ବାରାଣସୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପପୁ ଯାଦବ ଏବଂ ସାଂସଦ ଅବଧେଶ ପ୍ରସାଦଙ୍କ ବିରୁଦ୍ଧରେ ବାରାଣସୀରେ ମାମଲା ରୁଜୁ ହୋଇଛି । ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ ସହ ଏହି ମାମଲା ଜଡ଼ିତ । ସଂସଦ ଭବନରେ ରାମମନ୍ଦିର ଦାନରାଶି ଚୋରି ଉପରେ ବିରୋଧ ପ୍ରଦର୍ଶନ ବେଳେ ପପୁ ଯାଦବ ଗେରୁଆ ପୋଷକ ପିନ୍ଧି ସାଧୁ ବେଶରେ ଆସିଥିଲେ । ଏହି ସମୟରେ ପ୍ରତୀକାତ୍ମକ ଭାବେ ଦାନ ପାତ୍ର ଧରି ବସିଥିଲେ । ରାହୁଲ ଗାନ୍ଧୀ ଦାନ ପାତ୍ରରେ କିଛି ନୋଟ୍ ପକାଆଇଥିଲେ । ପରେ ସେହି ବାକ୍ସକୁ ଧରି ପପୁ ଯାଦବ ଦୌଡ଼ି ପଳାଇଥିଲେ । ଏପରି କରି ଦାନରାଶି ଚୋରିକୁ ଚିତ୍ରଣ କରିବା ପାଇଁ ପ୍ରସାୟ କରାଯାଇଥିଲା । ବିଜେପି ସହିତ ବିଭିନ୍ନ ସଂଗଠନ ଏହାକୁ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ, ବର୍ତ୍ତମାନ ତିନି ନେତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ।

ସାଧୁମାନଙ୍କ ଅଭିଯୋଗ ଆଧାରରେ, ବାରାଣସୀର କୋତୱାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ତିନିଜଣ ସାଂସଦଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବାର ଅଭିଯୋଗ ଆସିଛି । ବହୁ ସଂଖ୍ୟକ ସାଧୁ ଏହି ମାମଲାରେ ନିଜର ଆପତ୍ତି ପ୍ରକାଶ କରିଛନ୍ତି । ଏହା ବ୍ୟତୀତ, ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ସଂଗଠନ କହିଛନ୍ତି ଯେ ଲୋକଙ୍କୁ ଗେରୁଆ ପୋଷାକ ପିନ୍ଧି ଚୋରି କରୁଥିବା ଚିତ୍ରଣ କରିବା ହିନ୍ଦୁମାନଙ୍କ ପ୍ରତି ଅପମାନ । ବାରାଣସୀର କିଛି ସାଧୁ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ।

ସେପଟେ ରାଜନୀତି ବିଶେଷଜ୍ଞ ମତ, ପପୁ ଯାଦବ, ରାହୁଲ ଗାନ୍ଧୀ ଏବଂ ଅବଧେଶ ପ୍ରସାଦଙ୍କ ଏହି କାମ ଇଣ୍ଡି ମେଣ୍ଟକୁ କ୍ଷତି ପହଞ୍ଚାଇପାରେ । ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ସିଧାସଳଖ ହିନ୍ଦୁମାନଙ୍କୁ ଅପମାନିତ କରିବା ସହିତ ଯୋଡ଼ିଛନ୍ତି । ପୂର୍ବତନ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ପ୍ରଶ୍ନ କରିଛନ୍ତି ଯେ ଅନ୍ୟ କୌଣସି ଧର୍ମ ସହିତ ଜଡିତ ଚୋରି ଘଟଣାକୁ ସମାନ ପୋଷାକ ପିନ୍ଧି ଚିତ୍ରିତ କରାଯାଇପାରିଥାନ୍ତା କି ? ବିଶ୍ୱ ହିନ୍ଦୁ ପରିଷଦ ନେତା ଆଲୋକ କୁମାର ମଧ୍ୟ ଏଥିରେ ଆପତ୍ତି ପ୍ରକାଶ କରିଛନ୍ତି ।