ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍କୁଲରୁ ଟ୍ରାନ୍ସଫର ସାର୍ଟିଫିକେଟ୍ ବା ଟିସି ନେବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ କାରଣରୁ ଜଣେ ନାବାଳକ ଛାତ୍ର ସ୍କୁଲ୍ ପରିସର ଭିତରେ ହିଁ ନିଜ ଶିକ୍ଷକଙ୍କୁ ଛୁରୀ ଭୁସି ଦେଇଛି। ଏହି ଘଟଣା ସହରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ‘ଲିଟିଲ୍ ଫ୍ଲାୱାର ସ୍କୁଲ୍‌’ରେ ଘଟିଛି। ସ୍କୁଲର ପ୍ରିନ୍ସିପାଲଙ୍କ ରୁମରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଆକ୍ରମଣର ଭୟାବହ ଦୃଶ୍ୟ କଏଦ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରିନ୍ସିପାଲଙ୍କ କୋଠରୀ ଭିତରେ ଛାତ୍ର, ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଆଲୋଚନା ଚାଲିଥିଲା। କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ୍ ଛାତ୍ର ଜଣକ ଉଗ୍ର ରୂପ ଧାରଣ କରିଥିଲା ଏବଂ ଶିକ୍ଷକଙ୍କୁ ଧମକ ଦେବାକୁ ଆରମ୍ଭ କରିଥିଲା। ଏହା ଦେଖି ଶିକ୍ଷକ ଏବଂ ପ୍ରିନ୍ସିପାଲ ଛିଡ଼ା ହୋଇଯାଇଥିଲେ। ଦେଖୁଦେଖୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଛାତ୍ର ଜଣକ ନିଜ ପାଖରୁ ଏକ ଛୁରୀ ବାହାର କରି  ଶିକ୍ଷକଙ୍କ ଛାତିକୁ ଆଘାତ କରିଥିଲା।

ଛୁରାମାଡ଼ ଯୋଗୁଁ ଆହତ ଶିକ୍ଷକ ଜଣକ ଯନ୍ତ୍ରଣାରେ ପଛକୁ ହଟିଯାଇଥିଲେ ଏବଂ ରୁମ ଭିତରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଏହାପରେ ମଧ୍ୟ ଛାତ୍ର ଜଣକ ଚିତ୍କାର କରୁଥିବା ଦେଖାଯାଇଥିଲା। ପରେ ସ୍କୁଲର ଅନ୍ୟ କର୍ମଚାରୀମାନେ ଭିତରକୁ ଦୌଡ଼ିଆସି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଛୁରାମାଡ଼ରେ ଗୁରୁତର ହୋଇଥିବା ଶିକ୍ଷକଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଛାତ୍ର  ସ୍କୁଲକୁ ନିଜର ଟିସି ନେବାକୁ ଆସିଥିଲା। ସେହି ସମୟରେ ଟିସି ପ୍ରକ୍ରିୟାକୁ ନେଇ କ୍ଲାସ୍ ଟିଚର ବା ଶ୍ରେଣୀ ଶିକ୍ଷକଙ୍କ ସହ ତାର ବଚସା ହୋଇଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ଛାତ୍ର ଜଣକ ଶିକ୍ଷକଙ୍କୁ ଆକ୍ରମଣ କରିଥିଲା। ଅଧିକାରୀମାନେ ଜଣାଇଛନ୍ତି ଯେ, ପୂର୍ବରୁ ସେହି ସ୍କୁଲରେ ପଢୁଥିବା ସମୟରେ ମଧ୍ୟ ଏହି ଛାତ୍ର  ସମ୍ପୃକ୍ତ ଶ୍ରେଣୀ ଶିକ୍ଷକଙ୍କ ସହ ବିବାଦରେ ଜଡ଼ିତ ଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିବା ଛୁରୀକୁ ନାବାଳକ ଜଣକ ପୂର୍ବରୁ ଏକ ଅନଲାଇନ୍ ସପିଂ ସାଇଟରୁ ଅର୍ଡର କରିଥିଲା।ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଉକ୍ତ ନାବାଳକକୁ ଅଟକ ରଖିଛି ଏବଂ ମାମଲାର ଅଧିକ ଯାଞ୍ଚ କରୁଛି।