ବାରିପଦା ୨୨।୩: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ବାରିପଦା-ଚିତ୍ରଡା-ମୋରଡା-ଜଳେଶ୍ୱର ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ଦବି ନୌକା ଆକୃତିର ହୋଇଯାଇଛି । ଫଳରେ ଚିତ୍ରଡା-ମୋରଡା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

୧୯୮୬ ମସିହାରେ ତତ୍କାଳୀନ ବାଚସ୍ପତି ପ୍ରସନ୍ନ କୁମାର ଦାସଙ୍କ ପୌରାହିତ୍ୟରେ ଉକ୍ତ ପୋଲର ତିଆରି ହୋଇଥିବେ ବେଳେ ଗତ ୩ ବର୍ଷ ହେବ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ଉପରେ ଭାରିଯାନ ଯାତାୟାତ ପାଇଁ ନିଷେଧ କରାଯାଇଥିଲା । କିନ୍ତୁ ବ୍ୟାରିକେଡ଼ ଗୁଡିକ ସଠିକ୍ ଭାବେ ବସି ନଥିବାରୁ ରାତିରେ ବ୍ୟାରିକେଡ଼ କଡ ଦେଇ ଭାରିଯାନ ଯାତାୟାତ କରୁଥିଲା । ଫଳରେ ବର୍ତ୍ତମାନ ଉକ୍ତ ପୋଲଟି ପ୍ରାୟ ୩ ଫୁଟ ତଳକୁ ଦବି ଯାଇଛି । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ଗିରି ଘଟଣାସ୍ଥଳରେ ପହଞ୍ଚି ପୋଲର ଉଭୟ ପାର୍ଶ୍ଵରେ ବାଲି ବସ୍ତା ଦେବା ସହିତ ବ୍ୟାରିକେଡ଼ ଦିଆଯାଇ କୌଣସି ଗାଡି ଚଳାଚଳ ପାଇଁ ନିଷେଧାଦେଶ ଜାରି କରାଯାଇଛି ।

Also Read:- Charampa Murder Case: ନଥିଲା କିଛି ପୂର୍ବ ଶତ୍ରୁତା, କାହିଁକି ସଙ୍ଘବଦ୍ଧ ଆକ୍ରମଣ କରି ମାରିଦେଲେ ?

ତେବେ ଏଭଳି ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ପୋଲ ବନ୍ଦ କରିବା ପୂର୍ବରୁ ଚିତ୍ରଡା, ମୋରଡା, ମାଳିହତା ଆଦି ସ୍ଥାନରେ ଉକ୍ତ ପୋଲ ବନ୍ଦ ଅଛି ବୋଲି ସାଇନ ବୋର୍ଡ ମାରିବାକୁ ଦାବି ହେଉଛି । ସେହିପରି ପୋଲ ଏବେ ବନ୍ଦ ହେବାରୁ ଚିତ୍ରଡାରେ ଥିବା କଲେଜ, ବ୍ଲକ, ତହସିଲ, ରେଜିଷ୍ଟ୍ରାର ଆଦି ବିଭିନ୍ନ କାର୍ଯ୍ୟାଳୟକୁ ଯିବା ଆସିବା ଓ ମୋରଡାରେ ଥିବା ମୋରଡା ଥାନା, କୋର୍ଟ, ବନ ବିଭାଗ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ବହୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବେ ।

ସେପଟେ ଗତ ୨୦୨୪-୨୫ ଆର୍ଥିକ ବର୍ଷର ଫେବୃୟାରୀ ୬ ତାରିଖ ଦିନ ନୂତନ ପୋଲର ନିର୍ମାଣ ନିମନ୍ତେ ମୋରଡା ବିଧାୟକ ତଥା ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା କାର୍ଯ୍ୟ ଅତି ମନ୍ଥର ଗତି ହେତୁ ନିର୍ମାଣ କାର୍ଯ୍ୟ କେବେ ସରିବ ଓ ଚିତ୍ରଡା-ମୋରଡା ସିଧା ସଳଖ ଯୋଗାଯୋଗ କେବେ ହେବ ତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ଗିରିଙ୍କୁ ପଚାରିବାରୁ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ସାଇନ ବୋର୍ଡ ମରାଯିବ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।