ନୂଆଦିଲ୍ଲୀ ୧୨।୦୯; ହନୁମାନଙ୍କ ଭକ୍ତି… ନିମ କରୋଲି ବାବାଙ୍କ ଜୀବନୀ… ଆଉ ତା’ ସହ ଜଡ଼ିତ ଏକ ଏମିତି ଘଟଣା, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରରେ। ବକ୍ସ ଅଫିସର ଦବଦବା ଜାରି ରଖିଥିବା ଫିଲ୍ମ ‘ହନୁମାନ ଅଂଶ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥମିବାର ନାଁ ନେଉନାହିଁ। ତେବେ ଫିଲ୍ମର କାହାଣୀ ଯେତିକି ରୋଚକ, ଏହାର ସୁଟିଂ ସମୟରେ ଘଟିଥିବା ଏକ ଘଟଣା ମଧ୍ୟ ସେତିକି ରହସ୍ୟମୟ।

କୁହାଯାଉଛି, ଯେଉଁ ଗାଁରେ ଫିଲ୍ମର ସୁଟିଂ ଚାଲିଥିଲା, ସେଠାରେ ଦୀର୍ଘଦିନ ଧରି ଗୋଟିଏ ବି ମାଙ୍କଡ଼ ଦେଖାଯାଉନଥିଲା। କିନ୍ତୁ ସୁଟିଂ ଆରମ୍ଭ ହେବା ପରେ ହଠାତ୍ ଗାଁରେ ପହଞ୍ଚିଗଲା ଏକ ମାଙ୍କଡ଼। ଘଟଣାଟି ଆହୁରି ରୋଚକ ହୋଇଥିଲା, ଯେତେବେଳେ ମାଙ୍କଡ଼ଟି ସିଧା ଯାଇ ପହଞ୍ଚିଥିଲା ହନୁମାନଙ୍କ ମୂର୍ତ୍ତି ନିକଟରେ।

ଫିଲ୍ମର ଏକ ଦୃଶ୍ୟରେ ଲକ୍ଷ୍ମଣ ଦାସ ନିଜ ହାତରେ ପଥର କାଟି ମହାବଳୀ ହନୁମାନଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ପରେ ଗୁମ୍ଫା ସାମ୍ନାରେ ଗଛ ତଳେ ସ୍ଥାପନ କରୁଛନ୍ତି ସେହି ମୂର୍ତ୍ତିକୁ। ଆଉ ଠିକ୍ ସେହି ସମୟରେ… ଯେତେବେଳେ ହନୁମାନଙ୍କ ମୂର୍ତ୍ତିରେ ରଙ୍ଗ ଲଗାଯାଉଛି, ହଠାତ୍ ଗଛ ଉପରେ ଆସି ବସିଲା ଏକ ମାଙ୍କଡ଼। କେବଳ ଗଛରେ ବସି ରହିଲା ନାହିଁ। ଧୀରେ ଧୀରେ ମୂର୍ତ୍ତି ଉପରକୁ ଚଢ଼ିଗଲା। ଆଉ ଶେଷରେ ହନୁମାନଙ୍କ ମୂର୍ତ୍ତିର ମସ୍ତକ ଉପରେ ବସିଗଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମାଙ୍କଡ଼ଟି ତା’ ହାତରେ ଏକ ପୁରୀ ଧରି ଆସିଥିଲା। ସୁଟିଂ ସେଟ୍ରେ ଉପସ୍ଥିତ ଟିମ୍ ଓ ଗ୍ରାମବାସୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଥିଲା ଏକ ଅପ୍ରତ୍ୟାଶିତ ମୁହୂର୍ତ୍ତ। ଏହି ଘଟଣାର କିଛି ବିହାଇଣ୍ଡ-ଦ-ସିନ୍ସ ଦୃଶ୍ୟ ଓ ଫଟୋ ମଧ୍ୟ ପରେ ସେୟାର କରାଯାଇଥିଲା। ଏବେ ଏହି ଘଟଣାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଢ଼ୁଛି ଚର୍ଚ୍ଚା। କେହି ଏହାକୁ ଏକ ସଂଯୋଗ ବୋଲି କହୁଛନ୍ତି, ତ ଆଉ କେହି ଏଥିରେ ହନୁମାନଙ୍କ ଆଶୀର୍ବାଦର ଝଲକ ଦେଖୁଛନ୍ତି।

ବିଶ୍ୱାସ ଯାହା ହେଉ। କିନ୍ତୁ ହନୁମାନଙ୍କ ମୂର୍ତ୍ତି ତିଆରି ହେଉଥିବା ବେଳେ ହଠାତ୍ ମାଙ୍କଡ଼ର ଆଗମନ ଏବଂ ମୂର୍ତ୍ତିର ମସ୍ତକ ଉପରେ ତା’ର ବସିବା ‘ହନୁମାନ ଅଂଶ’ର ସୁଟିଂ ସହ ଜଡ଼ିତ ଏକ ଏମିତି ଘଟଣା, ଯାହା ଫିଲ୍ମର କାହାଣୀ ବାହାରେ ମଧ୍ୟ ଦର୍ଶକଙ୍କ କୌତୂହଳକୁ ବଢ଼ାଇ ଦେଇଛି।