ଭୁବନେଶ୍ୱର ୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି ।

ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର । ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ । ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ ।

ରାଜ୍ୟରେ ବିଭିନ୍ନ ଜଳଭିତ୍ତିକ ଯୋଜନା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ଅଭାବ ଗରିବ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରେ । ତେଣୁ ସମାଜରେ ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ଆମ ଅନ୍ତ୍ୟୋଦୟ ନୀତିର ଅଂଶ ବିଶେଷ । ଆମ ସରକାର ମିଶନ୍ ପାୱାର୍ ଅଧୀନରେ ପ୍ରତିଟି ଅପହଞ୍ଚ ଗାଁ, ଏବଂ ପଛୁଆ ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି । କୃଷି କ୍ଷେତ୍ରରେ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ନୀତିକୁ ଆମେ ପ୍ରୋତ୍ସହିତ କରୁଛୁ । ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କରିବାରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ଅଧିକାର କରିଛି । ଆଗାମୀ ଦିନରେ ଜଳକୁ ନେଇ ଯେପରି କୌଣସି ବିବାଦ ନ ହୁଏ, ସେଥିପାଇଁ ମଧ୍ୟ ଆମ ରାଜ୍ୟ ସନ୍ତୁଳିତ ଜଳ ନୀତି ପ୍ରସ୍ତୁତ କରିଛି ।

Also Read:- Charampa Murder Case: ନଥିଲା କିଛି ପୂର୍ବ ଶତ୍ରୁତା, କାହିଁକି ସଙ୍ଘବଦ୍ଧ ଆକ୍ରମଣ କରି ମାରିଦେଲେ ?

ସେ ଆହୁରି କହିଥିଲେ ଯେ, ଜଳର ଉପଯୁକ୍ତ ବ୍ୟବହାର ଏବଂ ଶୁଦ୍ଧ ପାନୀୟ ଜଳର ଉପଲବ୍ଧତାକୁ ବୃଦ୍ଧି କରିବା ବର୍ତ୍ତମାନର ଆବଶ୍ୟକତା । ଏଣୁ ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ଏଣୁ ଆମେ ସମସ୍ତେ ସଂକଳ୍ପ ନେବା ଯେ, ଜଳ ପରିଚାଳନରେ ପୁରୁଷ ଓ ମହିଳାଙ୍କ ସମାନ ଭାଗୀଦାରି ଦ୍ୱାରା ହିଁ ଆମେ ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବା । ଜଳକୁ ଜୀବନ ଭରି ଭଲ ପାଇବା ଓ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜୀବ ଭବନ ଠାରେ ଶିଶୁ ଯତ୍ନ କେନ୍ଦ୍ର ‘‘କଳିକା’’ର ଉଦଘାଟନ ହେବା ସହିତ ଏଆଇ (AI) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ’ ଚାଟବୋଟ’ର ପ୍ରୟୋଗିକ ଶୁଭାରମ୍ଭ କରିଥିଲେ। ଏଥି ସହିତ ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳା’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ ମଧ୍ୟ ହୋଇଥିଲା ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଲିଙ୍ଗରାଜ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।