ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଣିପୁରରେ ହେବାକୁ ଥିବା ଜନଗଣନା ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ଜନଗଣନା ପୂର୍ବରୁ 'ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ' (NRC) ଅପଡେଟ୍ କରିବା ପାଇଁ ରାଜ୍ୟର ନାଗରିକ ସମାଜ ସଂଗଠନଗୁଡ଼ିକ କରିଥିବା ଆବେଦନ ଓ ଦାବି ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମଣିପୁରରେ ଜନଗଣନାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ‘ହାଉସ୍ ଲିଷ୍ଟିଂ’ (ଘର ତାଲିକାଭୁକ୍ତ) ଆରମ୍ଭ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ବୈଠକ ଡକାଯାଇଥିଲା ।

ମଣିପୁରରେ ଜନଗଣନାକୁ ନେଇ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ମଣିପୁରର ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ମୁଖ୍ୟମନ୍ତ୍ରୀ ୱାଇ.ଖେମଚନ୍ଦ ସିଂହ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ବିବୃତ୍ତି ଅନୁଯାୟୀ, ଗୃହମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ମଣିପୁରର ଜନସାଧାରଣଙ୍କ ଏନଆରସି ସମ୍ପର୍କିତ ଦାବି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

Also Read: ସିନ୍ଧୁ ନଦୀ ଜଳ ଚୁକ୍ତି ବିବାଦ: ଅବୈଧ ସଂସ୍ଥାର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ; ପାଣି ପାଇଁ ଡହଳବିକଳ ହେବ ପାକିସ୍ତାନ

ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, "ମଣିପୁରର ଜନସାଧାରଣଙ୍କ ଭାବନା ଏବଂ ଆକାଂକ୍ଷାକୁ ସମ୍ମାନ ଜଣାଇ ରାଜ୍ୟରେ ପ୍ରସ୍ତାବିତ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ସମ୍ମତି ପ୍ରକାଶ ପାଇଛି ।" ମଣିପୁର ମୁଖ୍ୟମନ୍ତ୍ରୀ ୱାଇ. ଖେମଚନ୍ଦ ସିଂହ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ରାଜ୍ୟବାସୀଙ୍କ ଦାବି ଶୁଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।