କେନ୍ଦୁଝର।ପାଟଣା ୧୨।୮: ହାତୀ-ମଣିଷ ସଂଘର୍ଷର ନୂଆ ଚିତ୍ର । ବଦଳୁଛି ହାତୀଙ୍କ ବ୍ୟବହାର । ଅଧିକ ହିଂସ୍ର ଓ ଆକ୍ରମଣାତ୍ମକ ହେଉଛନ୍ତି ହାତୀ । ବନ ବିଭାଗ ପକ୍ଷରୁ ୨୬ ଟିକିଆ ଏକ ହାତୀ ପଲ ଉପରେ କରାଯାଇଥିବା ଅଧ୍ୟୟନରୁ ସାମ୍ନାକୁ ଆସିଛି ଏହି ଚିନ୍ତାଜନକ ତଥ୍ୟ । ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ଉପଲବ୍ଧ ଥିଲେ ମଧ୍ୟ ଗାଁର ଧାନ, ବିଭିନ୍ନ ପ୍ରକାର ଫସଲ, ସୁସ୍ୱାଦୁ ଫଳ ଓ ପନିପରିବା ହାତୀଙ୍କୁ ଅଧିକ ଆକର୍ଷିତ କରୁଛି । ଫଳରେ ଖାଦ୍ୟ ସନ୍ଧାନରେ ବାରମ୍ବାର ଗାଁମୁହାଁ ହେଉଛନ୍ତି ବଣୁଆ ହାତୀ ପଲ । କିନ୍ତୁ ହାତୀ ଗାଁକୁ ଆସିଲେ ବଢ଼ିଯାଉଛି ଆଉ ଏକ ବିପଦ ।

ରିଲ୍ସ ଓ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ନିଶାରେ କିଛି ଯୁବକ ହାତୀଙ୍କ ନିକଟକୁ ଯାଇ ସେମାନଙ୍କୁ ଉତ୍ତେଜିତ କରୁଛନ୍ତି । କେହି ହାତୀର ଲାଙ୍ଗୁଡ଼ ଟାଣୁଛନ୍ତି ତ କେହି ଦାନ୍ତ ଧରି ସେଲ୍ଫି ନେଉଛନ୍ତି... ଆଉ କେହି ହାତୀ ଶୋଇଥିବା ବେଳେ ଟେକାପଥର ମାରିବା ସହ ବାଡ଼ିରେ ବାଡେଇ ହଇରାଣ ଓ ଉତ୍ତେଜିତ କରୁଛନ୍ତି । ଆଉ ଏସବୁ ଦୃଶ୍ୟ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଛାଡ଼ୁଛନ୍ତି । ଏହି ଉତ୍ତେଜନାର ପ୍ରଭାବ ଏବେ ଦେଖିବାକୁ ମିଳୁଛି ହାତୀଙ୍କ ବ୍ୟବହାରରେ । ଫଳରେ ଗତ ୧୫ ଦିନ ମଧ୍ୟରେ ହାତୀ ଆକ୍ରମଣରେ ପ୍ରାୟ ୭୦ ଘର ଭାଙ୍ଗିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ କେନ୍ଦୁଝର ବନଖଣ୍ଡରେ ଏବେ ୧୫୭ଟି ହାତୀ ୧୬ଟି ଦଳରେ ବିଭକ୍ତ ହୋଇ ରହିଛନ୍ତି । ତେବେ ପାଟଣା ଓ ଚମ୍ପୁଆ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି । କାରଣ ୨୬ଟିକିଆ ଏକ ହାତୀ ପଲ ଏହି ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଗତ ୧୫ ଦିନରେ ୪୫ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ମଣିଷ ଓ ହାତୀ ମଧ୍ୟରେ ବଢ଼ୁଛି ମୁହାଁମୁହିଁ ସ୍ଥିତି ।

​​​​​​​

ତେବେ ଏହାର ସମାଧାନ କ’ଣ ? ବନ ବିଭାଗର କହିବା କଥା, ହାତୀକୁ ତା’ ବାସସ୍ଥାନରେ ଶାନ୍ତିରେ ରହିବାକୁ ଦେବାକୁ ପଡ଼ିବ। ହାତୀଙ୍କ ପାଖକୁ ଯାଇ ଫଟୋ ଉଠାଇବା, ରିଲ୍ସ କରିବା କିମ୍ବା ତାଙ୍କୁ ଉତ୍ତେଜିତ କରନ୍ତୁ ନାହିଁ । ହାତୀ ତା’ର ଜଙ୍ଗଲରେ... ମଣିଷ ତା’ର ବସତିରେ । ତେଣୁ ହାତୀଙ୍କୁ ହଇରାଣ ନକରି, ନିରବରେ ତାଙ୍କ ବାସସ୍ଥାନରେ ରହିବା ପାଇଁ ଦେବାକୁ ପଡିବ।