କୋଲକାତାଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୧୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଯେଉଁଥିରେ ପ୍ରମୁଖ ନେତା, ଦଳ ପରିବର୍ତ୍ତନକାରୀ ନେତା ଏବଂ କିଛି ନୂଆ ମୁହଁ ସାମିଲ ଅଛି।

ପ୍ରମୁଖ ନାଁଗୁଡ଼ିକ ମଧ୍ୟରେ, ଆଇପିଏସ୍ ଅଧିକାରୀ ରାଜେଶ କୁମାରଙ୍କୁ ଜଗତଦଲରୁ ପ୍ରାର୍ଥୀ କରାଯାଇଛି। କୌସ୍ତଭ ବାଗଚି ବାରାକପୁର, ଅଭିନେତାରୁ ରାଜନେତା ହୋଇଥିବା ରୂପା ଗାଙ୍ଗୁଲି ସୋନାରପୁର ଦକ୍ଷିଣରୁ ଏବଂ ପୂର୍ବତନ ତୃଣମୂଳ କଂଗ୍ରେସ ନେତା ତାପସ ରାୟ ମାଣିକତାଲାରୁ ନିର୍ବାଚନ ଲଢ଼ିବେ।

Also read- WestBengal Assembly Election : ଶୁଭେନ୍ଦୁ ଅଧିକାରୀ କହିଲେ-୨୫ ହଜାର ଭୋଟରେ ହାରିବେ ମମତା

ଅଭିନେତ୍ରୀ ପାପିୟା ଅଧିକାରୀଙ୍କୁ ଟଲିଗଞ୍ଜରୁ ଟିକେଟ୍ ଦିଆଯାଇଥିବା ବେଳେ ପ୍ରିୟଙ୍କା ଟିବ୍ରେୱାଲ ଏଣ୍ଟାଲିରୁ ନିର୍ବାଚନ ଲଢ଼ିବେ। ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବେନ୍ଦୁ ଅଧିକାରୀଙ୍କୁ ଏଗ୍ରାରୁ ପ୍ରାର୍ଥୀ କରାଯାଇଛି।

ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୨୩ ଏବଂ ୨୯ରେ ଭୋଟ ପଡ଼ିବ। ନିର୍ବାଚନ ଫଳାଫଳ ମେ ୪ରେ ଘୋଷଣା କରାଯିବ।

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେନ୍ଦ୍ର ମନ୍ତ୍ରୀ ନିସିଥ ପ୍ରାମାଣିକ ମାଠଭାଙ୍ଗାରୁ ନିର୍ବାଚନ ଲଢ଼ିବେ। ସେହିପରି ଶଙ୍କର ଅଧିକାରୀ ଚୋପ୍ରାରୁ ନିର୍ବାଚନ ଲଢ଼ିବେ ଓ ଅରୂପ ଚୌଧୁରୀ କାମାରହାଟିରୁ ନିର୍ବାଚନ ଲଢ଼ିବେ। ସନ୍ଦେଶଖାଲି ଘଟଣା ସମୟରେ ଲୋକପ୍ରିୟ ହୋଇଥିବା ରେଖା ପାତ୍ରଙ୍କୁ ହିଙ୍ଗଲଗଞ୍ଜରୁ ପ୍ରାର୍ଥୀ କରାଯାଇଛି।

ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ, ବିଜେପି ଉତ୍ତର ବଙ୍ଗ, ଦକ୍ଷିଣ ବଙ୍ଗର କିଛି ଅଂଶ ଏବଂ ପଶ୍ଚିମ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ୧୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।