ମସ୍କୋ,|୦୬:ଋଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ କରୁଛନ୍ତି । ନିଜ ନିଜର ଦବଦବା ଜାହିର କରୁଛନ୍ତି। ତେବେ ବୁଧବାର ମସ୍କୋରେ ଥିବା ଏକ ତୈଳ ରିଫାଇନାରୀ ଉପରେ ୟୁକ୍ରେନ ଘାତକ ଆକ୍ରମଣ କରିଛି ।

କିଛି ଦିନ ତଳେ ଋଷିଆ ୟୁକ୍ରେନର ଅନେକ ଜାଗାରେ ଥିବା ବେସାମରିକ ବିଲ୍ଡିଂ ଉପରେ ଆକ୍ରମଣ କରିଥିଲା । ଏଥିରେ ଅନେକ ମୃତାହତ ହୋଇଥିଲେ । ତେବେ ଏହାର ଜବାବ ଦେବାକୁ ଯାଇ ୟୁକ୍ରେନ ମସ୍କୋ ଉପରେ ପ୍ରଚଣ୍ଡ ପ୍ରହାର କରିଛି । ଏପରିକି ଋଷିଆର ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମ୍ ମଧ୍ୟ ଫେଲ୍ ହୋଇଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୟୁକ୍ରେନର ଆକ୍ରମଣରେ ମସ୍କୋ ଆକାଶ ଧୂଆଁମୟ ହୋଇଯାଇଥିଲା । ଏପରିକି କଳା ରଙ୍ଗର ବର୍ଷା ହୋଇଥିବା ମଧ୍ୟ ଖବର ଆସିଛି । ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଆକାଶରୁ କଳା ପାଣି ପଡୁଛି । ମସ୍କୋର ଦକ୍ଷିଁଣ ପ୍ରାନ୍ତରେ ବସବାସ କରୁଥିବା ଲୋକେ ଏନେଇ ଅଭିଯୋଗ କରିଛନ୍ତି । ଲୋକଙ୍କ ଗାଡି ଏବଂ ପୋଷାକରେ ଆକ୍ରମଣ ପରେ ତୈଳର ଏକ ଆସ୍ତରଣ ଜମିଯାଇଛି ।

ଅନ୍ୟ ଦିଗରେ ମସ୍କୋ ପ୍ରଶାସନ ଏହାକୁ ଖଣ୍ଡନ କରଛି । ଆକାଶରୁ କୌଣସି କଳା ଟୋପା ପଡୁନଥିବା ପ୍ରଶାସନ କହିଛି । କିନ୍ତୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ କବାଟ ଝରକା ବନ୍ଦ କରି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ଏବଂ ଶିଶୁଙ୍କ ଶ୍ୱାସ ଜନିତ ସମସ୍ୟା କାରଣରୁ ସହର ଛାଡି କିଛି ଦିନ ପାଇଁ ଚାଲିଯିବାକୁ ମଧ୍ୟ ପ୍ରଶାସନ ପରାମର୍ଶ ଦେଇଛି ।

ଋଷିଆର ଆକ୍ରମଣ

ମସ୍କୋରେ ଆକ୍ରମଣ ପରେ ଋଷିଆ ଅଧିକ ପ୍ରତିଶୋଧ ପରାୟଣ ହୋଇ ଉଠିଛି । ୟୁକ୍ରେନର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇଛି । ଯେଉଁଥିରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବା ସହ ଆହତ ମଧ୍ୟ ହୋଇଛନ୍ତି । ୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଉତ୍ତର ପୂର୍ବର ସୁମୀ ପ୍ରାନ୍ତରେ ମସ୍କୋ ଏହି ଆକ୍ରମଣ କରିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି । ୟୁକ୍ରେନ ପକ୍ଷରୁ ମାଡ କରାଯାଇଥିବା 200ରୁ ଅଧିକ ଡ୍ରୋନକୁ ଇଣ୍ଟରସେପ୍ଟ୍ କରାଯାଇଛି ।

 

ୟୁକ୍ରେନର ବୟାନ

ମସ୍କୋର ତୈଳ ରିଫାଇନାରୀରେ ଆକ୍ରମଣ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଏଥିପାଇଁ ପୁଟିନ ଦାୟୀ । ପୁଟିନ ହିଁ ଯୁଦ୍ଧକୁ ଅଧିକ ଭୟଙ୍କର କରୁଛନ୍ତି । ଏହାର ଦଶା ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ଋଷ ଉପରେ ଯେଉଁ ଆକ୍ରମଣ ହୋଇଛି ତାହା ନ୍ୟାୟ ସଙ୍ଗତ । ୟୁକ୍ରେନର ସହରରେ ଋଷ ଆକ୍ରମଣ କରିଥିଲା । ଏହା ହେଉଛି ଆକ୍ରମଣର ପ୍ରତି ଜବାବ ।

ବଡ ଆକ୍ରମଣ ମଧ୍ୟରୁ ଅନ୍ୟତମ

ରୁଷିଆ ସରକାରଙ୍କ ସୂଚନା ଅନୁଯାୟୀ, ଗତ ଚାରି ବର୍ଷର ଯୁଦ୍ଧ ମଧ୍ୟରେ ଏହା ରୁଷିଆ ମାଟି ଉପରେ ୟୁକ୍ରେନର ସବୁଠାରୁ ବଡ଼ ଏବଂ ବିଧ୍ୱଂସକାରୀ ଡ୍ରୋନ ହାମଲା ମଧ୍ୟରୁ ଗୋଟିଏ । ମସ୍କୋର ଏହି ରିଫାଇନାରୀ ରୁଷିଆର ଅର୍ଥନୀତି ଏବଂ ସାଧାରଣ ଜୀବନଯାତ୍ରା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥ୍ୟ ଅନୁସାରେ, ଏହି ବିଶୋଧନାଗାର ସମଗ୍ର ମସ୍କୋ ଅଞ୍ଚଳର ଇନ୍ଧନ (Fuel) ଚାହିଦାର ଏକ-ତୃତୀୟାଂଶରୁ ଅଧିକ ଭାଗ ପୂରଣ କରିଥାଏ। ଏହା ପୂର୍ବରୁ ଜୁନ୍ ୧୬ରେ ମଧ୍ୟ ୟୁକ୍ରେନ ସେଠାରେ ଡ୍ରୋନ ଆକ୍ରମଣ କରିଥିଲା। ସେତେବେଳେ ନିଆଁକୁ ଶୀଘ୍ର ଆୟତ୍ତ କରାଯାଇଥିଲେ ସୁଦ୍ଧା, ଏଥର ଆକ୍ରମଣ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ୟୁକ୍ରେନ ପକ୍ଷରୁ ମସ୍କୋର ଏକ ଅତି ଗୁରୁତ୍ୱପୂର୍ଣ୍ଣ ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ବିଶୋଧନାଗାର ଉପରେ ଏହା ଦ୍ୱିତୀୟ ଆକ୍ରମଣ।