ନୂଆଦିଲ୍ଲୀ ୨୬।୨: ଦିଲ୍ଲୀ ସମୟପୁର ବାଦଲୀର ଏକ ଘରୁ ୨ ମାସ ଗର୍ଭବତୀ ଜଣେ ମହିଳାଙ୍କ ସମେତ ୩ରୁ ୫ ବର୍ଷ ବୟଷ୍କ ତାଙ୍କ ୩ ଝିଅଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତିରେ ହୋଇଥିଲା। ଏଥିରେ ହତ୍ୟାକାରୀ ସମସ୍ତ ୪ ଜଣଙ୍କୁ ଗଳାକାଟି ହତ୍ୟା କରିଛି। ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ମୁଞ୍ଚୁନ କେବଟ ଭାବେ ଚିହ୍ନଟ କରିଛି। ଘଟଣା ପରଠାରୁ କେବଟ ଫେରାର ଅଛି। ଏଣୁ ହତ୍ୟା ପଛରେ କେବଟର ହାତ ଥାଇପାରେ ବୋଲି ଏବେ ପୋଲିସ ସନ୍ଦେହ କରୁଛି।

ଡିସିପି ହରେଶ୍ୱର ସ୍ୱାମୀ କହିଛନ୍ତି ଯେ ମୁଞ୍ଚୁନ କେବଟ ଆଜାଦପୁର ମଣ୍ଡିରେ ପରିବା ବେପାର କରେ। ସେ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ। ଚନ୍ଦନପାର୍କସ୍ଥିତ ଆପାର୍ଚମେଣ୍ଟ ବିଲ୍ଡିଂର ବାସିନ୍ଦା ବୁଧବାର ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ସୂଚିତ କରିଥିଲେ। ଏହି ହତ୍ୟାକାଣ୍ଡ ସ୍ଥଳରେ ପୋଲିସ କୌଣସି ପ୍ରକାରର ଧସ୍ତାଧସ୍ତିର ପ୍ରମାଣ ପାଇ ନାହିଁ। ଏଣୁ ଶୋଇଥିବା ବେଳେ ହତ୍ୟାକାରୀ ସମସ୍ତଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡ ପାଇଁ ପୂର୍ବରୁ ଖାଦ୍ୟ ଅଥବା ପାନୀୟରେ ନିଷା ଔଷଧ ଉପଯୋଗ କରାଯାଇ ଥିଲା କି ନା ତାହା ଜାଣିବା ପାଇଁ ପୋଲିସ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି।

ପୋଲିସ କହିବା ଅନୁସାରେ କେବଟ ଓ ତା ପତ୍ନୀ ସୁନୀତା ମଧ୍ୟରେ ରାତି ପ୍ରାୟ ୯ଟା ବେଳେ ପାଟିତୁଣ୍ଡ ହୋଇଥିଲା। ପୋଲିସକୁ ସିସିଟିଭି ଫୁଟେଜ ମିଳିଛି, ଯେଉଁଥିରେ ସନ୍ଦିଗ୍ଧକୁ ଘରେ ଚାଲୁଥିବାର ଦେଖାଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କେବଟର ଫୋନ ରାତି ସାଢେ୧୦ଟା ପରଠାରୁ ବନ୍ଦ ରହିଛି। ମୃତକଙ୍କ ପରିଜନଙ୍କ ଅନୁସାରେ ଶବଗୁଡିକୁ ସର୍ବ ପ୍ରଥମେ କେବଟର ୧୦ ବର୍ଷିୟ ଝିଆରୀ ଦେଖିଥିଲା, ଯିଏ ନିକଟରେ ରହେ। ଭାଇର ଫୋନ ବନ୍ଦ ଥିବାରୁ ଝିଅକୁ ତାଙ୍କ ଘରକୁ ପଠାଇଥିଲା। କାରଣ ଦୁଇ ଭାଇ ସାଙ୍ଗକୁ ସବୁଦିନ ମଣ୍ଡିକୁ ଯାଇଥାନ୍ତି, ହେଲେ କେବଟ ମଙ୍ଗଳବାର ଆସିନଥିଲା।

ଜନୈକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାକୁ ଅତ୍ୟନ୍ତ ‘କ୍ରୁର’ ବୋଲି କହିଛନ୍ତି। କାରଣ ହତ୍ୟାକାରୀ କୌଣସି ଧାରୁଆ ଅସ୍ତ୍ରରେ ଗଭୀର ଭାବେ ଗଳା କାଟିଥିଲା। ଏଥିରେ ମୃତକଙ୍କ ଶ୍ୱାସନଳି କଟିଯାଇଥିବାର ଦେଖାଯାଇଛି। କେବଟ ପରିବାର ବ୍ୟତୀତ ବିଲ୍ଡିଂର ସେହି ଫ୍ଲୋରରେ ଆଉ ଦୁଇଟି ପରିବାର ମଧ୍ୟ ରହୁଛନ୍ତି। ପାଖ ଘରେ ରହୁଥିବା ପାରୁଲ ରାତିରେ ସେ ସେପରି କୌଣସି ଶବ୍ଦ ଶୁଣିନଥିବା କହିଛି। ଅନ୍ୟ ଜଣେ ସମ୍ପର୍କୀୟ କେବଟକୁ ସେ ଶେଷ ଥର ମଙ୍ଗଳବାର ଦେଖିଥିବା କହିଛି। ସେତେବେଳେ ସେ ମେରୁନ ରଙ୍ଗର ସାର୍ଟ ଓ ଚପଲ ପିନ୍ଧିଥିଲା ବୋଲି କହିଛନ୍ତି।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତର ଗୃହ ରାଜ୍ୟ ବିହାର ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏବେ ପୋଲିସ ଚଢଉ କରୁଛି। ଅଭିଯୁକ୍ତ ପୂର୍ବରୁ ଚେନ୍ନାଇରେ କାମ କରୁଥିଲା। ଏଣୁ ପୋଲିସ ସେଠାରେ ମଧ୍ୟ ତାର ଗତିବିଦ୍ଧି ଯାଞ୍ଚ କରୁଥିବା କହିଛି। ସମୟପୁର ବାଦଲୀ ପୋଲିସ ଷ୍ଟେସନରେ ବିଏନଏସ ଧାରା ୧୦୩(ହତ୍ୟା)ରେ ଏକ ଅଭିଯୋଗ ରୁଜୁ ହୋଇଛି।

ଏହା ବି ପଢନ୍ତୁ :-ଦଶମ ବୋର୍ଡ ପରୀକ୍ଷା ବେଳେ ଶୌଚାଳୟରେ ଛାତ୍ରୀ କଲେ ପ୍ରସବ, ପରିବାରକୁ ଜଣାନଥିଲା ଖବର