ମୁମ୍ବାଇ: ଗୁଜରାଟର ଚର୍ଚ୍ଚିତ ସୋହରାବୁଦ୍ଦିନ ଶେଖ ଏନକାଉଣ୍ଟର ମାମଲାରେ ଆସିଛି ବମ୍ବେ ହାଇକୋର୍ଟଙ୍କ ରାୟ। କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାର ୨୧ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୨୨ ଅଭିଯୁକ୍ତଙ୍କୁ ମୁକ୍ତ କରିବା ଲାଗି ସ୍ୱତନ୍ତ୍ର କୋର୍ଟଙ୍କ ରାୟ ହାଇକୋର୍ଟରେ କାୟମ ରହିଛି। ସିବିଆଇ ସ୍ୱତନ୍ତ୍ର କୋର୍ଟ ଡିସେମ୍ବର ୨୦୧୮ରେ ସବୁ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଥିଲେ। ତେବେ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୋହରାବୁଦ୍ଦିନଙ୍କ ଦୁଇ ଭାଇ ଏପ୍ରିଲ ୨୦୧୯ରେ ହାଇକୋର୍ଟରେ ଆବେଦନ କରିଥିଲେ। ଦୀର୍ଘ ବର୍ଷ ପରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ନିର୍ଦ୍ଦୋଷରେ ମୁକ୍ତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ଅଧିକାରୀ ଓ ଜବାନ ଅଛନ୍ତି।

ରାଜନୈତିକ ରୂପେ ସମ୍ବେଦନଶୀଳ ମାମଲା
ଏହି ଏନକାଉଣ୍ଟର ମାମଲା ୨୦୦୫-୦୬ର ଓ ଭାରତର ସବୁଠୁ ବିବାଦୀୟ ମାମଲା ମଧ୍ୟେର ଅନ୍ୟତମ। ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ମାମଲାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ ଓ ଦେଶର ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା। ଆରମ୍ଭରେ ଗୁଜରାଟ ସିଆଇଡି (କ୍ରାଇମ) ଓ ଏଟିଏସ୍ ଏହି ମାମଲାର ତଦନ୍ତ କରିଥିଲେ। ତେବେ ମାମଲାର ଜଟିଳତାକୁ ଦେଖି ୨୦୧୦ ମସିହାରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ। ସେହିପରି ମାମଲାର ନିରପେକ୍ଷ ବିଚାର ନିମନ୍ତେ ଟ୍ରାୟଲକୁ ଗୁଜରାଟରୁ ହଟାଇ ମୁମ୍ବାଇ ସ୍ୱତନ୍ତ୍ର ନ୍ୟାୟାଳୟକୁ ଟ୍ରାନ୍ସଫର କରିଦେଇଥିଲେ।

ସୋହରାବୁଦ୍ଦିନ କିଏ ଓ ସିବିଆଇ ଥିଓରୀ କ’ଣ?
୨୦୧୮ରେ ଟ୍ରାୟଲ କୋର୍ଟ ସ୍ପଷ୍ଟ କରିଥିଲେ ଯେ ସୋହରାବୁଦ୍ଦିନ ଜଣେ ବାଞ୍ଛିତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଥିଲା, ଯାହା ବିରୋଧରେ ଗୁଜରାଟ ଓ ରାଜସ୍ଥାନରେ ହତ୍ୟା, ଅପହରଣ, ଅସୁଲି ଭଳି ଅନେକ ଗୁରୁତର ମାମଲା ସବୁ ଥିଲା। ସିବିଆଇ ଅନୁସାରେ ୨୩ ନଭେମ୍ବର ୨୦୦୫ରେ ସୋହରାବୁଦ୍ଦିନ, ତା ପତ୍ନୀ କୌଶର ବି ଓ ସହଯୋଗୀ ତୁଲସୀରାମ ପ୍ରଜାପତି ହାଇଦ୍ରାବାଦରୁ ସାଙ୍ଗଲୀ ଯାଉଥିବା ବେଳେ ଏକ ଲଗଜୁରୀ ବସରୁ ଅପହୃତ ହୋଇଥିଲେ। ଯାଞ୍ଚ ଏଜେନ୍ସୀ ଦାବି କରିଥିଲା ଯେ ପ୍ରଥମେ ସୋହରାବୁଦ୍ଦିନ ଓ ତାଙ୍କ ପତ୍ନୀଙ୍କୁ ଗୁଜରାଟର ଏକ ଫାର୍ମ ହାଉସରେ ବନ୍ଧକ କରାଯାଇଥିଲା, ପରେ ନଭେମ୍ବର ୨୦୦୫ରେ ସେମାନଙ୍କୁ ଅହମଦାବାଦରେ ମିଥ୍ୟା ଏନକାଉଣ୍ଟର କରାଯାଇଥିଲା। ଏହାର ତୁରନ୍ତ ବାଦ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଦିଆଯାଇଥିଲା। ତେବେ ତୁଲସୀ ରାମ ପ୍ରଜାପତିଙ୍କ ଏନକାଉଣ୍ଟର ବର୍ଷକ ପରେ ହୋଇଥିଲା।

ବଡ଼ ନେତାଙ୍କ ହତ୍ୟା ଲାଗି କରୁଥିଲେ ଷଡ଼ଯନ୍ତ୍ର
ସିବିଆଇ କାହାଣୀ ବିପରୀତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ କହିବା କଥା ହେଉଛି ସୋହରାବୁଦ୍ଦିନର ଆତଙ୍କବାଦୀ ସଙ୍ଗଠନ ସହ ଗଭୀର ସମ୍ପର୍କ ଥିଲା। ପୋଲିସ ଅନୁସାରେ ସେ କୌଣସି ବଡ଼ ନେତାଙ୍କ ହତ୍ୟା ଉଦ୍ଦେଶ୍ୟରେ ଅହମଦାବାଦ ଆସିଥିଲା। ଏହି ମାମଲାରେ ଏହା ବି ଦାବି କରାଯାଇଥିଲା ଯେ ପୋଲିସ ସୋହରା ବୁଦ୍ଦିନର ନିକଟତମ ତୁଲସୀରାମ ପ୍ରଜାପତି ସହାୟତାରେ ତାକୁ ଟ୍ରେସ୍ କରିବା ସହ ଏହି ଅପରେସନକୁ ସଫଳ କରାଯାଇଥିଲା । କୁହାଯାଉଛି ପ୍ରଜାପତିଙ୍କୁ ଏହା କୁହାଯାଇଥିଲା ଯେ ଭୀଷଣ ରାଜନୈତିକ ଚାପ କାରଣରୁ ସୋହରାବୁଦ୍ଦିନକୁ କେବଳ ଗିରଫ କରାଯାଉଛି ଓ ତାକୁ ଖୁବ୍ ଶୀଘ୍ର ଜାମିନରେ ଛାଡି ଦିଆଯିବ।