ନୂଆଦିଲ୍ଲୀ: ବ୍ରାଜିଲର ଲିମେଇରା ସହରରେ ଏକ ଦୁଃଖଦ ଅଘଟଣ ଘଟିଛି । ପ୍ରାୟ ୪୦ ମିଟର ଉଚ୍ଚତାରୁ ତଳେ ପଡ଼ି ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ବଞ୍ଜି ଜମ୍ପିଂ କରିବା ସମୟରେ ଆୟୋଜକମାନେ ଜଣେ ୨୧ ବର୍ଷୀୟା ଯୁବତୀଙ୍କ ଶରୀରରେ ସୁରକ୍ଷା ଦଉଡ଼ି ବାନ୍ଧିବାକୁ ଭୁଲିଯାଇଥିଲେ ।

ମୃତ ଯୁବତୀଙ୍କ ନାମ ମାରିଆ ଏଡୁଆର୍ଡା ରୋଡ୍ରିଗ୍ରେଜ୍ ବୋଲି ଜଣାପଡ଼ିଛି । ସେ ଶାରୀରିକ ଶିକ୍ଷା ଏବଂ ସ୍ପୋର୍ଟସ ମ୍ୟାନେଜମେଣ୍ଟରେ ସ୍ନାତକ ହାସଲ କରିଥିଲେ । ସାଓ ପାଉଲୋ ରାଜ୍ୟରେ ଥିବା "ପୋଣ୍ଟେ ଦୋ ଏସ୍କେଲେଟୋ" ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ଏହି ଅଞ୍ଚଳଟି ଦୁଃସାହସିକ ଖେଳ ପାଇଁ ବେଶ୍ ଜଣାଶୁଣା ।

ସୂଚନା ଅନୁଯାୟୀ, ଶନିବାର ସକାଳେ ଏହି ଘଟଣା ଘଟିଥିଲା । ଉପସ୍ଥିତ ଲୋକଙ୍କ କହିବା ଅନୁସାରେ, ଯୁବତୀ ଜଣକ ଡେଇଁବା ପୂର୍ବରୁ ତାଙ୍କ ସୁରକ୍ଷା ଉପକରଣକୁ ଠିକ୍ ଭାବେ ବନ୍ଧାଯାଇନଥିଲା । ସେ ପ୍ଲାଟଫର୍ମରୁ ଡେଇଁବା ମାତ୍ରେ ପ୍ରାୟ ୪୦ ମିଟର ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ପାରାମେଡିକ୍ସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମୃତ ଘୋଷଣା କରିଥିଲେ ।

 

ଭିଡିଓରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ

ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଭିଡିଓ ରେକର୍ଡ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଆୟୋଜକ ଦଳର ସଦସ୍ୟମାନେ ଯୁବତୀଙ୍କୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ନେଉଛନ୍ତି । ସେଠାରୁ ତାଙ୍କୁ ତଳକୁ ପକାଇବା ବେଳେ, ଉପସ୍ଥିତି ଲୋକମାନେ ଚିତ୍କାର କରି ଦଉଡି ନଥିବା କହିଥିଲେ ।

ମାରିଆଙ୍କ ସହ ଆସିଥିବା ତାଙ୍କ ଭାବି ସ୍ୱାମୀ ଏହି ଦୃଶ୍ୟ ଦେଖି ସେଠାରେ ଅସୁସ୍ଥ ହୋଇପଡ଼ିଥିଲେ, ଯାହାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି । ଦୁର୍ଘଟଣା ପରେ ଦାୟୀ ଥିବା ଦୁଇଜଣ ବ୍ୟକ୍ତି ଜଙ୍ଗଲ ଆଡ଼କୁ ଫେରାର ହୋଇଯାଇଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ଖୋଜି ବାହାର କରିଥିଲା । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପୋଲିସ ଏହି ମାମଲାର ଅଧିକ ତଦନ୍ତ କରୁଛି ।