ନୂଆଦିଲ୍ଲୀ: ଡିସେମ୍ବର ୧୩, ୨୦୨୨ର ଏକ ମାମଲାରେ ଛତିଶଗଡ଼ ହାଇକୋର୍ଟ ଐତିହାସକ ରାୟ ଦେଇଛନ୍ତି । ପୋକ୍ସୋ ମାମଲାରେ ଫସିଥିବା ଅଭିଯୁକ୍ତକୁ ହାଇକୋର୍ଟ ମୁକ୍ତ କରିଛନ୍ତି । କୌଣସି ମାମଲାରେ ପୀଡ଼ିତାଙ୍କ ବୟସକୁ ଆଧାର କରି ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ପୁରା ଘଟଣାକ୍ରମ, ସାକ୍ଷି ଏବଂ ନିରପେକ୍ଷ ମୂଲ୍ୟାଙ୍କନ ଉପରେ ଗୁରୁତ୍ବାରୋପ କରିଛନ୍ତି ବିଚାରପତି । ଏହା ସହ ଟ୍ରାଏଲ କୋର୍ଟଙ୍କ ରାୟକୁ ହାଇକୋର୍ଟ ଖାରଜ କରିବା ସହ ମାମଲାରେ ଫସିଥିବା ବ୍ୟକ୍ତିଙ୍କୁ ଆଶ୍ବସ୍ତି ଦେଇଛନ୍ତି । ପୋକ୍ସୋ ମାମଲାରେ ଜେଲ ଥିବା ଅଭିଯୁକ୍ତ ଦୀପକ ବୈଷ୍ଣବଙ୍କୁ ମିଳିଛି ମୁକ୍ତି ।

ପୂରା ଘଟଣା କ’ଣ ?

ଏହି ଘଟଣାଟି ସେପ୍ଟେମ୍ବର ୧୩, ୨୦୨୨ ରେ ଘଟିଥିଲା। ମୁଙ୍ଗେଲି ଜିଲ୍ଲାର ଜଣେ ନାବାଳିକା ଝିଅ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲା କିନ୍ତୁ ଆଉ ଫେରି ନଥିଲା। ବହୁତ ଖୋଜାଖୋଜି ପରେ, ସେ ନମିଳିବାରୁ ତାଙ୍କ ବାପା ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା ଯେ, କୌଣସି ଅଜଣା ବ୍ୟକ୍ତି ତାଙ୍କ ଝିଅକୁ ପ୍ରଲୋଭିତ କରି ନେଇଯାଇଛି।

Also Read: ମହାକୁମ୍ଭର 'ଭାଇରାଲ ଗାର୍ଲ' ମୋନାଲିସାଙ୍କ ପ୍ରକୃତ ବୟସ ୧୬ ବର୍ଷ, ସ୍ୱାମୀ ଫରମାନ ଖାନ ଯିବେ କି ଜେଲ?

ଟ୍ରାଏଲ୍ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ

ମାମଲାର ଶୁଣାଣି କରି, ମୁଙ୍ଗେଲିର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଦୀପକ ବୈଷ୍ଣବଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୬୩, ୩୬୬ ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଟ୍ରାଏଲ୍ କୋର୍ଟ ଅଭିଯୁକ୍ତକୁ ଗୁରୁତର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ହାଇକୋର୍ଟରେ ଦୀପକଙ୍କ ଓକିଲଙ୍କ ଯୁକ୍ତି

ହାଇକୋର୍ଟରେ ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଯୁକ୍ତି ଦେଇଥିଲେ ଯେ, ପୀଡିତା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା। ସେମାନେ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ଝିଅଟି ସ୍ୱେଚ୍ଛାକୃତ ଭାବରେ ତାଙ୍କ ସହିତ ଯିବାକୁ ନିଷ୍ପତ୍ତି ନେଇଥିଲା। ସେମାନେ ମୁଙ୍ଗେଲି, ରାୟପୁର, ହାଇଦ୍ରାବାଦ ଏବଂ ବିଜୟୱାଡା ଭଳି ସହରକୁ ଯାତ୍ରା କରିଥିଲେ ଏବଂ ପ୍ରାୟ ଗୋଟିଏ ମାସ ଧରି ଏକାଠି ରହିଥିଲେ। ପ୍ରତିରକ୍ଷା ପକ୍ଷ ଯୁକ୍ତି ଦେଇଥିଲେ ଯେ, ସମଗ୍ର ମାମଲାରେ ବଳପ୍ରୟୋଗ, ଚାପ କିମ୍ବା ପ୍ରଲୋଭନର କୌଣସି ପ୍ରମାଣ ନାହିଁ।

‘ନାବାଳକଙ୍କ ସମ୍ମତି ଅମାନ୍ୟ’

ରାଜ୍ୟ ସରକାର କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ପୀଡିତା ଜଣେ ନାବାଳିକା । ତେଣୁ ତାଙ୍କ ସମ୍ମତିର କୌଣସି ଆଇନଗତ ଗୁରୁତ୍ୱ ନାହିଁ। ଅଭିଯୁକ୍ତ ତାଙ୍କୁ ତାଙ୍କ ପିତାମାତାଙ୍କ ପାଖରୁ ଦୂରେଇ ନେଇ ଅପରାଧ କରିଛନ୍ତି । ତେଣୁ POCSO ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ।

‘ନେଇଯିବା ଏବଂ ସାଥିରେ ଯିବା ଭିନ୍ନ କଥା’

ଉଭୟ ପକ୍ଷର ଯୁକ୍ତି ଏବଂ ଉପଲବ୍ଧ ପ୍ରମାଣକୁ ଭଲଭାବେ ସମୀକ୍ଷା କରିବା ପରେ, ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ‘ନେବା ଏବଂ ସାଥିରେ ଯିବା’ ଦୁଇଟି ଭିନ୍ନ କଥା । ଅଭିଯୁକ୍ତ ବଳପୂର୍ବକ କିମ୍ବା ପ୍ରତାରଣା କରି ପୀଡିତାଙ୍କୁ ନେଇଯାଇଥିବା ନେଇ ଅଭିଯୋଗକାରୀ କୌଣସି ପ୍ରମାଣ ଦେଇନାହାନ୍ତି । କୋର୍ଟଙ୍କ ଅନୁଯାୟୀ, ଯଦି ଜଣେ ଝିଅ ନିଜ ଇଚ୍ଛାରେ କାହା ସହିତ ଯାଏ, ତେବେ କେବଳ ଏହି ଆଧାରରେ ଅପହରଣ ଅପରାଧ ପ୍ରମାଣିତ ହୋଇପାରିବ ନାହିଁ।

POCSO ଆଇନ ଉପରେ ହାଇକୋର୍ଟଙ୍କ ମନ୍ତବ୍ୟ

କୋର୍ଟ ଜାଣିବାକୁ ପାଇଥିଲେ ଯେ, ଘଟଣା ସମୟରେ ପୀଡିତାଙ୍କ ବୟସ ପ୍ରାୟ ୧୫ ବର୍ଷ ଏବଂ ୧୦ ମାସ ଥିଲା । ସେ ନିଶ୍ଚିତ ଭାବରେ ଜଣେ ନାବାଳିକା ଥିଲେ । କିନ୍ତୁ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ମାମଲାରେ କେବଳ ବୟସ ଦୋଷ ନିର୍ଣ୍ଣୟ ପାଇଁ ଆଧାର ହୋଇପାରିବ ନାହିଁ। ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି ଯେ, ଯେତେବେଳେ ପରିସ୍ଥିତି ଦର୍ଶାଏ ଯେ, ପୀଡିତା ସ୍ୱେଚ୍ଛାକୃତ ଭାବରେ ଯାଇଥିଲେ ଏବଂ କୌଣସି ଜୋରଜବରଦସ୍ତି ହୋଇନଥିଲା, ଏପରି କ୍ଷେତ୍ରରେ ବିଶେଷ ସତର୍କତା ଆବଶ୍ୟକ। ତେବେ ହାଇକୋର୍ଟ ଦୀପକ ବୈଷ୍ଣବଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।