ନୂଆଦିଲ୍ଲୀ, ୧୦/୧୨:ରୋ-କୋଙ୍କ ସମର୍ଥନରେ ହରଭଜନ ସିଂ । ଦକ୍ଷିଣ ଆଫ୍ରିକା ସିରିଜରେ ଦମଦାର ପ୍ରଦର୍ଶନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଉଭୟଙ୍କୁ ପୂର୍ବରୁ ନନ୍ କମିଟେଡ୍ ପ୍ଲେୟାର ବୋଲି ବିସିସିଆଇ କହିଥିଲା । କିନ୍ତୁ ସେମାନେ ବ୍ୟାଟରେ ଜବାବ ଦେଇଛନ୍ତି । ଯାହା ପରେ୨୦୨୭ ବିଶ୍ୱକପ୍ ଖେଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ଭିତରେ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ ।

ହରଭଜନ ସିଂ କହିଛନ୍ତି ଯେ,୨୦୨୭ବିଶ୍ୱକପ୍ ଟିମ୍ ସିଲେକ୍ସନରେ ରୋ-କୋ ପ୍ରଥମେ ସାମିଲ ହେବା ଦରକାର । ତାଙ୍କ ନାଁ ସବୁଠୁଆଗରେ ରହିବା ଉଚିତ । ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ରୋହିତଙ୍କ ବ୍ୟାଟରୁ ଚିତାକର୍ଷକ ଅର୍ଧ ଶତକ ବାହାରିଛି । ବିରାଟ ମଧ୍ୟ ରାଞ୍ଚି ଏବଂ ରାୟପୁରରେ ଲଗାତର ଶତକ ଲଗାଇଛନ୍ତି ।

ନିଜ ୟୁଟ୍ୟୁବ ଚ୍ୟାନେଲରେ ହରଭଜନ କହିଛନ୍ତି ଯେ, ଯୁବ ଖେଳାଳିଙ୍କୁ ଅଧିକ ଫୋକସ କରି କୋଚ୍ ଗୌତମ ଗମ୍ଭୀର ଏବଂ ଚୟନକର୍ତ୍ତା ଅଜିତ ଅଗରକର ଅଭିଜ୍ଞତାକୁ ଅଣଦେଖା କରିବା ଠିକ୍ ନୁହେଁ । ଏହା ବଡ ମ୍ୟାଚରେ ଦଳକୁ କ୍ଷତି କରିବ । ଏବେ ଦଳରେ ବିରାଟ ଏବଂ ରୋହିତଙ୍କଠୁ ଭଲ ଏବଂ ବଡ ଖେଳାଳି ନାହାଁନ୍ତି । ତେଣୁ ସେମାନଙ୍କୁ ଦଳରୁ ବାଦ୍ ଦେବା ଠିକ୍ ନୁହେଁ । ସେମାନଙ୍କ ଅଭିଜ୍ଞତାକୁ ନଜର ଅନ୍ଦାଜ କଲେ ଆଗାମୀ ଦିନରେ ଦଳ ବୁଡିଯିବ ।୨୦୨୭ବିଶ୍ୱକପ୍ ସେମାନେ ନିଶ୍ଚୟ ଖେଳିବା ଦରକାର । ଏହାପରେ ତାଙ୍କୁ ଆଉ ବିଶ୍ୱ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ ।

ହରଭଜନ ଆହୁରି କହିଛନ୍ତିଯେ, ଯେପରି ଭାବେ ରୋହିତ କୋହଲି ବ୍ୟାଟିଂ କରନ୍ତି ତାହା ବିପକ୍ଷ ଟିମରେ ଭୟର ବାତାବରଣ ତିଆରି କରେ । ଯୁବ ଖେଳାଳିଙ୍କୁ ଦଳରେ ମିଶାଇବା ଠିକ୍ କିନ୍ତୁ ରୋ-କୋଙ୍କୁ ବାଦ୍ ଦେବା ଭଲ କଥା ନୁହେଁ । ଗତ ବିଶ୍ୱକପରେ ସେମାନେ ଫାଇନାଲରେ ପରାସ୍ତ ହୋଇଥିଲେ । ପିଚ୍ ପାଇଁ ଭାରତୀୟ ଦଳ ଖେଳିପାରିଲା ନାହିଁ । କିନ୍ତୁ ରୋହିତଙ୍କ ନେତୃତ୍ୱରେ ଦଳ ଯେପରି ଖେଳିଥିଲା ତାହା ଅବିଶ୍ୱସନୀୟ । ତେଣୁ ଆସନ୍ତା ବିଶ୍ୱକପ୍ ପାଇଁ ପ୍ରଥମେ ରୋହିତ ଏବଂ କୋହିଲଙ୍କୁ ସାମିଲ କରାଯାଉ । ପରେ ଅନ୍ୟ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ବିରାଟ ୩୦୨ ରନ୍ କରି ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଥିଲେ । ସେହିପରି ରୋହିତ୧୪୮ରନ୍ ସଂଗ୍ରହ କରିଥିଲେ ।୧୧୦ଷ୍ଟ୍ରାଇକ୍ ରେଟରେ ରୋହିତଙ୍କ ବ୍ୟାଟରୁ ରନ୍ ବାହାରିଥିଲା ।