ମୟୁରଭଞ୍ଜ :ଏ ହେଉଛି ଜଣେ ବାପା ମନର ବେଦନା... ଦୁଃଖ...। ଆଉ ପୁଅ ଜନ୍ମ ଦେଇଥିବାର ଏକ ଦୁଃଖଦ ଉପଲବ୍ଧି। ଦିନେ ଯେଉଁ ମଣିଷଟା ହାତ ଧରି ଚାଲିବା ଶିଖାଇଲା, ଛାତିରେ ପଥର ଥୋଇ ସବୁ ଦୁଃଖ କଷ୍ଟ ସହି ପିଲାମାନଙ୍କୁ ପାଳି ପୋଷି ବଡ଼ କଲା। ଘରର ମଜଭୁଦ୍ ଖମ୍ବ ପରି ଛିଡ଼ା ହୋଇ ପିଲାଙ୍କୁ ସବୁ ବିପଦ ଆପଦରୁ ରକ୍ଷା କଲା। ସେହି ମଣିଷଟା ତ ବାପା। ଆଉ ଆଜି ବାପା ବୁଢ଼ା ହୋଇଗଲା ପରେ ପୁଅ ସାହାର କଣ ଦେବ, ପିତୃଋଣ କଣ ସୁଝିବ। ବରଂ ମାଡ଼ ମାରି କରୁଛି ଗାଳି ଗୁଲଜ। ଆଉ ସେହି ପୁଅ ଭୟରେ ବାପା ଆଜି ଥାନାର ଦ୍ୱାରସ୍ଥ। କାରଣ ବାପା ପାଇଁ ସୁରକ୍ଷିତ ଯାଗାଟି ଆଜି ଅସୁରକ୍ଷିତ ହୋଇ ପଡ଼ିଛି। ଭୟରେ ଦିନ ବିତୁଛି। ଦୃଷ୍ଟିବାଧିତ ବାପାଙ୍କୁ ଏବେ ଦୈବ ସାହା । ଚାରି ଚାରୋଟି ପୁଅର ବାପା। ଦିଓଳି ଦିମୁଠା ଖାଇବାକୁ ବି କରିବାକୁ ପଡ଼ୁଛି ସଂଘର୍ଷ। ଦି ପୁଅ ବାହାରେ କାମ କରୁଛନ୍ତି। ଆଉ ଜଣେ ଦଶ ବର୍ଷର ପୁଅ। ହଜାରେ ଟଙ୍କା ଦେଲେ ଖାଇବାକୁ ଦିଅନ୍ତି ବଡ଼ ପୁଅ। ଏବେ ପୁଣି ଆଖିକୁ ଦେଖା ନ ଯିବା ପରେ ପଚାରୁ ନାହାଁନ୍ତି ପୁଅ ବୋହୂ। କହୁଛନ୍ତି, ପଇସା ଦେଲେ ଖାଇବାକୁ ଦେବେ, ନହେଲେ ନାହିଁ।

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମୁନିସିପାଲଟି ଅଧିନ ଈଚିଣ୍ଡା ବସ୍ତିରେ ରୁହନ୍ତି ବସନ୍ତ ନାଥ। ସେ ଏବେ ରାଇରଙ୍ଗପୁର ଟାଉନ ଥାନା ରେ ନିଜର ବଡ଼ ପୁଅ ଓ ବୋହୂ ନାଁରେ ଏତଲା ଦେଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି କି ଆଜକୁ ବର୍ଷେ ନଅ ମାସ ହେବ ସ୍ତ୍ରୀ ଆରପାରିକୁ ଚାଲି ଯାଇଛି। ତାଙ୍କର କିନ୍ତୁ ଚାରି ପୁଅ। କୁଲି କାମ କରି ପୁଅଙ୍କୁ କରିଥିଲେ ମଣିଷ । ବୟସ ବଢ଼ିବା ପରେ ମଧ୍ୟ ଦିନ ମଜୁରୀ କରୁଥିଲେ ବସନ୍ତ। ହେଲେ ଏହି ସମୟରେ ହଠାତ ଦୁଇ ଆଖି ହରାଇଲେ। ଆଖିକୁ କିଛି ଦେଖା ଯାଇ ନଥିଲା। ପରେ ଆରମ୍ଭ ହୋଇଗଲା ପୁଅ ବୋହୂଙ୍କ ଜୁଲୁମ୍। ପଚାରିଲେନି ରୋଜଗାରକ୍ଷମ ପୁଅ। ବଡ଼ ପୁଅ ଓ ବୋହୂ ଟଙ୍କା ନ ଦେଲେ ଖାଇବା ବନ୍ଦ କରି ଦେଇଥିବା ବେଳେ ବାରମ୍ବାର ତାଗିଦ କରିବା ସହିତ ଧମକ ଚମକ ଦେଉଛନ୍ତି । ଏମିତିକି ବେଳେ ବେଳେ ଖାଇବାକୁ ମଧ୍ୟ ଦିଅନ୍ତି ନାହିଁ। ଅନ୍ୟ ଦୁଇପୁଅ ପଶ୍ଚିମବଙ୍ଗରେ ଏକ ହୋଟେଲରେ କାମ କରନ୍ତି।ସେମାନେ ବେଳେ ମାସକୁ ଏକ ହଜାର ଟଙ୍କା ପଠାଇ ଥାନ୍ତି। ବାପା ସେହି ଟଙ୍କା ବଡ଼ ପୁଅକୁ ଦେଲେ ଆଳୁ ସିଝା ସହ ଦୁଇ ଓଳି ଭାତ ମୁଠେ ମିଳେ। ଏଭଳି ପରିସ୍ଥିତିରେ ଦଶ ବର୍ଷର ନାବାଳକ ପୁଅ ପାଠ ନ ପଢି ବାପାର ସେବା କରୁଛନ୍ତି।

କୌଣସି କାରଣରୁ ବସନ୍ତଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ଭିନ୍ନକ୍ଷମ ଭତ୍ତା ମଧ୍ୟ ମିଳୁ ନାହିଁ। ବଡ଼ ପୁଅ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ସବୁ ବେଳେ ଗାଳି ଗୁଲଜ କରୁ ଥିବାରୁ ଅତ୍ୟଧିକ ଅତିଷ୍ଟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାପା। ଏନେଇ ବଡ଼ ପୁଅ ବିଜୟ ନାଥକୁ ଥାନାକୁ ଆଣି ପୋଲିସ୍ ଅଟକ ରଖି ଥିବା ଜଣା ପଡ଼ିଛି। କିନ୍ତୁ ଏ ଘଟଣା ପରେ ନିହାତି ଭାବେ କହିବାକୁ ମନେ ହେଉଛି ଯେ, ବାଃ ବାଃରେ ପୁଅ। ଯେଉଁ ବାପା ମଣିଷ କଲା, ରୋଜଗାର କରିବାକୁ ଯୋଗ୍ୟ କରାଇଲା। ଆଜି ମୁଣ୍ଡକୁ ହାତ ପାଇଗଲା ପରେ ସେହି ବାପା ଆଜି ଅଲୋଡ଼ା।