ଭଦ୍ରକ ୨୨।୩: ଯୁବକଙ୍କୁ ଫୋନ୍ କରି ଡାକିଲେ । ସାମାନ୍ୟ ଝଗଡ଼ାରୁ ଧାରୁଆ ଅସ୍ତ୍ରରେ ହାଣିଦେଲେ । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଅଭିଯୁକ୍ତଙ୍କ ସହ ଯୁବକଙ୍କର ନଥିଲା କିଛି ପୂର୍ବ ଶତ୍ରୁତା । ତେବେ ଯୁବକଙ୍କୁ କାହିଁକି ହତ୍ୟାକଲେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ଗୁଣ୍ଠୁଣିଆ ଠାରେ ସି. କୁମାର ସ୍ବାମୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଯୁବକଙ୍କ ହତ୍ୟା ଘଟଣାରେ ଜଣେ ନାବାଳକଙ୍କ ସହ ୩ ଜଣ ଗିରଫ ହୋଇଛନ୍ତି । ଏବେବି ଜଣେ ଅଭିଯୁକ୍ତ ଫେରାର ।

ଫୋନ୍ ଯୋଗେ ଡାକି ହତ୍ୟା:

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ରାତିରେ ସି କୁମାର ସ୍ବାମୀ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଦେଖିବା ବେଳେ ତାଙ୍କୁ ଫୋନ୍ କରି କିଛି ଯୁବକ ଡାକିଥିଲେ । ପରେ କୌଣସି ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ୪ ଜଣ ମିଶି ଧାରୁଆ ଅସ୍ତ୍ରରେ ସମସ୍ତଙ୍କ ସାମ୍ନାରେ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ଲୋକେ ସି କୁମାରଙ୍କୁ ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

Also Read:- ମୋ ବାପାଙ୍କୁ ଅସମ୍ମାନ କରାଯାଇଛି, ପୁଅ ହୋଇ କେମିତି ତାଙ୍କ ବିରୋଧରେ ଯାଇପାରିବି

ଏହି ହତ୍ୟାକାଣ୍ଡ ଘଟଣାକୁ ପୋଲିସ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ସହରାଞ୍ଚଳ ପୋଲିସ ବିଦାଙ୍ଗ ଗ୍ରାମର ବାଇଆ ଓରଫ ହିମାଂଶୁ ମିଶ୍ରଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରିଥିଲା । ତେବେ ରବିବାର ପୋଲିସ ବାବୁ ଓରଫ ବିଶ୍ୱଜିତ୍ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତ କାବୁଲା ଓରଫ ବିଶ୍ୱନାଥ ଧଡା ଏବେ ମଧ୍ୟ ଫେରାର ରହିଛି । ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍ ଜବତ କରିବା ସହ ବ୍ୟବହୃତ ଛୁରୀ ଜବତ କରି ଯାଞ୍ଚ ପାଇଁ ଫୋରେନସିକ୍ ଲ୍ୟାବ୍‌କୁ ପଠାଇଛି ପୋଲିସ ।

ଖୁବ୍‌ଶୀଘ୍ର ଗିରଫ ହେବ ଫେରାର ଅଭିଯୁକ୍ତ:

ପୋଲିସ କହିଛି ଯେ, ଏବେ ପର୍ଯ୍ୟନ୍ତ ତଦନ୍ତ ଅନୁଯାୟୀ ସି କୁମାର ଏବଂ ହତ୍ୟାକାରୀଙ୍କ ମଧ୍ୟରେ କୌଣସି ପୂର୍ବ ଶତ୍ରୁତା ନଥିଲା । ତେବେ ହତ୍ୟାକାଣ୍ଡ ଦିନ ଉଭୟ ପକ୍ଷଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ଝଗଡା ପରେ ସଙ୍ଗବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଘଟଣାରେ ଏପର୍ଯ୍ୟନ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଲାଣି । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ । ହତ୍ୟା ଘଟଣାରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରିସାରିଛି । ଏହି ହତ୍ୟାକାଣ୍ଡ ମାମଲାରେ ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ କହିଛି ।