କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କୋଲକାତା ହାଇକୋର୍ଟ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି, ଏହା ସହିତ କୋର୍ଟ ନିର୍ବାଚନ ଆୟୋଗଙ୍କ ସେହି ନିଷ୍ପତ୍ତିକୁ ବାତିଲ କରିଦେଇଛନ୍ତି ଯେଉଁଥିରେ ସରକାରୀ ମହାବିଦ୍ୟାଳୟଙ୍କ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସରଙ୍କୁ ନିର୍ବାଚନରେ ପୀଠାସୀନ ଅଧିକାରୀ ରୂପେ ନିଯୁକ୍ତ କରା ଯାଇଥିଲା। କୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏପରି କୌଣସି ପ୍ରମାଣ ଦେଇ ପାରିନାହାନ୍ତି ଯେଉଁଥିରେ ଏହା ସାବ୍ୟସ୍ତ ହୋଇ ପାରିବ ଯେ କଲେଜ ପ୍ରଫେସରଙ୍କୁ ପୋଲିଂ ବୁଥମାନଙ୍କରେ ନିଯୁକ୍ତି କରିବା ଜରୁରି ଥିଲା।

ଲାଇଭ ଲ ରିପୋର୍ଟ ଅନୁସାରେ କଲେଜ ଶିକ୍ଷକଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଂସ୍ଥା କୋଲକାତା ହାଇକୋର୍ଟରେ ଏ ନେଇ ଏକ ରିଟ୍ ପିଟିସନ ଦାଖଲ କରିଥିଲା। ଏହି ଆବେଦନରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରାଯାଇଥିଲା। ଏହା ବି କୁହାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ଗୃପ-ଏ ସମକକ୍ଷ ଅଧିକାରୀ(ଯେପରି କଲେଜ ଟିଚିଂଷ୍ଟାଫ) ଙ୍କୁ ପୋଲିଂ ଡ୍ୟୁଟିରେ ସେବେ ଲଗା ଯାଇ ପାରିବ, ଯେତେବେଳେ ତା ପଛର ଜରୁରୀ କାରଣ ଲେଖି କରି ଦିଆଯିବ।

ଏହି ଆବେଦନର ବିଚାର କରୁଥିବା ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ କୃଷ୍ଣା ରାଓ କହିଛନ୍ତି ଯେ ନିର୍ବାଚନ ଆୟୋଗ ତାଙ୍କ ନିଷ୍ପତ୍ତି ଉଚିତ ବୋଲି ସାବ୍ୟସ୍ତ କରିବାକୁ ବିଫଳ ହୋଇଛନ୍ତି। କୋର୍ଟ ଏହା ବି କହିଛନ୍ତି ଯେ ଅଧିକାରୀମାନଙ୍କୁ ନିଯୁକ୍ତି କରିବାକୁ ନିର୍ବାଚନ ଆୟୋଗଙ୍କ ଶକ୍ତି ରହିଛି, ତେବେ ତାଙ୍କୁ ନିଜ ନିୟମ ପାଳନ କରିବାକୁ ହେବ। କୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗ ଫେବୃଆରୀ ୨୦୧୦ ନିଜ ସର୍କୁଲାରର ଉଲ୍ଲଂଘନ କରିଛନ୍ତି। ଏଥିରେ କୁହାଯାଇଥିଲା ଯେ ଗୃପ-ଏ ସମକକ୍ଷ ଅଧିକାରୀଙ୍କୁ ନିର୍ବାଚନ ଡ୍ୟୁଟିରେ ମୁତୟନ କରାଯିବା ଉଚିତ ନୁହେଁ, ଯେଉଁ ପର୍ଯ୍ୟନ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଲିଖିତ ରୂପେ କୌଣସି ଖାସ କାରଣ ନ ଜଣାଇଛନ୍ତି। ଏଣୁ ପୋଲିଂ ବୁଥରେ ପିଠାସୀନ ଅଧିକାରୀ ରୂପେ ପିଟିସନରଙ୍କ ନିଯୁକ୍ତି ରଦ୍ଦ କରାଯାଉଛି।

ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖ ଶୁଣାଣିରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏପରି କାରଣ ଦର୍ଶାଉଥିବା ଡକ୍ୟୁମେଣ୍ଟ ମାଗିଥିଲେ ଯେଉଁଥିରେ ପ୍ରଫେସରଙ୍କୁ ପୋଲିଂ ଅଧିକାରୀ କରିବା ଜରୁରି। ୧୬ ଏପ୍ରିଲ ଶୁଣାଣିରେ ଆୟୋଗ ଏପରି କୌଣସି ଡକ୍ୟୁମେଣ୍ଟ ଉପସ୍ଥାପନ କରିପାରିନଥିଲେ। ତେବେ କୋର୍ଟ ଆୟୋଗଙ୍କୁ ଏକ ସୁଯୋଗ ଦେଇଥିଲେ ଓ ଶୁକ୍ରବାର ଜବାବ ଦେବାକୁ କହିଥିଲେ। ହେଲେ ଶୁକ୍ରବାର ଶୁଣାଣିରେ ଆୟୋଗ ନିଜ ଗାଇଡଲାଇନ ନିଜେ ପାଳନ କରିନଥିବା କୋର୍ଟ ଦେଖିବାକୁ ପାଇଥିଲେ।

କୋଲକାତା ହାଇକୋର୍ଟର ଲାଇଭ ଷ୍ଟ୍ରିମିଂ ଅନୁସାରେ ୧୬ ଏପ୍ରିଲ ଶୁଣାଣି କାଳରେ ଜଷ୍ଟିସ୍ ରାଓ କଡ଼ା ଟିପଣୀ କରି କହିଥିଲେ ଯେ ‘ଆପଣ ଲୋକପ୍ରତିନିଧି ଅଧିନିୟମ ଧାରା ୨୬ ଅନୁସାରେ ନ୍ୟାୟାଳୟଙ୍କ ଜଜ୍ ଙ୍କୁ ମଧ୍ୟ ମତଦାନ ଅଧିକାରୀ ନିଯୁକ୍ତ କରିପାରିବେ.. ଏଥି ପାଇଁ ମୁଁ ନିଜେ ବି ଯିବାକୁ ପ୍ରସ୍ତୁତ। ତେବେ ଏହା କୌଣସି ପରିହାସ ନୁହେଁ, ଆପଣ ପ୍ରତ୍ୟେକ ଥର ନିଜ ନୋଟିଫିକେସନ ବଦଳାଉଛନ୍ତି’। ତେବେ କୋର୍ଟ ସେହି ପ୍ରଫେସରମାନଙ୍କୁ ପୀଠାସୀନ ଅଧିକାରୀ ଭାବେ ଡ୍ୟୁଟିରୁ ରିହାତି ଦେଇଛନ୍ତି ଯେଉଁମାନେ ଏଥି ପାଇଁ ପ୍ରଶିକ୍ଷଣ ନେଇଥିଲେ ଓ ନିର୍ବାଚନ ଡ୍ୟୁଟି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।

ତେବେ କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ଆବେଦନକାରୀ (କଲେଜ ପ୍ରଫେସର)ମାନଙ୍କୁ ସେମାନଙ୍କ ପଦ, ବେତନ ଓ ସ୍ଥିତି ଅନୁସାରେ କୌଣସି ନୂଆ ଦାୟିତ୍ୱ ଦେଇ ପାରନ୍ତି।