ନୂଆଦିଲ୍ଲୀ, ୧୫/୧୦ : ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଲଢ଼ି ପ୍ରାଣ ହରାଇଥିବା ଭାରତୀୟଙ୍କ ପରିବାର ବର୍ଗ ସହାୟତା ବା କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବା ଲାଗି ଏକ ସାର୍ବଜନିନ ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟ ବୁଧବାର ବିଦେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଜଣାଯାଇଥିଲା ଯେ, ଏହି ଯୁଦ୍ଧରେ ସାମିଲ ହୋଇଥିବା ୫୧ ଭାରତୀୟଙ୍କ ମୃତ୍ୟୁ ଘଟିଛି ଏବଂ ଅଦ୍ୟାବଧୂ ଆହୁରି ୭୭ ଜଣଙ୍କ କୌଣସି ପତ୍ତା ମିଳିନି I ରୁଷ୍ ସରକାର ଏ ପର୍ଯ୍ୟନ୍ତ ୬ଟି କ୍ଷତିପୂରଣ ଦାବିର ପ୍ରକ୍ରିୟା ଶେଷ କରିଛନ୍ତି।

Also Read :- ଆଜି କଲେଜ୍ ଭୋଟ୍ : ନେତା ବାଛିବେ ଛାତ୍ରଛାତ୍ରୀ, ଅପରାହ୍ନରେ ଆସିବ ରେଜଲ୍ଟ

ରୁଷ୍ ସରକାର ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇଥିବା ୬ଟି ପରିବାରକୁ ଦେଇଥିବା କ୍ଷତି ପୂରଣ ବାବଦରେ ବିବରଣୀ ପ୍ରଦାନ କରିବା ସହ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ମନ୍ତ୍ରଣାଳୟକୁ କହିଛନ୍ତି। ପ୍ରାଣ ହରାଇଥିବା ସମସ୍ତ ଭାରତୀୟଙ୍କ ପରିବାର କ୍ଷତିପୂରଣ ପାଇବାକୁ ହକଦାର। ଏହି ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକ ଆଇନଗତ ତଥା ପ୍ରଶାସନିକ ଔପଚାରିକତା ପୂରଣ କରିବା ସହ ଦାବି ଦାଖଲ କିମ୍ବା ଡିଏନଏ ପରୀକ୍ଷା ଆଦି ପାଇଁ ମାଗଣା ଆଇନଗତ ସହାୟତା ଯୋଗାଇଦେବାକୁ ଖଣ୍ଡପୀଠ ରାଜସ୍ଥାନ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶର ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି ଏହି ରାଜ୍ୟଗୁଡ଼ିକରୁ ୨୦୦ରୁ ଅଧିକ ଲୋକ ହସ୍ପିଟାଲିଟି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଏଜେଣ୍ଟଙ୍କ ଜରିଆରେ ରୁଷ୍ ଯାଇଥିଲେ। କିନ୍ତୁ ରୁଷ୍ ରେ ପହଞ୍ଚିବା ପରେ ସେମାନଙ୍କ ସହ ଠକେଇ ହୋଇଥିଲା ଏବଂ ସେମାନଙ୍କୁ ଜୋର ଜବରଦସ୍ତ ଯୁଦ୍ଧକ୍ଷେତ୍ର ଠେଲି ଦିଆଯାଇଥିଲା।