ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀ ମଠରେ ଶୁକ୍ରବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଯାତ୍ରା କରୁଥିଲେ ଓ ହେଲିକପ୍ଟରଟି ବଦ୍ରିନାଥରୁ ଡେରାଡୁନ ଫେରୁଥିଲା। ପ୍ରଥମେ ହେଲିକପ୍ଟର ନିଖୋଜ ହୋଇଯାଇଥିବାର ସୂଚନା ଆସିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆକାଶ ମାର୍ଗରୁ ହେଲିକପ୍ଟରକୁ ଖୋଜା ଯାଇଥିଲେ ଓ ଚାଇଁ ଗାଁ ନିକଟରେ ଧୂଆଁ ଦେଖାଯାଇଥିଲା। ଏହି ହେଲିକପ୍ଟରରେ ଯାତ୍ରା କରୁଥିବା ୫ ଜଣ ବେଙ୍ଗାଲୁରୁର ଥିଲେ ଓ ଏହାକୁ ଉଡାଉଥିବା ପାଇଲଟ ଦିଲ୍ଲୀର ଥିଲେ।

ହେଲିକପ୍ଟର ପାଇଲଟ ହିମାଂଶୁ ସଭରୱାଲ (୪୮) ପଶ୍ଚିମ ଦିଲ୍ଲୀ ଶାଲିମାରବାଗ ଅଞ୍ଚଳର ବାସିନ୍ଦା। ସେହିପରି ଯାତ୍ରୀଙ୍କ ମଧ୍ୟରେ ପ୍ରତାପ ବି.ନିଙ୍ଗାରାଜୁ (୪୧), ଅଋଣ ସାଲୁଂକେ(୪୪), ସୁଧିର କେ.(୪୯), ଏଚ.ଏସ୍.ନଟରାଜ (୫୧) ଓ ଶଙ୍କର ଗୌଡ଼ା ଭି.ବି (୩୯) ବେଙ୍ଗାଲୁରୁର ବାସିନ୍ଦା। ଏମାନଙ୍କ ମଧ୍ୟରେ ସାଲୁଙ୍କେ ଜଣେ ପୋଲିସ ଅଫିସର ଥିଲେ ଓ ଶଙ୍କର ଗୌଡ଼ା ଜଣେ ଓକିଲ ଥିଲେ। ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ବିଶେଷ ସୂଚନା ହସ୍ତଗତ ହୋଇ ନାହିଁ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ହେଲିକପ୍ଟରଟି ଟ୍ରାନ୍ସ ଭାରତ ଏଭିଏସନରଥିଲା ଓ ଏହାର ରେଜିଷ୍ଟ୍ରେସନ ନମ୍ବର VT-HCX। ଏହି ହେଲିକପ୍ଟରଟି ମଧ୍ୟାହ୍ନ ୧ଟା ୧୪ ମିନିଟ୍ ରେ ବଦ୍ରିନାଥରୁ ଉଡାଣ କରିଥିଲା। ଶେଷ ଥର ପାଇଁ ହେଲିକପ୍ଟର ଯୋଶୀ ମଠ ସାମ୍ନା ହାତୀ ପାହାଡ ଉପରେ ଆର୍ମି ପୋଷ୍ଟ ପାଖରେ ରାଡାର ସମ୍ପର୍କରେ ଥିଲା। ଚାମୋଲୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଗୌରବ କୁମାର କହିଛନ୍ତି ଯେ ପାଗ ଖରାପ ଥିବାରୁ ଉଦ୍ଧାର ଅପରେସନରେ ବାଧା ଉପୁଜୁଛି। ତୁହାକୁ ତୁହା ବର୍ଷା ଓ ବାଦଲ ଛାଇ ରହିବା କାରଣରୁ ଅଞ୍ଚଳର ଭିଜିବିଲିଟି ଉପରେ ପ୍ରଭାବ ପଡୁଛି। ଏଣୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଯାତ୍ରୀଙ୍କ ଶବ ଜବତ ହୋଇଥିଲେ ବି ଉଦ୍ଧାର ହୋଇ ପାରିନି।