• ନିର୍ବାଚନ ଆୟୋଗ ଏହି ଐତିହାସିକ ଉପଲବ୍ଧି ପାଇଁ ପଶ୍ଚିମବଙ୍ଗର ପ୍ରତ୍ୟେକ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି
  • ତେବେ ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଚୂଡାନ୍ତ ତଥ୍ୟ ନୁହେଁ
  • ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସର୍ବାଧିକ ୯୩.୩୯% ଭୋଟ ପଡିଛି
  • ସବୁଠୁ କମ ଭୋଟ ଦକ୍ଷିଣ କୋଲକାତା ନିର୍ବାଚନ ଜିଲ୍ଲାରେ ୮୭.୨୫% ରହିଛି

କୋଲକାତା: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦୁଇ ପର୍ଯ୍ୟାୟ ଭୋଟଗ୍ରହଣରେ ରେକର୍ଡ ମତଦାନ ନିମନ୍ତେ ରାଜ୍ୟର ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ (ସିଇସି)ଙ୍କ ଦ୍ୱାରା ଜାରୀ ଏକ ବୟାନରେ ଜ୍ଞାନେଶ କୁମାରଙ୍କ ସୂତ୍ରରୁ କୁହାଯାଇଛି ଯେ ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ମତଦାନ ପ୍ରତିଶତ ରେକର୍ଡ ହୋଇଛି।

ନିର୍ବାଚନ ଆୟୋଗ ଏହି ଐତିହାସିକ ଉପଲବ୍ଧି ପାଇଁ ପଶ୍ଚିମବଙ୍ଗର ପ୍ରତ୍ୟେକ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସନ୍ଧ୍ୟା ୭ଟା ୪୫ ମିନିଟ୍ ସୁଦ୍ଧା ରେକର୍ଡ ଭୋଟ ପ୍ରତିଶତ ୯୧.୬୬% ଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମୋଟ ୯୩.୧୯% ଭୋଟ ହୋଇଥିଲା। ଉଭୟ ପର୍ଯ୍ୟାୟର ମିଳିତ ଭୋଟ ପ୍ରତିଶତ ୯୨.୪୭% ବୋଲି ଆକଳନ କରାଯାଉଛି। ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡ.ଏସ୍.ଏସ୍. ସନ୍ଧୁ ଓ ଡ. ବିବେକ ଯୋଶୀଙ୍କ ସହ ମିଶି ଲାଇଭ ୱେବକାଷ୍ଟିଂ ମାଧ୍ୟମରେ ଭୋଟଗ୍ରହଣ ଉପରେ କଡ଼ା ନଜର ରଖିଥିଲେ। ଏଣୁ ପଶ୍ଚିମବଙ୍ଗର ସବୁ ମତଦାନ କେନ୍ଦ୍ରରେ ଶୃଙ୍ଖଳିତ ମତଦାନ ସୁନିଶ୍ଚିତ କରାଯାଇ ପାରିଛି।

ତେବେ ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଚୂଡାନ୍ତ ତଥ୍ୟ ନୁହେଁ। କାରଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେତେକ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଧାଡି ଥିଲା। ଏଣୁ ଚୂଡ଼ାନ୍ତ ମତଦାନ ହାର ବୁଧବାର ବିଳମ୍ବିତ ସନ୍ଧ୍ୟା ଅଥବା ଗୁରୁବାର ପୂର୍ବାହ୍ନରେ ମିଳିପାରିବ। ବୁଧବାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ପ୍ରତିଶତ ୨୩ ଏପ୍ରିଲ ପ୍ରଥମ ପର୍ଯ୍ୟାୟ ରେକର୍ଡ ହୋଇଥିବା ୯୩.୧୯% ପାଖାପାଖି ବା ଏହାଠୁ ବି ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ସନ୍ଧ୍ୟା ୬ଟା ସୁଦ୍ଧ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସର୍ବାଧିକ ୯୩.୩୯% ଭୋଟ ପଡିଥିବାର ଜଣାପଡିଛି। ସେହିପରି ସବୁଠୁ କମ ଭୋଟ ଦକ୍ଷିଣ କୋଲକାତା ନିର୍ବାଚନ ଜିଲ୍ଲାରେ ୮୭.୨୫% ରହିଛି।

ପ୍ରଥମ ପର୍ଯ୍ୟାୟରେ ୧୫୨ ସିଟ୍ ପାଇଁ ମତଦାନ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ଆସନ ପାଇଁ ଭୋଟଗ୍ରହଣ ହୋଇଛି। ଉଭୟ ଭୋଟ ଗ୍ରହଣର ଫଳାଫଳ ମେ ୪ ତାରିଖରେ ଘୋଷଣା ହେବ।