ନୂଆଦିଲ୍ଲୀସଂକଟ ସମୟରେ ଦେଶର କିଛି ବର୍ଗ ସବୁବେଳେ ଫାଇଦା ଉଠାଇବାରେ ଥାଏ। ଏହା ଇତିହାସରୁ ପ୍ରମାଣସିଦ୍ଧ। ଏଇ ଯେମିତି ବର୍ତ୍ତମାନ ଗ୍ୟାସ୍ ସଂକଟ ସମୟରେ ଲୋକେ କଳାବଜାରି କରି ଗ୍ୟାସ ଚଢ଼ା ଦରରେ ବିକିବା, କିମ୍ବା ଗ୍ୟାସ ଦର ବଢ଼ିବା ନାଁରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ଖାଦ୍ୟ ଦାମ ଅହେତୁକ ବୃଦ୍ଧି କରି ନିଜ ପକେଟ୍ ଗରମ କରିବା। ତେବେ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକର ଏଭଳି ଲାଭଖୋର ମାନସିକତାକୁ ନେଇ ଶକ୍ତ ହୋଇଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ। ଗ୍ରାହକଙ୍କ ଠାରୁ ଏଭଳି କୌଣସି ଦେୟ ନ ନେବାକୁ ପ୍ରାଧିକରଣ ହୋଟେଲ୍ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ଚେତାବନୀ ଜାରି କରିଛି।

ଖବର ଅନୁସାରେ, ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଗ୍ରାହକ ବିଲରେ 'ଏଲପିଜି ଚାର୍ଜ', 'ଗ୍ୟାସ୍ ସରଚାର୍ଜ' ଏବଂ 'ଇନ୍ଧନ ମୂଲ୍ୟ ଆଦାୟ' ଭଳି ଅତିରିକ୍ତ ଚାର୍ଜ ଯୋଡ଼ୁଛନ୍ତି। ଫଳରେ ହୋଟେଲରେ ଖାଇବା ପାଇଁ ଗ୍ରାହକଙ୍କୁ ମୋଟା ଅଙ୍କର ଚାର୍ଜ ଦେବାକୁ ପଡ଼ୁଛି। ବୁଧବାର ଏନେଇ ଚିନ୍ତା ବ୍ୟକ୍ତ କରିଛି ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ କହିଛି ଯେ ଏପରି ଅଭ୍ୟାସଗୁଡ଼ିକୁ ଅନୁଚିତ ବାଣିଜ୍ୟ ଅଭ୍ୟାସ ଭାବରେ ଚିହ୍ନଟ କରାଯାଇଛି।

ଅଟୋମେଟିକ ଚାର୍ଜ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି, କାର୍ଯ୍ୟାନୁଷ୍ଠାନ ଚେତାବନୀ

କର୍ତ୍ତୃପକ୍ଷଙ୍କ କହିବା କଥା ହେଲା ଯେ ଏହି ଅତିରିକ୍ତ ଶୁଳ୍କ ପ୍ରାୟତଃ ସ୍ୱୟଂଚାଳିତ ଭାବରେ ଲାଗୁ ହୋଇଥାଏ। ଏପରି କରିବା ଦ୍ୱାରା ହୋଟେଲ ପ୍ରତିଷ୍ଠାନଗୁଡ଼ିକ ନିୟମକୁ ଏଡ଼ାଇବାକୁ ସୁଯୋଗ ପାଆନ୍ତି। ତେଣୁ ବିଲ୍‌ରେ ଡିଫଲ୍ଟ ଭାବରେ ଏପରି କୌଣସି ଶୁଳ୍କ ଯୋଡ଼ାଇଯିବା ଉଚିତ ନୁହେଁ ବୋଲି ସିସିପିଏ ନିର୍ଦ୍ଦେଶନାମା ଜାରି କରିଛି। କେବଳ ସେତିକି ନୁହେଁ, ଜାରି ହୋଇଥିବା ନିର୍ଦ୍ଦେଶାବଳୀର କୌଣସି ପ୍ରକାରର ଉଲ୍ଲଂଘନ କଲେ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସିସିପିଏ ଚେତାବନୀ ଦେଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

Also read- Switch to PNG or lose LPG: ୯୦ ଦିନ ଭିତରେ କରିବାକୁ ପଡିବ ପିଏନ୍ଜି କନେକ୍ସନ, ନ ହେଲେ ମିଳିବନି ଏଲ୍ପିଜି; କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

ଅଭିଯୋଗ ପରେ ତତ୍ପରତା

ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ଲୋକଙ୍କୁ ଏଭଳି ଲୁଟୁଥିବା ନେଇ ଏକାଧିକ ଲୋକେ ଜାତୀୟ ଗ୍ରାହକ ହେଲ୍ପଲାଇନ୍ ମାଧ୍ୟମରେ ଅନେକ ଅଭିଯୋଗ କରିଥିଲେ। ମିଡିଆରେ ମଧ୍ୟ ଏନେଇ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। କେତେକ ପ୍ରତିଷ୍ଠାନ ତାଲିକାଭୁକ୍ତ ମେନୁ ମୂଲ୍ୟ ଏବଂ ପ୍ରଯୁଜ୍ୟ ଟିକସ ସହିତ ଏହି ଶୁଳ୍କ ଯୋଡୁଥିବା ଖବର ଆସିବା ପରେ ସିସିପିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସିସିପି କହିଛନ୍ତି ଯେ ଏପରି ଅଭ୍ୟାସଗୁଡ଼ିକ ସ୍ୱଚ୍ଛ ନୁହେଁ ଏବଂ ଗ୍ରାହକମାନଙ୍କ ଉପରେ ଅନୁଚିତ ଆର୍ଥିକ ବୋଝ ପକାଇଥାଏ। ଇନ୍ଧନ, ଏଲପିଜି, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ନିୟମିତ ବ୍ୟବସାୟିକ କାର୍ଯ୍ୟର ଏକ ଅଂଶ ଏବଂ ଏହାକୁ ପୂର୍ବରୁ ମେନୁ ମୂଲ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ପୃଥକ ବାଧ୍ୟତାମୂଳକ ଚାର୍ଜ ମାଧ୍ୟମରେ ଏହି ଖର୍ଚ୍ଚ ଆଦାୟ କରିବା ଏକ ଅନୁଚିତ ବାଣିଜ୍ୟ ଅଭ୍ୟାସ ବୋଲି କର୍ତ୍ତୃପକ୍ଷ ହକହିଛନ୍ତି। 

CCPA ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ୱୟଂଚାଳିତ ଭାବରେ ଏହି ଶୁଳ୍କ ଲାଗୁ କରିବେ ନାହିଁ। ପ୍ରଯୁଜ୍ୟ ଟିକସ ବ୍ୟତୀତ ମେନୁ ମୂଲ୍ୟ ହିଁ ଫାଇନାଲ୍ ହେବା ଉଚିତ। ଗ୍ରାହକମାନଙ୍କୁ ଭ୍ରମିତ କରାଯିବା ଉଚିତ୍ ନୁହେଁ କିମ୍ବା ଏପରି କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ବାଧ୍ୟ କରାଯିବା ଉଚିତ୍ ନୁହେଁ ବୋଲି ନିର୍ଦ୍ଦେଶନାମରେ କୁହାଯାଇଛି।

ପଢ଼ନ୍ତୁ- Fact Check: ୪୫, ୩୫ ନା ୨୫ ଦିନ… କେବେ ମିଳିବ ସିଲିଣ୍ଡର ? ସୋସିଆଲ ମିଡିଆରେ ଦାବି ପରେ ସରକାର ଦେଲେ ସ୍ପଷ୍ଟୀକରଣ

ହୋଟେଲଗୁଡ଼ିକ ଉପରେ ରହିଛି ନଜର, କେମିତି କରିବେ ଅଭିଯୋଗ ?

ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ଚେତାବନୀ ଦେଇ ସିସିପିଏ କହିଛନ୍ତି ଯେ ଆମେ ସାରା ଦେଶରେ ଏପରି ଅଭ୍ୟାସ କରୁଥିବା ସଂସ୍ଥା ଉପରେ ନିକଟରୁ ନଜର ରଖୁଛୁ। ଗ୍ରାହକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଯେଉଁ ଗ୍ରାହକମାନେ ଏପରି ଶୁଳ୍କ ପାଉଛନ୍ତି ସେମାନେ ସେମାନଙ୍କ ବିଲରୁ ଏହାକୁ ହଟାଇବା ପାଇଁ କହିପାରିବେ। ସେମାନେ ୧୯୧୫ ନମ୍ବରରେ ଡାଏଲ୍ କରି କିମ୍ବା ଏହାର ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଜାତୀୟ ଗ୍ରାହକ ହେଲ୍ପଲାଇନ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଏହା ବ୍ୟତୀତ, ଗ୍ରାହକମାନେ ଇ-ଜାଗୃତି ପୋର୍ଟାଲ୍ ମାଧ୍ୟମରେ ଗ୍ରାହକ କମିଶନଙ୍କ ପାଖକୁ ଯାଇପାରିବେ କିମ୍ବା ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ବା ସିଧାସଳଖ CCPA କୁ ଅଭିଯୋଗ ଦାଖଲ କରିପାରିବେ।