ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଲିଟର ପିଛା ୧୦ ଟଙ୍କା ଦରରେ ଗୋମୂତ୍ର କ୍ରୟର ଏକ ପାଇଲଟ୍ ପ୍ରୋଜେକ୍ଟ (Pilot Project) ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ଦୂରଦୃଷ୍ଟି ଅନୁଯାୟୀ ଗୋ-ସଂରକ୍ଷଣ, ଜୈବିକ ଚାଷ ଏବଂ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଫ୍.ପି.ଓ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ । ଖୁବଶୀଘ୍ର ଏହାକୁ ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ଲାଗୁ କରାଯିବ।

ଆଜତକ୍ ରିପୋର୍ଟ ଅନୁଯାୟୀ, ବୁଲନ୍ଦସହରର ସ୍ୟାନା ତହସିଲର ନରସୈନା ଗାଁରେ ଡକ୍ଟର ପ୍ରବୀଣଙ୍କ ନେତୃତ୍ୱରେ କୃଷକ ଉତ୍ପାଦକ ସଂଗଠନ ଏହି ପଦକ୍ଷେପ ଆରମ୍ଭ କରିଛି । ଏହା ଅଧୀନରେ ଆଖପାଖର ୧୫ଟି ଗାଁକୁ ଯୋଡ଼ି ଗୋମୂତ୍ର ଡାଏରୀ ଏବଂ ସ୍ଥାନୀୟ ସଂଗ୍ରହ କେନ୍ଦ୍ର ତିଆରି କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୫୦୦ ଲିଟର ଗୋମୂତ୍ର ସଂଗ୍ରହ କରାଯାଉଛି । ଭବିଷ୍ୟତରେ ଏହି କ୍ରୟ ଦରକୁ ବୃଦ୍ଧି କରି ଲିଟର ପିଛା ୨୦ ଟଙ୍କା କରିବାକୁ ମଧ୍ୟ ଯୋଜନା କରାଯାଇଛି ।

ଗୋମୂତ୍ର ସହଜରେ ସଂଗ୍ରହ କରିବା ପାଇଁ ଗାଁଗୁଡ଼ିକରେ ୨୦୦ ଲିଟର କ୍ଷମତାବିଶିଷ୍ଟ ସ୍ୱତନ୍ତ୍ର ଟ୍ୟାଙ୍କ ଲଗାଯାଇଛି । ଏହାଦ୍ୱାରା ପଶୁପାଳକମାନଙ୍କୁ ନିଜର ଉତ୍ପାଦ ବିକ୍ରି କରିବା ପାଇଁ ଦୂରକୁ ଯିବାକୁ ପଡ଼ୁନାହିଁ ଏବଂ ଗାଁରେ ହିଁ ବିକ୍ରି କରିବାର ସୁବିଧା ମିଳିପାରୁଛି । ସ୍ଥାନୀୟ ସ୍ତରରେ ଏହି ବ୍ୟବସ୍ଥା ଉପଲବ୍ଧ ହେବା ଯୋଗୁଁ ଗ୍ରାମବାସୀ ଏବଂ ବିଶେଷ କରି ମହିଳାମାନଙ୍କୁ ଏହି ଯୋଜନା ସହ ଯୋଡ଼ିବା ବହୁତ ସହଜ ହୋଇଛି ।

୩୦୦ ମହିଳାଙ୍କୁ କରାଗଲା ସେୟାରହୋଲ୍ଡର

ଏହି ସମ୍ପୂର୍ଣ୍ଣ ଆର୍ଥିକ ମଡେଲରେ ଗ୍ରାମୀଣ ମହିଳାମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଦ୍ଧାରଣ କରାଯାଇଛି। ପ୍ରାୟ ୩୦୦ ମହିଳାଙ୍କୁ ଏହି ପଦକ୍ଷେପ ସହିତ ଯୋଡ଼ି ସେୟାରହୋଲ୍ଡର କରାଯାଇଛି । ଗୋମୂତ୍ର ସଂଗ୍ରହରେ ସହଯୋଗ କରିବା ପାଇଁ ମହିଳାମାନଙ୍କୁ ଲିଟର ପିଛା ୨ ଟଙ୍କା କମିଶନ ଦିଆଯାଉଛି । ଏହି ବ୍ୟବସ୍ଥା ମହିଳାମାନଙ୍କ ପାଇଁ ଗାଁରେ ରହି ନିୟମିତ ଏବଂ ଅତିରିକ୍ତ ରୋଜଗାରର ଏକ ନୂଆ ମାଧ୍ୟମ ପାଲଟିଛି ।

ସଂଗୃହିତ ଗୋମୂତ୍ରରେ ବିଭିନ୍ନ ଜଡ଼ିବୁଟି ମିଶାଇ ଚାଷ ପାଇଁ ଉପଯୋଗୀ ଏବଂ ରାସାୟନିକ-ମୁକ୍ତ କୀଟନାଶକ ଓ ଔଷଧ ପ୍ରସ୍ତୁତ କରାଯାଉଛି । ତିଆରି ହୋଇଥିବା ଉତ୍ପାଦଗୁଡ଼ିକୁ ସମିତିଗୁଡ଼ିକ ମାଧ୍ୟମରେ କୃଷକମାନଙ୍କ ପାଖରେ ପହଞ୍ଚାଯାଉଛି । ଗୋ-ସେବା ଆୟୋଗର ଅଧ୍ୟକ୍ଷ ଶ୍ୟାମ ବିହାରୀ ଗୁପ୍ତାଙ୍କ ଅନୁସାରେ, ଏହି ମଡେଲ୍ ରାସାୟନିକ ଉତ୍ପାଦର ବିକଳ୍ପ ଦେବା ସହିତ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବ । ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ଏହାର ସମ୍ପ୍ରସାରଣ ସମ୍ପୂର୍ଣ୍ଣ ରାଜ୍ୟସାରା କରାଯିବ ।