅହଂକାର କରିଛନ୍ତି, ସେମାନେ ନିର୍ବାଚନରେ ତାର ଫଳ ଭୋଗିଛନ୍ତି, କାରଣ କାଳିଆ ସାଆନ୍ତଙ୍କ ପାଖରେ ଅହଂକାରର କୌଣସି ସ୍ଥାନ ନାହିଁ।

Also Read: Narendra Modi: ଜୁନ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତିଙ୍କ ଗାଁ କରିବେ ପରିଦର୍ଶନ

ସୂଚନାଥାଉକି, ପଶ୍ଚିମବଙ୍ଗର ଦିଘାଠାରେ ନିର୍ମିତ ମନ୍ଦିର ପାଇଁ "ଧାମ" ଶବ୍ଦର ବ୍ୟବହାର ଓଡ଼ିଆ ଜାତିର ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଇଥିଲା। ଏହି ସଂବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର ଦୃଢ଼ ହସ୍ତକ୍ଷେପ କରିବା ସହ ସାଂସଦ ସମ୍ବିତ ପାତ୍ରଙ୍କ ମାଧ୍ୟମରେ ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାର ସକାରାତ୍ମକ ପ୍ରଭାବ ସ୍ଵରୂପ ପଶ୍ଚିମବଙ୍ଗ ସରକାର ଦିଘା ଜଗନ୍ନାଥ ମନ୍ଦିର ନାମରୁ "ଧାମ" ଶବ୍ଦକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି।

ଏହି ଭବ୍ୟ ମହୋତ୍ସବରେ ଶ୍ରୀକ୍ଷେତ୍ରର ବିଭିନ୍ନ ପ୍ରମୁଖ ସେବାୟତ ସଂଘ, ଆଧ୍ୟାତ୍ମିକ ଅନୁଷ୍ଠାନ, ସାମାଜିକ ସଂଗଠନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାଦର ସମ୍ବର୍ଦ୍ଧିତ କରାଯାଇଥିଲା। ଜଗନ୍ନାଥ ସଂସ୍କୃତିର ଗରିମା ଓ ପ୍ରାଚୀନ ଶାସ୍ତ୍ରୀୟ ମର୍ଯ୍ୟାଦା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ତଥା ସଂବେଦନଶୀଳ ପଦକ୍ଷେପକୁ ଉପସ୍ଥିତ ସମସ୍ତ ସେବାୟତ ଓ ଆଧ୍ୟାତ୍ମିକ ଗୁରୁମାନେ ଏକ ସ୍ୱରରେ ପ୍ରଶଂସା କରିବା ସହ ତାଙ୍କୁ ସାଂସ୍କୃତିକ ଅସ୍ମିତାର ରକ୍ଷାକର୍ତ୍ତା ଭାବେ ଅଭିହିତ କରିଥିଲେ।

Also Read: ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ, ୧୧୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଗୁଜରାଟ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍

ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଏବଂ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର  ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ପୁରୀବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ।