ଭୁବନେଶ୍ଵର: ଛତିଶଗଡ଼ ସରକାରର ମନ ମାନୁନି। ଶିଳ୍ପସଂସ୍ଥା ସ୍ବାର୍ଥରେ ମହାନଦୀ ଭିତରେ ନିର୍ମାଣ କରିଛି ବାଲି ବନ୍ଧ। ମହାନଦୀ ଉପରେ ନିର୍ମାଣ ହୋଇଥିବା କଲମା ବ୍ୟାରେଜକୁ ଲାଗି ବାଲିବନ୍ଧ ନିର୍ମାଣ କରିଥିବା ବେଳେ କଲମା ବ୍ୟାରେଜର ୬୬ଟି ଗେଟ ମଧ୍ୟରୁ ୬୪ଟି ଗେଟ ବନ୍ଦ ରହିଛି। ଆଜି ଏହି ବାଲିବନ୍ଧ ଦେଖିବାକୁ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ନେତା ବିଜୟ ମହାପାତ୍ର ଓ ପୂର୍ବତନ ସାଂସଦ ରବି ନାରାୟଣ ପାଣି।

ଛତିଶଗଡ଼ ସରକାରର ପୁଣି ଦେଖିବାକୁ ମିଳିଛି ମନମାନି। ମହାନଦୀରେ ବଡ଼ ବଡ଼ ବ୍ୟାରେଜ ଓ ନଦୀବନ୍ଧ ନିର୍ମାଣ ପରେ ବି ନିଜ ଅଞ୍ଚଳର ଶିଳ୍ପାନୁଷ୍ଠାନ କୁ ପାଣି ଯୋଗାଇବା ପ୍ରକ୍ରିୟା କୁ ନିଶ୍ଚିତ କରିଛି।ଏଥିପାଇଁ ମହାନଦୀ ଭିତରେ କଲମା ବ୍ୟାରେଜ ଅବବାହିକାରେ ନିର୍ମାଣ କରିଛି ବାଲିବନ୍ଧ।ଆଜି କଲମା ବ୍ୟାରେଜର ନିର୍ମାଣ ଢାଞ୍ଚା ସହ ବାଲିବନ୍ଧ ନିର୍ମାଣ ଦେଖିବାକୁ ପହଂଚି ଥିଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର।ସାଙ୍ଗରେ ଥିଲେ ପୂର୍ବତନ ସାଂସଦ ରବି ପାଣି, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବିଜୟ ପରିଡା ଓ ବିଜେଡି ନେତା ରବି ସିଂ। ବାଲିବନ୍ଧ ନିର୍ମାଣକୁ ନେଇ ଭୁବନେଶ୍ଵରରେ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବାଲିବନ୍ଧ ନିର୍ମାଣ ସ୍ଥଳ ପରିଦର୍ଶନରେ ଯିବାକୁ କୁହାଯାଇଛି।

କଲମା ବ୍ୟାରେଜ ସହ ଛତିଶଗଡ଼ରେ ଅନେକ ଗୁଡିଏ ବ୍ୟାରେଜ ନିର୍ମାଣ କରି ଓଡିଶାକୁ ମହାନଦୀରୁ ଜଳ ପ୍ରବାହକୁ ରୋକିବା ଯୋଗୁଁ ମହାନଦୀ ଅବବାହିକାରେ ଥିବା ଝାରସୁଗୁଡା ଜିଲ୍ଲା ସହ ଅନ୍ୟ ଜିଲ୍ଲା ଲୋକମାନେ ବର୍ଷା ଦିନ ରେ ବନ୍ୟା ର ଶିକାର ହୋଇ ଚାଷ କରି ପାରୁ ନ ଥିବା ବେଳେ ଖରା ଦିନରେ ଶୁଷ୍କ ମରୁଭୂମିରେ ପରିଣତ ହେଉଛି ମହାନଦୀ । ଫଳରେ ହୀରାକୁଦ କୁ ପାଣି ଆସିବା ବନ୍ଦ ହୋଇ ଯାଉଛି।କେବଳ ଛତିଶଗଡ଼ ସରକାର ନିଜ ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା କୁ ପାଣି ଯୋଗାଇବାକୁ ଏଭଳି ଉଦ୍ୟମ ଜାରୀ ରଖିଛି।

ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ କୁ ଓଡିଶା ଲୋକେ ନାପସନ୍ଦ କରିଥିବା ବେଳେ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଦେଢ଼ ବର୍ଷ ହେବ ନୂଆ ସରକାର ଆସିଲା ପରେ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ଠାରୁ ଆରମ୍ଭ କରି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। ଫଳ କାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର।