ନୂଆଦିଲ୍ଲୀ: ମତଦାତା ସୂଚୀ ସ୍ଵତନ୍ତ୍ର ପୁନଃନିରୀକ୍ଷଣ(SIR)ର ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ବିଷୋଦଗାର କରିଛନ୍ତି ବମ୍ବେ ହାଇକୋର୍ଟ। କଡ଼ା ଟିପ୍ପଣୀ କରିବା ସହ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଦାଲତ କହିଛନ୍ତି ଏସଆଇଆର ପ୍ରକ୍ରିୟା ଦେଖି ଲାଗୁଛି, ଆଇନ ଏବଂ ନିୟମକୁ ଅଣଦେଖା କରାଯାଇଛି ସଫ୍ଟଓ୍ବେର ହିସାବରେ କାମ ଚାଲିଛି। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି।

ଜଷ୍ଟିସ ବାଲ୍ମିକୀ ମେନେଜେସ ଓ ଜଷ୍ଟିସ ଅମିତ ଜାମସାଣ୍ଡେକରଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କର ଏହା କହିଛନ୍ତି। ଏହି ମାମଲା ସାନ୍ତା କ୍ରୁଜର ଏକ ପରିବାରର ଛଅ ସଦସ୍ୟଙ୍କ ସହ ଜଡ଼ିତ, ଯାହାଙ୍କ ନାଁକୁ ଏସଆଇଆର ସମୟରେ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା। ପରିବାର ନିଜର ଠିକଣା ବଦଳାଇବା ପାଇଁ ଫର୍ମ ୮ ଭରିଥିଲେ। ଏହା ସତ୍ତ୍ଵେ ସେମାନଙ୍କ ନାଁକୁ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା।

ଶୁଣାଣି ନକରି ଭୋଟର ତାଲିକାରୁ ନାଁ ହଟାଯାଇପାରିବ ନାହିଁ

ଶୁଣାଣି ସମୟରେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେଉଁ ଆଇନ ଆଧାରରେ ଆପଣ କୌଣସି ବ୍ୟକ୍ତିଙ୍କୁ ଶୁଣାଣିର ସୁଯୋଗ ନ ଦେଇ ଭୋଟର ତାଲିକାରୁ ନାଁ ହଟାଇ ଦେଲେ। ଯଦି କୌଣସି ଭୋଟରଙ୍କ ନାଁ ହଟାଯିବାର ଅଛି ତେବେ ପ୍ରଥମେ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବା ଦରକାର। କୋର୍ଟ ସମ୍ବନ୍ଧିତ ଇଲେକ୍ଟୋରାଲ ଅଫିସର(ERO)ଙ୍କୁ ମଧ୍ୟ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ହାଜର ଆଇନଜୀବୀ ଗୌରିଶ ଅଗ୍ନି ଅଦାଲତଙ୍କୁ ଜଣାଇଛନ୍ତି ଯେ, ଏସଆଇଆର ସମୟରେ ସିଷ୍ଟମ ଫର୍ମ ୮କୁ ପ୍ରୋସେସ୍ ପାଇଁ ଅନୁମତି ନ ଦେବା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିଲା।

Also Read: ଅକ୍ଟୋବର ୨ ରେ ବନ୍ଦ ହେବନି UPI ସେବା, ‘No UPI Day’ ଖବରକୁ ନେଇ CAITର ବଡ଼ ସ୍ପଷ୍ଟୀକରଣ

EROଙ୍କ ପାଖରେ ରହିବା ଉଚିତ୍ ସଫ୍ଟଓ୍ଵେରର ଚାବି

ଏହା ଉପରେ ହାଇକୋର୍ଟ କହିଛନ୍ତି, ପ୍ରତିଟି ସ୍ଥିତିରେ ଆଇନର ଅନୁପାଳନ ହେବା ଦରକାର। ଇଆରଓଙ୍କ ପାଖରେ ସଫ୍ଟଓ୍ଵେରକୁ ଖୋଲିବା, ସେଥିରେ ପରିବର୍ତ୍ତନ କରିବା ଏବଂ ନିଜ ଆଦେଶ ଅନୁସାରେ କୌଣସି ନାଁ ହଟାଇବାର କ୍ଷମତା ରହିବା ଉଚିତ୍। ଇଆରଓ କୌଣସି ତୃତୀୟ ବ୍ୟକ୍ତି କିମ୍ବା ସଫ୍ଟଓ୍ଵେରର ନିର୍ଦ୍ଦେଶ ଉପରେ ନିର୍ଭର ହୋଇ ଅସହାୟ ଅବସ୍ଥାରେ ରହି ପାରିବେ ନାହିଁ।

ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସଫ୍ଟଓ୍ଵେର ବା ପ୍ରଯୁକ୍ତିବିଦ୍ୟା ବଦଳରେ ଆଇନର ପାଳନ ହେବା ଉଚିତ୍। ବ୍ୟବସ୍ଥା ମତଦାତା ପାଇଁ କାମ କରିବା ଉଚିତ୍। ଅନ୍ତତଃ ନିର୍ବାଚନ ଆୟୋଗର ଦାୟିତ୍ଵ କୌଣସି ମତଦାତା ତାଲିକାରୁ ବାଦ୍ ନ ପଡ଼ନ୍ତୁ। 

Also Read: ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି, SIR ସରିଥିବା ରାଜ୍ୟରେ ‘ଫର୍ମ-୬’ ସହିତ ଦେବାକୁ ପଡିବନି ଅତିରିକ୍ତ ସୂଚନା

ଆଇନକୁ ସାମୟିକ ସ୍ଥଗିତ ରଖାଯାଇପାରିବ ନାହିଁ

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏସଆଇଆର ଦର୍ଶାଇ ସାଧାରଣ ନିୟମ ଓ ଆଇନଗୁଡ଼ିକୁ ସ୍ଥଗିତ ରଖାଯାଇପାରିବ ନାହିଁ। ଲୋକପ୍ରତିନିଧି ଆଇନର ଧାରା ୨୨ ଏବଂ ରୁଲ୍-୧୩ ଅନୁଯାୟୀ ଯେକୌଣସି ଭୋଟର ଫର୍ମ-୬, ୭ କିମ୍ବା ୮ ଜରିଆରେ ଆବେଦନ କରିବାର ଅଧିକାର ରଖନ୍ତି। ଯଦି ଗୋଟିଏ ମାମଲାରେ ୬ ଜଣ ଭୋଟର ପ୍ରଭାବିତ ହୋଇଛନ୍ତି, ତେବେ କୋର୍ଟକୁ ଆସିନଥିବା ଏଭଳି ହଜାର ହଜାର ଭୋଟରଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ହାଇକୋର୍ଟ। ନିର୍ବାଚନ କମିଶନ୍ଙ୍କ ମୂଳ କର୍ତ୍ତବ୍ୟ ହେଉଛି ଯେପରି କୌଣସି ବୈଧ ନାଗରିକ ଭୋଟ୍ ଦେବାରୁ ବଞ୍ଚିତ ନହୁଅନ୍ତି।