ନୂଆଦିଲ୍ଲୀ: ଆଉ ମିଳିବନି ୧୦ ମିନିଟ୍‌ରେ ଡେଲିଭରି। ଏହି ସେବାକୁ ଏବେ ବନ୍ଦ କରିବାକୁ ଯାଉଛି କ୍ୱିକ୍ କମର୍ସ ଆପ୍ ବ୍ଲିଙ୍କିଟ୍। ଗିଗ୍ ୱାର୍କରଙ୍କ ସୁରକ୍ଷା ଚିନ୍ତାକୁ ନେଇ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ବ୍ଲିଙ୍କିଟ୍ ଏହି ସେବା ବନ୍ଦ କରିବାକୁ ଯୋଜନା କରୁଛି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟେଡୁରେ ଖବର ପ୍ରକାଶ ପାଇଛି।

ନୂଆ ବର୍ଷ ପୂର୍ବଦିନ ଡିସେମ୍ବର ମାସରେ ଗିଗ୍ ୱାର୍କରମାନେ ବିଭିନ୍ନ ସମସ୍ୟା ଦର୍ଶାଇ ଦେଶବ୍ୟାପୀ ଆନ୍ଦୋଳନ କରିଥିଲେ। କାର୍ଯ୍ୟଶୈଳୀ, ଡେଲିଭରି ଚାପ ଏବଂ କୌଣସି ସୁରକ୍ଷା ନଥିବା ଗିଗ୍ ୱାର୍କରମାନେ ଅଭିଯୋଗ କରିଥିଲେ। ଏହାପରେ ସରକାର ଏ ଦିଗରେ ହସ୍ତକ୍ଷେପ କରିଥିଲେ। କମ୍ପାନୀମାନେ ଯେଉଁ ସମୟରେ ଡେଲିଭରି ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ସେ ଦିଗରେ ପୁନଃ ବିଚାର କରିବାକୁ କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କ୍ୱିକ୍ କମର୍ସ କମ୍ପାନୀଗୁଡ଼ିକୁ କହିଥିଲେ।

ଶର୍ଟ ଟାଇମ୍‌ରେ ଡେଲିଭରି ଯୋଗୁ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ରହୁଛି ବୋଲି ସରକାର ଚିନ୍ତା ବ୍ୟକ୍ତ କରିବା ସହିତ ଏ ଦିଗରେ କମ୍ପାନୀମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

କେଉଁ ପରିବର୍ତ୍ତନ କରିପାରେ ବ୍ଲିଙ୍କିଟ୍?

ମିଳିଥିବା ସୂଚନା ଅନୁଯାୟୀ, ବ୍ଲିଙ୍କିଟ୍ ଏହାର ସମସ୍ତ ବ୍ରାଣ୍ଡ ମେସେଜିଂରୁ "୧୦-ମିନିଟ୍ ଡେଲିଭରି" ଟ୍ୟାଗ୍ ହଠାଇ ଦେବ। ଏହାର ବିଜ୍ଞାପନ ହେଉ କିମ୍ବା ପ୍ରଚାର ଅଭିଯାନ ବା ସୋସିଆଲ ମିଡିଆ କମ୍ୟୁନିକେସନ କେଉଁଥିରେ ଏହି ୧୦ ମିନିଟ୍ ଡେଲିଭରି ଲେଖା ଥିବା ଦେଖିବାକୁ ମିଳିବନି, କି କମ୍ପାନୀ ଆଉ ଏଭଳି ଦାବି କରିବ ନାହିଁ।

ତେବେ ଏହାର ଅର୍ଥ ଏହା ନୁହେଁ ଯେ ଡେଲିଭରି ବିଳମ୍ବ ହେବ। କମ୍ପାନୀ ପୂର୍ବ ପରି ଗ୍ରାହକଙ୍କ ପାଖରେ ଯଥାଶୀଘ୍ର ଅର୍ଡର ଡେଲିଭରି ପହଞ୍ଚାଇବାକୁ ଚେଷ୍ଟା କରିବ। ତେବେ ରିସ୍କଫୁଲ୍ ଡେଲିଭରି ସମୟସୀମାକୁ କମ୍ପାନୀ ହଟାଇ ଦେବାକୁ ଚାହୁଁଛି ବୋଲି କୁହାଯାଉଛି।

ବଡ଼ ବଡ଼ କମ୍ପାନୀଙ୍କ ସହ ସରକାରଙ୍କ ଆଲୋଚନା ଜାରି

ଶର୍ଟ ଟାଇମ ଡେଲିଭରି ନେଇ କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟ ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ଅଧିକାରୀଙ୍କ ସହ ବୈଠକ କରିଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହି ଆଲୋଚନା ସମୟରେ, ମନ୍ତ୍ରୀ କମ୍ପାନୀଗୁଡ଼ିକୁ ସେମାନଙ୍କର ବ୍ରାଣ୍ଡିଂ ଏବଂ ମାର୍କେଟିଂ କମ୍ୟୁନିକେସନରୁ ଫିକ୍ସଡ୍ ଡେଲିଭରି ଟାଇମ ଲିମିଟ ହଟାଇବାକୁ କହିଥିଲେ। ଏଭଳି ଫିକ୍ସଡ୍ ଡେଲିଭରି ଟାଇମ ଲିମିଟ ଲଗାଇବା ଦ୍ୱାରା ୱାର୍କର ଉପରେ ଚାପ ପଡ଼ୁଛି ବୋଲି ସରକାର କହିଥିଲେ। ତର୍କରେ କମ୍ପାନୀ କହିଥିଲେ ଏହି ସିଷ୍ଟମ ନିକଟ ରେଷ୍ଟୋରାଣ୍ଟକୁ ଦେଖି କରାଯାଇଛି। ଏହା ସତ୍ତ୍ୱେ ସରକାର ଏଥିରେ ଅରାଜୀ ହୋଇଥିଲେ।

ଏହାପରେ ସମସ୍ତ କମ୍ପାନୀ ସେମାନଙ୍କର ବ୍ରାଣ୍ଡ ବିଜ୍ଞାପନ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡେଲିଭରି ସମୟ ସୀମାକୁ ହଟାଇ ଦେବାକୁ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିବା ମିଡିଆରେ ଖବର ପ୍ରକାଶ ପାଉଛି।

ସୂଚନା ଥାଉକି, ବିଭିନ୍ନ ଦାବି ନେଇ ଡିସେମ୍ବର ୨୫ ଏବଂ ଡିସେମ୍ବର ୩୧ରେ ଗିଗ୍ ଏବଂ ଡେଲିଭରି କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ। କର୍ମଚାରୀ ସଂଘଗୁଡ଼ିକ ପ୍ଲାଟଫର୍ମଗୁଡ଼ିକ ଉପରେ ଅସୁରକ୍ଷିତ ଡେଲିଭରି ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବା, ରୋଜଗାର ହ୍ରାସ କରିବା ଏବଂ ସୀମିତ ସାମାଜିକ ସୁରକ୍ଷା ପ୍ରଦାନ କରିବାର ଅଭିଯୋଗ ଆଣିଥିଲେ। ଯାହାପରେ ସରକାର ଏହାର ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି।