ନୂଆଦିଲ୍ଲୀ: ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ (Phu Quoc Island) ନିକଟରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଛି। ଫଳରେ ୧୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ହାନୋଇରେ ଥିବା ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ସେହି ଡଙ୍ଗାରେ ମୋଟ ୩୬ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୩୨ ଜଣ ଭାରତୀୟ ପର୍ଯ୍ୟଟକ ବୋଲି କୁହାଯାଉଛି । 

ସମୁଦ୍ରରେ ପ୍ରବଳ ଲହଡ଼ି ଏବଂ ଦ୍ରୁତ ପବନ ଯୋଗୁଁ ଏହି ଅଘଟଣ ଘଟିଛି। ହନ୍ ମେ ରୁତ୍ ନ୍‌ଗୋଇ ଦ୍ୱୀପରୁ ବାହାରି ଅନ୍ ଥୋଇ ବନ୍ଦର ଆଡ଼କୁ ଯାଉଥିବା ସମୟରେ ଡଙ୍ଗାଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ସମସ୍ତ ପର୍ଯ୍ୟଟକ ଓ କ୍ରୁ ମେମ୍ବର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସୂଚନା ଦେଇ ଭାରତୀୟ ଦୂତାବାସ ଲେଖିଛି, ‘ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଅତ୍ୟନ୍ତ ଦୁଃଖଦାୟକ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସର୍ଚ୍ଚ ଆଣ୍ଡ ରେସକ୍ୟୁ (ଉଦ୍ଧାର କାର୍ଯ୍ୟ) ଚାଲିଥିବା ବେଳେ ଘଟଣାର ସଠିକ୍ ବିବରଣୀ ସଂଗ୍ରହ କରାଯାଉଛି।’ ପ୍ରଭାବିତ ପର୍ଯ୍ୟଟକ ଏବଂ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଭାରତୀୟ ମିଶନ ପକ୍ଷରୁ ହୋ ଚି ମିନ୍ ସିଟିରେ ଥିବା କନସୁଲେଟ୍ ଜେନେରାଲ୍ ଏବଂ ହାନୋଇରେ ଥିବା ଦୂତାବାସରେ ଦୁଇଟି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ସହାୟତା ପାଇଁ ହେଲ୍ପଲାଇନ ନମ୍ବର

ହୋ ଚି ମିନ୍ ସିଟି କଣ୍ଟ୍ରୋଲ ରୁମ୍: +84 36 281 7930, +84 91 552 37 14, +84 33 452 0414

ହାନୋଇ କଣ୍ଟ୍ରୋଲ ରୁମ୍: +84 91 308 9165

ଏହି ଘଟଣା ସମ୍ପର୍କିତ ଯେକୌଣସି ସୂଚନା ବା ସାହାଯ୍ୟ ପାଇଁ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରାଯାଇପାରିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଦାଇଛି ।