କେନ୍ଦ୍ରାପଡ଼ା,୦୪/୦୮:ମହାକାଳପଡ଼ା ବ୍ଳକ୍ ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ତାଙ୍କ ସହ ପୂରା ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମଙ୍ଗଳବାର ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି। ମହାକାଳପଡା ବିଧାୟକ ଓ ତାଙ୍କ ସମର୍ଥକ କୁହାଯାଉଥିବା ଗ୍ୟାଙ୍ଗଷ୍ଟର୍ ସାଜନ୍ ବେହେରା ଓ ତା'ର ସହଯୋଗୀମାନଙ୍କ ଆଡୁ ସେ ବିପଦ ଆଶଙ୍କା କରୁଥିବା ଏତଲାରେ ଦର୍ଶାଇଛନ୍ତି। ଏଥିପାଇଁ ପୁଲିସର ହସ୍ତକ୍ଷେପ ଲୋଡ଼ିଛନ୍ତି ଚାମେଲି। ଚଳିତ ଅଗଷ୍ଟ ମାସ ୧୩ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟ କରିବାକୁ ପ୍ରଶାସନ ଧାର୍ଯ୍ୟ କରିଛି।

ଏତଲାରେ ଚାମେଲି ଦର୍ଶାଇଛନ୍ତି ଯେ, ତାଙ୍କୁ ଦେଢ଼ ମାସ ଆଗରୁ ବିନା କାରଣରେ ଗିରଫ କରାଯାଇଥିଲା। ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଏହି ମାମଲାର ତଦନ୍ତ କରୁଛନ୍ତି। ସେ ଦୁର୍ନୀତି ବିରୋଧରେ ୯ ଦିନ ଆମରଣ ଅନଶନରେ ବସିଥିଲେ ଯାହା ବିଧାୟକ ଓ ତାଙ୍କ ସମର୍ଥକମାନଙ୍କୁ କ୍ଷୁବ୍ଧ କରିଥିଲା। ସେ ଅନଶନ ସାରି ଜୁଲାଇ ୨୩ରେ ଗାଁକୁ ଫେରିଥିଲା ବେଳେ ବିଧାୟକ, ତାଙ୍କ ସମର୍ଥକ ଓ ଅପରାଧିକ ପୃଷ୍ଠଭୂମି ଥିବା କିଛି ବ୍ୟକ୍ତି ତାଙ୍କୁ ଧମକ ଦେବା ଢଙ୍ଗରେ ତାଙ୍କ ଘର ଚାରିପାଖରେ ବାଇକରେ ବୁଲିଥିଲେ। ବାହରିଆ ମଲିକ, ସୁଶାନ୍ତ ମଲିକ, ବିଜୟ ବେହେରା ଓ ଗ୍ୟାଙ୍ଗଷ୍ଟର ସାଜନ ବେହେରା ତାଙ୍କ ଘର ଚାରିପାଖରେ ପଇଁତରା ମାରିଥିଲେ। ସେମାନେ ତାଙ୍କ ଘର ଓ ଆଖପାଖ ଅଂଚଳର ଭିଡିଓ କରିଥିଲେ।

Also Read :- ବୁଧବାର ଚନ୍ଦ୍ରରେ ହେବ ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ସୃଷ୍ଟି ହେବ ବିରାଟ ଗର୍ତ୍ତ ! ପୃଥିବୀ ଉପରେ ରହିଛି କି ବିପଦ ?

ଚାମେଲି ଏତଲାର ନକଲ କେନ୍ଦ୍ରାପଡ଼ା ଏସପି, ଡିଜିପି, ଆଇଜି, ଗୃହ ବିଭାଗ ଅତିରିକ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି। ମାର୍ଶାଘାଇ ଥାନା ଆଇଆଇସି ତପନ ନାୟକ କିନ୍ତୁ ତାଙ୍କ ପାଖରେ ଏତଲା ପହଞ୍ଚିନଥିବା ଗଣମାଧ୍ୟମକୁ କହିଛନ୍ତି। ଉଲ୍ଲେଖନୀୟ, ଗତ ମାସ ୨୩ ତାରିଖରେ ପଞ୍ଚାୟତର ୨୨ ଓ୍ବାର୍ଡ ସଭ୍ୟ/ ସଭ୍ୟାଙ୍କ ମଧ୍ୟରୁ ୨୧ଜଣ ୱାର୍ଡ ସଭ୍ୟ ଚାମେଲିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ପରେ ଯାଞ୍ଚ୍ ବେଳେ ୨୦ ଜଣ ଉପସ୍ଥିତ ରହିଥିଲେ ଓ ଅଭିଯୋଗପତ୍ରରେ ଥିବା ଦସ୍ତଖତ ସହ ସମସ୍ତଙ୍କ ଦସ୍ତଖତ ମେଳ ଖାଇଥିଲା ।