ଉମରକୋଟ ୨୨।୧୧: ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଠୋର ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଉମରକୋଟ ସହରର ସ୍ଥିତ କେନାଲ ସାହି ଓ ଡିଏନ୍‌କେ (DNK) ଅଞ୍ଚଳରେ ସରକାରୀ ଜାଗା ମାଡ଼ି ବସି ଗଢ଼ିଉଠିଥିବା ବେଆଇନ ଘର ଏବଂ ମଦ ଦୋକାନକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଇଛି ପୌର ପ୍ରଶାସନ ।

ସୂଚନା ଅନୁଯାୟୀ, ଉମରକୋଟ ପୌରାଞ୍ଚଳର କେନାଲ ସାହିରେ ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ଘର ନିର୍ମାଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ବୁଲଡୋଜର ସହାୟତାରେ ଏହି ଜବରଦଖଲ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । କେବଳ ସେତିକି ନୁହେଁ, ସ୍ଥାନୀୟ ଡିଏନ୍‌କେ (DNK) ସ୍ଥିତ ଏକ ସରକାରୀ ଦୋକାନ ଗୃହକୁ ଦଖଲ କରି ସେଠାରେ ବେନିୟମ ଭାବେ ମଦ ବିକ୍ରି ଚାଲୁଥିବା ଅଭିଯୋଗ ହୋଇଥିଲା । ଆଜି ପ୍ରଶାସନ ପକ୍ଷରୁ ସେହି ବେଆଇନ ଦୋକାନ ଘରକୁ ମଧ୍ୟ ବୁଲଡୋଜର ଲଗାଇ ଭଙ୍ଗାଯାଇଛି ।

​​​​​​​

ତେବେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ସମ୍ପୃକ୍ତ ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା, ଫଳରେ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ସହ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଉମରକୋଟ ତହସିଲଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ASP), ଏସ୍‌ଡିପିଓ (SDPO) ଏବଂ ପୌର ନିର୍ବାହୀ ଅଧିକାରୀ (EO) ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ ।