ନୂଆଦିଲ୍ଲୀ: ଶୀତ ମାସଗୁଡ଼ିକରେ ଦିଲ୍ଲୀରେ କେବଳ ବିଏସ୍-୬ ଗାଡ଼ିଗୁଡ଼ିକୁ ହିଁ ଚଳାଚଳ କରିବାକୁ ଅନୁମତି ଦିଆଯିବ ବୋଲି ସୁପ୍ରିମକୋର୍ଟ ସୋମବାର ଦିନ ସ୍ପଷ୍ଟ କରିଛନ୍ତି । ଏହା ସହିତ ଚଳିତ ନଭେମ୍ବର ମାସରେ ଦିଲ୍ଲୀର ବାୟୁ ଗୁଣବତ୍ତା ତୁଳନାତ୍ମକ ଭାବରେ ଭଲ ଥିବାରୁ, ଏହାକୁ ସୁପ୍ରିମକୋର୍ଟ ସୌଭାଗ୍ୟ ବୋଲି କହିଛନ୍ତି । ଅନୁକୂଳ ପବନ ପ୍ରବାହ ଯୋଗୁଁ ବାୟୁ ପ୍ରଦୂଷଣ 'ଅତି ଗମ୍ଭୀର' ଶ୍ରେଣୀକୁ ଯାଇନାହିଁ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ସମଗ୍ର ଏନ୍.ସି.ଆରରେ ସମ୍ଭବ ନୁହେଁ, ତେବେ ଅତି କମରେ ଦିଲ୍ଲୀ ଭିତରେ କେବଳ ବିଏସ୍-୬ ଗାଡ଼ି ଚଳାଚଳକୁ ଅନୁମତି ମିଳିବ । 

ଦିଲ୍ଲୀ-ଏନ୍.ସି.ଆର୍ ବାୟୁ ପ୍ରଦୂଷଣକୁ ନେଇ ନିଜଆଡ଼ୁ ରୁଜୁ ହୋଇଥିବା ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ, ଚଳିତ ନଭେମ୍ବରରେ ଏହି ଅଞ୍ଚଳରେ ପ୍ରଦୂଷଣ 'ଅତି ଗମ୍ଭୀର' ସ୍ତରକୁ ଯାଇନାହିଁ । ଏହା ଆମ ପାଇଁ ସୌଭାଗ୍ୟର ବିଷୟ । କୋର୍ଟ କହିଛନ୍ତି ଯେ, ପବନ ଯୋଗୁଁ ହିଁ ଏପର୍ଯ୍ୟନ୍ତ ପରିସ୍ଥିତି ବିଗିଡ଼ି ନାହିଁ । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ଯେତେବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କଥା ଉଠାଇଥିଲେ, ସେତେବେଳେ କୋର୍ଟ କହିଥିଲେ ଯେ, ଏହା ମୁଖ୍ୟତଃ ପ୍ରକୃତିର ଦାନ । 

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପ୍ରତିବର୍ଷ ନଭେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ବିଏସ୍-୪ କିମ୍ବା ତା'ଠାରୁ ପୁରୁଣା ଗାଡ଼ିଗୁଡ଼ିକର ପ୍ରବେଶ ଉପରେ ନିଷେଧାଦେଶ ରହିଛି । ନଭେମ୍ବର ୭ ତାରିଖରେ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ, ଏହା କେବଳ ଚଳିତ ଶୀତଦିନ ପାଇଁ ନୁହେଁ, ବରଂ ପ୍ରତିବର୍ଷ ଲାଗୁ ହେବାକୁ ଥିବା ଏକ ସ୍ଥାୟୀ ପଦକ୍ଷେପ । ଏହି କଟକଣା ପରିସରରେ ବିଏସ୍-୪ ଏବଂ ପୁରୁଣା ବାଣିଜ୍ୟିକ ମାଲବାହୀ ଯାନ ସମେତ ରାଜଧାନୀକୁ ପ୍ରବେଶ କରୁଥିବା ବସ୍‌ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ସିଏନଜି , ଇଲେକ୍ଟ୍ରିକ୍ ଯାନ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି ।