ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (CBI) କୁ ମିଳିଛି ବଡ଼ ସଫଳତା। ଦୀର୍ଘ ୪ ବର୍ଷ ଧରି ଆଇନ ଚକମା ଦେଇ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଦେବବ୍ରତ ଦତ୍ତଙ୍କୁ ଗିରଫ କରିଛି ସିବିଆଇ। ପଶ୍ଚିମବଙ୍ଗର ଶିଲିଗୁଡ଼ି ଅଞ୍ଚଳରୁ ସ୍ୱତନ୍ତ୍ର ଟିମ୍ ତାଙ୍କୁ କାବୁ କରିଛି।

ଅଭିଯୁକ୍ତ ଦେବବ୍ରତ ଦତ୍ତ 'ଡିଏନବି ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍‌' ନାମକ ସଂସ୍ଥାର ମାଲିକ ଥିଲେ। ସେ ଅନ୍ୟ ସହଯୋଗୀମାନଙ୍କ ସହ ଅପରାଧିକ ଷଡ଼ଯନ୍ତ୍ର ରଚି ସାଧାରଣ ଜମାକାରୀଙ୍କୁ ଅଧିକ ସୁଧର ପ୍ରଲୋଭନ ଦେଖାଇ ବେଆଇନ ଭାବେ ୧୭ କୋଟି ୨୨ ଲକ୍ଷ ୩୯ ହଜାର ୪୫୩ ଟଙ୍କା ସଂଗ୍ରହ କରି ହଡ଼ପ କରିଥିବା ଅଭିଯୋଗ ରହିଛି।

Also Read: କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ତଦନ୍ତ ଆରମ୍ଭ ହେବା ପରଠାରୁ ଦେବବ୍ରତ ସିବିଆଇକୁ ସହଯୋଗ ନକରି ଲଗାତାର ଫେରାର ହୋଇଯାଇଥିଲେ। ୨୦୨୨ ଦିସେମ୍ବର ୨୬ ରେ ଦାଖଲ ଚାର୍ଜସିଟ୍‌ (RC 10(S)/2014-Kol) ରେ ତାଙ୍କୁ ଫେରାର ଘୋଷଣା କରାଯାଇଥିଲା। ତାଙ୍କ ବିରୋଧରେ IPC ଏବଂ ପ୍ରାଇଜ୍ ଚିଟ୍ସ ଏଣ୍ଡ ମନି ସର୍କୁଲେସନ୍ ସ୍କିମ୍ସ (ବ୍ୟାନିଂ) ଆକ୍ଟ, ୧୯୭୮ ଅଧୀନରେ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ ଅଗଷ୍ଟ ୫ ରେ ଅଦାଲତ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା  ଜାରି କରିଥିଲେ।

ଗୁପ୍ତ ସୂଚନା ଓ ଟେକ୍ନିକାଲ୍ ସର୍ଭେଲାନ୍ସ ଆଧାରରେ ସିବିଆଇ ଟିମ୍ ୨୮ ଅଗଷ୍ଟ ୨୦୨୬ ରେ ଶିଲିଗୁଡ଼ିରୁ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଥିବା ବେଳେ ଖୁବ୍‌ଶୀଘ୍ର ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ।