କାନପୁର: ପାଠରେ ନମ୍ବର ୱାନ। ଗୋଲ୍ଡ ମେଡାଲିଷ୍ଟ। ହେଲେ ୫୦ ଥର ଚେଷ୍ଟା ସତ୍ତ୍ୱେ ବି ମିଳିଲାନି ସରକାରୀ ଚାକିରି। ବାରମ୍ବାର ବିଫଳତା, ମାନସିକ ଚାପ ଓ ଭାଙ୍ଗିଯାଇଥିବା ସ୍ୱପ୍ନ ନେଇ ଶେଷରେ ଫାସୀ ଦଉଡ଼ିରେ ଝୁଲିପଡ଼ିଲେ ଯୁବକ। ଦେଶର ଅବ୍ୟବସ୍ଥାର ଅନ୍ଧାର ଭିତରେ ବୁଡ଼ିଗଲା ପୁଣି ଏକ ସୂର୍ଯ୍ୟ। ଉତ୍ତର ପ୍ରଦେଶର କାନପୁରରେ ୨୩ ବର୍ଷୀୟ ବିଟେକ୍ ସ୍ୱର୍ଣ୍ଣ ପଦକ ବିଜେତା ଆନନ୍ଦ ଆତ୍ମହତ୍ୟା ଘଟଣା କେବଳ ଗୋଟିଏ ପରିବାରକୁ ନୁହେଁ, ସମଗ୍ର ଦେଶରେ ସରକାରୀ ଚାକିରିକୁ ନେଇ ଥିବା ଅନିଶ୍ଚିତତା ଓ ଯୁବପିଢ଼ିର ମାନସିକ ଚାପ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ପୋଲିସ ସୂଚନା ଅନୁସାରେ, ଆନନ୍ଦ କାନପୁରର ଗୋବିନ୍ଦ ନଗର ଥାନା ଅଧୀନ ଗୁଜୈନୀ ଅଞ୍ଚଳରେ ଥିବା ନିଜ ତିନି ମହଲା ଘରର କୋଠରୀର ଶନିବାର ସିଲିଂ ଫ୍ୟାନରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରର କାମ କରୁଥିବା ସହାୟକ ବାରମ୍ବାର କବାଟ ବାଡ଼େଇଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ପଡ଼ୋଶୀ ଓ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ଆନନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲା।

ଘଟଣାସ୍ଥଳରୁ ପୋଲିସ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ କରିଛି। ଯେଉଁଥିରେ ୫ଟି ଧାଡ଼ିରେ ଲେଖା ଅଛି "ସରି ବାପା... ସରକାରୀ ଚାକିରି ପାଇଁ ପ୍ରାୟ ୫୦ ଥର ଚେଷ୍ଟା କଲି, କିନ୍ତୁ ସଫଳ ହୋଇପାରିଲି ନାହିଁ। ମୋତେ କ୍ଷମା କରିଦିଅ।" ଏହି କିଛି ଧାଡ଼ି କେବଳ ଜଣେ ପୁଅର ଶେଷ କଥା ନୁହେଁ, ବରଂ ଲକ୍ଷ ଲକ୍ଷ ଚାକିରି ଆଶାୟୀ ଯୁବକଙ୍କ ଅସହାୟତାର ବିକଳ ଚିତ୍ର।

ଆନନ୍ଦ ୨୦୨୪ରେ ବେସରକାରୀ ଇଞ୍ଜିନିୟରିଂ କଲେଜ PSITରୁ ବିଟେକ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେ ପୂରା ଉତ୍ତର ପ୍ରଦେଶରେ ତୃତୀୟ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଥିଲେ। ୨୦୨୪ ଅଗଷ୍ଟ ୧୩ରେ ଆୟୋଜିତ କଲେଜ ସମାରୋହରେ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେତେବେଳେ ତାଙ୍କ ପରିବାର ଓ ପୁଅର ମେଧାବୀଗୁଣ ଖୁବ୍ ଗର୍ବ କରିଥିଲା। ହେଲେ ଆଜି ସେହି ପୁଅର ମୃତ୍ୟୁ ଖବର ତାଙ୍କ ପରିବାର ପାଇଁ ଅସହ୍ୟ ହୋଇପଡ଼ିଛି।

Also Read- ବିପର୍ଯ୍ୟସ୍ତ ବ୍ୟବସ୍ଥାର ଚରମ ସୀମା: ଡାକ୍ତରଖାନାରେ ରୋଗୀଙ୍କ ଉପରେ ପଡ଼ିଲା ସିଲିଂ ଫ୍ୟାନ, ଚାଲିଗଲା ଜୀବନ !

ପୁଲିସର ସୂଚନା ଅନୁସାରେ, ଘଟଣା ଘଟିବା ସମୟରେ ପରିବାର ଲୋକେ ବଡ଼ ପୁଅର ବାହାଘର ଠିକ୍ କରିବା ପାଇଁ ବିହାରର ବକ୍ସରକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗ ନେଇ ଆନନ୍ଦ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ କହିଛି।

ଆନନ୍ଦଙ୍କ ବାପା ରାଜକୁମାର, ଲୋହିୟା ପ୍ରାଇଭେଟ୍ ଲିମିଟେଡ୍ର ଜଣେ ଅବସରପ୍ରାପ୍ତ କର୍ମଚାରୀ। ବିହାରର ବକ୍ସରରେ ଘର। ପୁଅର ମୃତ୍ୟୁ ପରେ ରାଜକୁମାର ପୁଲିସକୁ ସୂଚନା ଦେଇ କହିଛନ୍ତି ଯେ ବିଟେକ୍ ପରେ ଆନନ୍ଦ ପାୱାର ଗ୍ରିଡ୍ରେ ଗୋଟିଏ ବର୍ଷର ଆପ୍ରେଣ୍ଟିସିପ୍ ଥିଲେ। ଏହାପରେ ତାକୁ ଛାଡ଼ି ସରକାରୀ ଚାକିରି ପାଇଁ ସେ ଫୁଲ ଟାଇମ ପ୍ରସ୍ତୁତି କରୁଥିଲେ। ରେଳବାଇ, ଏସଏସସି, ବ୍ୟାଙ୍କ ଓ ଶିକ୍ଷା ବିଭାଗର ଅନେକ ନିଯୁକ୍ତି ପରୀକ୍ଷା ଦେଇଥିଲେ ମଧ୍ୟ ପ୍ରତ୍ୟେକ ଥର ବିଫଳ ହୋଇଥିଲେ। ଲଗାତାର ବିଫଳତା ଯୋଗୁ ଆନନ୍ଦ ଗତ କିଛି ମାସ ହେବ ମାନସିକ ଚାପରେ ରହୁଥିଲେ ବୋଲି ତାଙ୍କ ବାପା କହିଛନ୍ତି।

ଗୋବିନ୍ଦ ନଗର ଥାନାର ଏସଏଚଓ ଅଶୋକ କୁମାର ଦୁବେଙ୍କ ସୂଚନା ଅନୁସାରେ, ସରକାରୀ ଚାକିରି ନମିଳିବା ଚିନ୍ତାରେ ସେ ମାନସିକ ଚାପରେ ଥିଲେ। ତାଙ୍କ ଘରୁ ସୁଇସାଇଡ ନୋଟ୍ ଉଦ୍ଧାର ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ୁଛି। ତେବେ ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ଖବର ପାଇ ପଲିସ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶନିବାର ସନ୍ଧ୍ୟାରେ ଭୈରବ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆନନ୍ଦଙ୍କ ମୃତ୍ୟୁ ଭାରରତୀୟ ବ୍ୟବସ୍ଥା ଉପରେ ଏକାଧିକ ପ୍ରଶ୍ନ ଉଠାଇଛି। ଜଣେ ସ୍ୱର୍ଣ୍ଣ ପଦକ ବିଜେତା, ମେଧାବୀ ଇଞ୍ଜିନିୟର, ଯିଏ ଶିକ୍ଷାରେ ସର୍ବୋତ୍କୃଷ୍ଟ ଥିଲେ, ସେ କାହିଁକି ନିଜ ଜୀବନ ପ୍ରତି ନିରାଶ ହୋଇପଡ଼ିଲେ? ଏହା କେବଳ ଗୋଟିଏ ପରିବାରର ଦୁଃଖଦ ଘଟଣା ନୁହେଁ, ବରଂ ଚାକିରି ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଥିବା ଅନେକ ଯୁବକଙ୍କ ମାନସିକ ଚାପ, ଅନିଶ୍ଚିତତା ଓ ନିରାଶାକୁ ସାମ୍ନାକୁ ଆଣିଛି। ଏହି ଘଟଣା ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରକ୍ରିୟାର ଦୀର୍ଘ ବିଳମ୍ବ, ହାଇ କମ୍ପିଟିସନ ଏବଂ ଦେଶରେ ଚାକିରିର ସୁଯୋଗକୁ ନେଇ ବ୍ୟାପକ ପ୍ରଶ୍ନ ଛିଡ଼ା କରିଛି।

ବିଶେଷ ଦ୍ରଷ୍ଟବ୍ୟ- ଆତ୍ମହତ୍ୟା କେବେ ବି ସମସ୍ୟାର ସମାଧାନ ନୁହେଁ। ଯଦି କୌଣସି ବ୍ୟକ୍ତି ନିରାଶା, ମାନସିକ ଚାପ କିମ୍ବା ଆତ୍ମହତ୍ୟାପ୍ରବଣ ଚିନ୍ତାରେ ଅଛନ୍ତି, ତେବେ ପରିବାର, ବନ୍ଧୁ କିମ୍ବା ଜଣେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ତୁରନ୍ତ କଥା ହେବା ଅତ୍ୟନ୍ତ ଜରୁରୀ। ଯଦି ମନରେ ଏମିତି ଭାବନ ଆସୁଛି, ତେବେ ତୁରନ୍ତ ସେହି ସ୍ଥାନରୁ ଉଠି ଆସି ମନକୁ ହାଲୁକା କରିବାକୁ ଚେଷ୍ଟା କରନ୍ତୁ।