ନୂଆଦିଲ୍ଲୀ: ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ଟ (ସିଡିଏସ୍) ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ ଶନିବାର ସମାପ୍ତ ହୋଇଛି। ଦୀର୍ଘ ଚାରି ଦଶନ୍ଧୀରୁ ଅଧିକ ସମୟର ସୈନ୍ୟ ସେବା ପରେ ଔପଚାରି ରୂପେ ସେ ବିଦାୟ ଗ୍ରହଣ କରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳକୁ ଅତ୍ୟନ୍ତ ସନ୍ତୋଷଜନକ ଓ ଉଲ୍ଲେଖନୀୟ ବୋଲି କହିଛନ୍ତି। ତେବେ ଏହା ପୂର୍ବରୁ ନୂଆଦିଲ୍ଲୀର ସାଉଥ୍ ବ୍ଲକ୍ ଲନରେ ତାଙ୍କୁ ଔପଚାରିକ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସର ଦେଶର ସର୍ବୋଚ୍ଚ ସେନା ଅଧିକାରୀ ରୂପେ ତାଙ୍କ କାର୍ଯ୍ୟକାଳର ସମାପନର ପ୍ରତୀକ ଥିଲା।

ନ୍ୟାସନାଲ ୱାର ମେମୋରିୟାଲରେ ଶହିଦ ସୈନିକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଗାର୍ଡ ଅଫ ଅନର ପରେ ଜେନେରାଲ ଚୌହାନ ନ୍ୟାସନାଲ ୱାର ମେମୋରିୟାଲ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଦେଶର ସେବା କରି ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଳଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ନିଜ ଯାତ୍ରାର ସ୍ମୃତିଚାରଣ କରି କହିଛନ୍ତି ଯେ ଏହି କ୍ଷଣ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେନା ପୋଷାକରେ ଦେଶର ଶହିଦ ନାୟକଙ୍କୁ ଏହା ମୋର ଶେଷ ଶ୍ରଦ୍ଧାଞ୍ଜଳି ।

ଜେନେରାଳ ଚୌହାନଙ୍କ କାର୍ଯ୍ୟକାଳ ସମାପ୍ତ
ବିଦାୟ ସମାରୋହ ସହିତ ସିଡିଏସ୍ ତଥା ସାମରିକ ବ୍ୟାପାର ବିଭାଗ ସଚିବ ଭାବେ ଜେନେରାଲ ଚୌହାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। ଏହି ପଦବୀରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି କ୍ୟାବିନେଟ୍ ନିଯୁକ୍ତି କମିଟି ସେପ୍ଟେମ୍ବର ୨୦୨୫ରେ ମଞ୍ଜୁରୀ ଦେଇଥିଲା। ଏଣୁ ସେ ୩୦ ମେ ୨୦୨୬ ପର୍ଯ୍ୟନ୍ତ ସେବାରେ ଥିଲେ। ୧୯୮୧ରେ ଭାରତୀୟ ସେନାରେ କମିଶନ ପାଇଥିବା ଜେନେରାଲ ଚୌହାନ ୪୦ ବର୍ଷରୁ ଅଧିକ ସମୟ ଧରି ଦେଶର ସେବା କରିଛନ୍ତି ଓ ତାଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ, ଅପରେସନ ଓ ଷ୍ଟାଫ ପଦପଦବୀରେ କାମ କରିଛନ୍ତି।

Also Read..ଅପରେସନ ୨.୦ ହେଲେ ପୂରା ପ୍ରସ୍ତୁତ ୩ ସେନା, ପାକିସ୍ତାନକୁ ଚେତାବନୀ ଦେଲେ ସେନା ମୁଖ୍ୟ