• ଜନ୍ତର-ମନ୍ତର ବିରୋଧ ପ୍ରଦର୍ଶନ କାରଣରୁ କେନ୍ଦ୍ରୀୟ ଦିଲ୍ଲୀରେ ବ୍ୟବସାୟ ପ୍ରଭାବିତ ହେଉଛି
  • ରାମଲିଳା ମୈଦାନକୁ ବିରୋଧ ପ୍ରଦର୍ଶନର ସ୍ଥାନ ସ୍ଥିର କରାଯିବାକୁ ମଧ୍ୟ ବିରୋଧ କରିଛନ୍ତି
  • ବିରୋଧ କରିବାର ଅଧିକାର ଓ ବ୍ୟବସାୟର ଅଧିକାର ଉଭୟ ମୌଳିକ ଅଧିକାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତର ଓ ରାମଲିଳା ମୈଦାନରେ ବିରୋଧ ପ୍ରଦର୍ଶନ ଯୋଗୁ ବ୍ୟବସାୟ ବାଧିତ ହେଉଥିବା ଅଭିଯୋଗରେ ବ୍ୟବସାୟୀ ସଙ୍ଗଠନଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଆବେଦନର ଶୁଣାଣି କରି ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ବୁଧବାର କଂଗ୍ରେସ, ଆମ ଆଦମୀ ପାର୍ଟି (ଆପ), କକ୍ରୋଚ ଜନତା ପାର୍ଟି ଓ ଛାତ୍ର ସଙ୍ଗଠନ ଏଆଇଏସଏକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି।

ଲାଇଭଲ ରିପୋର୍ଟ ଅନୁସାରେ ବ୍ୟବସାୟୀକ ସଙ୍ଗଠନଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ମୁକୁଲ ରହତୋଗୀ କୋର୍ଟଙ୍କୁ କହିଛନ୍ତି ଯେ ଜନ୍ତର-ମନ୍ତର ବିରୋଧ ପ୍ରଦର୍ଶନ କାରଣରୁ କେନ୍ଦ୍ରୀୟ ଦିଲ୍ଲୀରେ ବ୍ୟବସାୟ ପ୍ରଭାବିତ ହେଉଛି। ସେ ରାମଲିଳା ମୈଦାନକୁ ବିରୋଧ ପ୍ରଦର୍ଶନର ସ୍ଥାନ ସ୍ଥିର କରାଯିବାକୁ ମଧ୍ୟ ବିରୋଧ କରିଛନ୍ତି। ଆଡଭୋକେଟ ରହୋତଗୀ କହିଛନ୍ତି ଯେ ରାମଲିଳା ମୈଦାନ ସହରର କେନ୍ଦ୍ରସ୍ଥଳରେ ରହିଛି। ଏହାର ଚତୁପାର୍ଶ୍ୱରେ ପାଇକାରୀ ବଜାର ଥିବାରୁ ସେଠାରେ ବିରୋଧ ପ୍ରଦର୍ଶନ ଲାଗି ଅନୁମତି ଦିଆଯିବା ଉଚିତ ନୁହେଁ।

ତେବେ ବେଞ୍ଚ କହିଛନ୍ତି ଯେ ବ୍ୟବସାୟୀଙ୍କ ପିଟିସନ ସହିତ ସେହିସବୁ ଅନ୍ୟ ପିଟିସନର ମଧ୍ୟ ଶୁଣାଣି ହେବ ଯେଉଁଥିରେ ଜାତୀୟ ରାଜଧାନୀରେ ବିରୋଧପ୍ରଦର୍ଶନ ଦୃଷ୍ଟିରୁ ଅଧିକାରୀଙ୍କ ଦ୍ୱାରା ଲଗାଯାଉଥିବା ପ୍ରତିବନ୍ଧକ ଉପରେ ପ୍ରଶ୍ନ କରାଯାଇଛି। ଏହି ସବୁ ପିଟିସନର ଏକତ୍ର ଶୁଣାଣି ନିମନ୍ତେ କୋର୍ଟ ଏବେ ନଭେମ୍ବର ୨୭ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି.ମୋହନାଙ୍କ ପୀଠ କହିଛନ୍ତି ଯେ ବିରୋଧ କରିବାର ଅଧିକାର ଓ ବ୍ୟବସାୟର ଅଧିକାର ଉଭୟ ମୌଳିକ ଅଧିକାର। ଏଣୁ ଉଭୟ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ।