ଚାନ୍ଦବାଲି ୧୯।୬: ମନ୍ତେଇ ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ । ବାଲିଆପାଳ ନଦୀ ଉପରେ ପ୍ରସ୍ତାବିତ ବ୍ରିଜ୍ ନିର୍ମାଣ ପାଇଁ ଚାଲିଥିବା ରୋଡ଼ ଓ ସର୍ଭେ କାର୍ଯ୍ୟ ବେଳେ ଘଟିଥିଲା ଦୁଃଖଦ ଘଟଣା । ନିଖୋଜ ଯୁବକ ବିଜୟ ବେହେରାଙ୍କ ମୃତଦେହ ୨୪ ଘଣ୍ଟା ପରେ ମନ୍ତେଇ ନଦୀରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଗୁରୁବାର ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଅସ୍ଥାୟୀ ଟଣା ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଫଳରେ ୩ ଜଣ ଯୁବକ ପାଣିରେ ପଡ଼ିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କ ଉଦ୍ୟମରେ ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ।

Also Read:- ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ସ୍ଥାନରେ ଚଢାଉ ଜାରି

ନିଖୋଜ ଯୁବକ ଜଣକ ସ୍ଥାନୀୟ ଯଶୀପୁର ଅଞ୍ଚଳର ଚକ୍ରଧର ବେହେରାଙ୍କ ଏକମାତ୍ର ପୁଅ ବିଜୟ ବେହେରା ବୋଲି ଜଣାପଡ଼ିଛି । ଖବର ପାଇ, ଘଣ୍ଟେଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ପରିବାର ସଦସ୍ୟ ମାନେ ମୃତଦେହକୁ ବିଜୟ ବେହେରାଙ୍କର ବୋଲି ଚିହ୍ନଟ କରିଛନ୍ତି ।