ନୂଆଦିଲ୍ଲୀ ୦୨।୦୨: ଭାରତରେ ପ୍ରତିଟି ନଦୀକୁ ଅତି ପବିତ୍ର ଏବଂ ମାତୃ ସ୍ୱରୂପ ବିଚାର କରାଯାଏ । ଅଧିକାଂଶ ପର୍ବପର୍ବାଣୀରେ ନଦୀରେ ପବିତ୍ର ବୁଡ଼ ପକାଇବାର ଧାର୍ମିକ ପରମ୍ପରା ମଧ୍ୟ ରହିଛି । ତେବେ ସମସ୍ତ ନଦୀକୁ ନାରୀ ଭାବେ ବିବେଚନା କରାଯାଉଥିବାବେଳେ କେବଳ ବ୍ରହ୍ମପୁତ୍ର ହିଁ ପୁରୁଷ ନଦୀ ଭାବେ ଗୃହୀତ । କେବଳ ଏତିକି ନୁହେଁ, ବ୍ରହ୍ମପୁତ୍ର ସବୁଠୁ ଯୁବ ନଦୀ ବୋଲି ମଧ୍ୟ ଗ୍ରହଣ କରାଯାଏ।

ବ୍ରହ୍ମପୁତ୍ର ମାନସରୋବର ହ୍ରଦରୁ ଉତ୍ପନ୍ନ ହୋଇ ଅରୁଣାଚଳପ୍ରଦେଶ ଏବଂ ଆସାମ ଦେଇ ପ୍ରବାହିତ ହୋଇଛି । ଭାରତର ଏହି ଦୁଇରାଜ୍ୟ ପରେ ବହ୍ମପୁତ୍ର ବାଂଲାଦେଶରେ ପ୍ରବେଶ କରି ବଙ୍ଗୋପସାଗରରେ ସମାହିତ ହୋଇଯାଇଛି । ଶାସ୍ତ୍ରରେ ବ୍ରହ୍ମପୁତ୍ର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପୁତ୍ର ବୋଲି କୁାହାଯାଇଛି । ଶାନ୍ତନୁଙ୍କ ପତ୍ନୀ ଅମେଧାଙ୍କ ଗର୍ଭରୁ ବ୍ରହ୍ମପୁତ୍ର ଜଳ ରୂପରେ ଜନ୍ମ ନେଇଥିଲେ । ତାଙ୍କୁ କୈଳାସର ବ୍ରହ୍ମକୁଣ୍ଡରେ ସ୍ଥାପିତ କରାଯାଇଥିଲା । ସେଠାରୁ ସେ ଅଗ୍ରସର ହୋଇ ନଦୀ ରୂପ ଧାରଣ କଲେ । ବ୍ରହ୍ମାଙ୍କ ପୁତ୍ର ଭାବେ ସେ ବ୍ରହ୍ମପୁତ୍ର ଭାବେ ପରିଚିତ ହେଲେ ।

କାହିଁକି କୁହାଯାଏ ଯୁବାନଦୀ

ବ୍ରହ୍ମପୁତ୍ର ନଦୀ ଅନ୍ୟ ନଦୀମାନଙ୍କ ତୁଳନାରେ ସବୁଠୁ ଯୁବାବସ୍ଥାରେ ଥିବାର କୁହାଯିବା ପଛରେ ରହସ୍ୟ ରହିଛି । ବ୍ରହ୍ମପୁତ୍ରର ଗତି ଅତି କ୍ଷୀପ୍ର । ଏହା ବାରମ୍ବାର ନିଜର ପଥ ପରିବର୍ତ୍ତନ କରିବା ସହିତ ନଦୀ ପଥରେ ସର୍ବାଧିକ ମୋଡ଼ ରହିଛି । ଯଦିଓ ବ୍ରହ୍ମପୁତ୍ର ଗଙ୍ଗା, ଯମୁନା ଇତ୍ୟାଦି ନଦୀଙ୍କ ପରି ହିମାଳୟରୁ ଉଦ୍ଭବ, ତେବେ ଯୁବ ବୟସର ଚଞ୍ଚଳପଣିଆ ପାଇଁ ବ୍ରହ୍ମପୁତ୍ର ସବୁଠୁ ଯୁବ ନଦୀ ବୋଲି କୁହାଯାଇଥାଏ । ବ୍ରହ୍ମପୁତ୍ରଙ୍କୁ ନେଇ ଭଗବାନ୍ ପରଶୁରାମଙ୍କ ସମ୍ପର୍କିତ କଥାଟି ଅତ୍ୟନ୍ତ ରୋଚକ ଅଟେ । ପୁରାଣ ଅନୁଯାୟୀ, ପିତା ଯମଦଗ୍ନିଙ୍କ ଆଦେଶ କ୍ରମେ ପରଶୁରାମ ନିଜ ପରଶୁରେ ମାତାଙ୍କ ମସ୍ତକ ଛେଦନ କରିଦେଲେ ।

ଏ ଖବରବି ପଢନ୍ତୁ:- ସର୍ବାଧିକ ସୁନା ଭଣ୍ଡାର ଥିବା ଟପ୍ ଟେନ୍ ଦେଶ: ଭାରତରେ ଅଛି କେତେ ସୁନା?

ମାତୃହତ୍ୟା ଭଳି ମହାପାପରେ ଭାଗୀ ହେଲେ ପରଶୁରାମ । ରକ୍ତରଞ୍ଜିତ ପରଶୁ ବା କୁରାଢ଼ୀଟି ତାଙ୍କ ହାତରେ ସେହିପରି ଲାଖି ରହିଗଲା । ପାପର ପ୍ରାୟଶ୍ଚିତ କରିବା ପରଶୁରାମ ମୁନିଋଷିଙ୍କ ପରାମର୍ଶ ନେଲେ । ସେମାନଙ୍କ କହିବା ଅନୁଯାୟୀ ବ୍ରହ୍ମପୁତ୍ରର ଉପନଦୀ ଲୋହିତ ନଦୀ କୂଳକୁ ଆସିଲେ ଏବଂ ତାହାର ପବିତ୍ର ଜଳରେ ହାତ ବୁଡ଼ାଇଲେ। ଏହାର ସଂସ୍ପର୍ଶରେ ଆସିବା ପରେ କୁରାଢ଼ୀଟି ପରଶୁରାମଙ୍କ ହାତରୁ ଅଲଗା ହୋଇଯାଇଥିଲା । ପରଶୁରାମ ଯେଉଁଠାରେ ତାଙ୍କର ହାତ ଧୋଇଥିଲେ,ଏବେ ତାହା ପରଶୁରାମ କୁଣ୍ଡ ନାମରେ ସୁପ୍ରସିଦ୍ଧ । ପ୍ରମୁଖ ତୀର୍ଥସ୍ଥଳ ଅଟେ । ବିଶ୍ୱାସ କରାଯାଏ ଯେ ଏଠାରେ ସ୍ନାନ କଲେ ସମସ୍ତ ପାପ ଧୌତ ହୋଇଯାଇଥାଏ ।

ଏ ଖବରବି ପଢନ୍ତୁ:- ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ଼ ଘୋଷଣା: ମିଳିବ ସ୍ମାର୍ଟ ଫୋନ-ଡ୍ରେସ୍, ଶାଢୀରେ ରହିବ ଓଡ଼ିଆ ଅସ୍ମିତାର ଝଲକ