କାମାକ୍ଷାନଗର: ବହୁ ଚର୍ଚ୍ଚିତ ଫଟୋଗ୍ରାଫର ରାଜେଶ ପାଣି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଅପରାଧୀ ସମ୍ପଦ ସାହୁକୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ସମ୍ପଦର ଘର ଜଗତସିଂହପୁର ଜିଲ୍ଲା କ୍ରିଷ୍ଣନନ୍ଦପୁର ଗାଁର ହୋଇଥିବା ସୂଚନା । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ରାଜେନ୍ଦ୍ର କୁମାର ମଲ୍ଲିକକୁ ଗିରଫ କରିଥିଲା ପୋଲିସ ।

ଗତ ବର୍ଷ ନଭେମ୍ବର ମାସ ୧୩ ତାରିଖରେ ରାଜେଶକୁ ଡାକି ନେଇ କୋଲ୍ଡ ଡ୍ରିଙ୍କସରେ ନିଶା ଟାବଲେଟ୍ ମିଶାଇ ପିଇବାକୁ ଦେଇଥିଲା ସମ୍ପଦ । ରାଜେଶଙ୍କ କ୍ୟାମେରା ସହ ସୁନା ଚେନ, ମୁଦି ଲୁଟି ନେବା ସହ ତାଙ୍କୁ ମାରି ମୁକ୍ତାପଶି ଗ୍ରାମ ସତସଙ୍ଗ ପୋଖରୀରେ ଫିଙ୍ଗି ଦେଇଥିଲା । ରାଜେଶ ହତ୍ୟାକାଣ୍ଡକୁ ନେଇ ସସପେନ୍ସ ଲାଗି ରହିଥିଲା ତେବେ ତାଙ୍କୁ ଲୁଟ୍ କରାଯାଇ ହତ୍ୟା କରାଯାଇଥିବା ଢେଙ୍କାନାଳ ଏସପି ଅଭିନବ ସୋନକର ସ୍ପଷ୍ଟ କରିଛନ୍ତି । ସେପଟେ କୁଖ୍ୟାତ ଅପରାଧୀ ସମ୍ପଦ ସାହୁଙ୍କ ନାଁରେ ମାଳମାଳ ଅପରାଧିକ ରେକର୍ଡ ରହିଛି । କଟକର ମର୍କତନଗର, ବିଡାନାସୀ, ଲାଲବାଗ, କିଷାନନଗର, ମଙ୍ଗଳବାଗ ଏବଂ ଭୁବନେଶ୍ୱର ଓ ଯାଜପୁରରେ ଅପାରାଧିକ କେସ ରହିଥିବା ଜଣାପଡିଛି । ଆଜି ସମ୍ପଦ ସାହୁକୁ କୋର୍ଟଚାଲଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।