କୋଲକାତା ୧୯।୩: ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଓ ନନ୍ଦିଗ୍ରାମ ଉଭୟ ଆସନରେ ନିଜ ବିଜୟକୁ ନେଇ ବେଶ୍ ଆଶାୟୀ ଅଛନ୍ତି। ସେ ଗୁରୁବାର କହିଛନ୍ତି ଯେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କୋଲକାତାର ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳିରେ ମମତା ବାନାର୍ଜୀଙ୍କୁ ୨୫ ହଜାରରୁ ଅଧିକ ଭୋଟରେ ହରାଇବି । ସେ କହିଛନ୍ତି ଯେ ମୁଁ ସ୍ଥାନୀୟ ଭୋଟରଙ୍କ ସହ କଥା ହୋଇଛି ଓ ସେମାନଙ୍କ ବିଚାର ବୁଝିଛି। ମମତା ବାନାର୍ଜୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ମୁଁ ତାଙ୍କୁ ଦ୍ୱିତୀୟବାର ପରାସ୍ତ କରିବି ବୋଲି ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।

ଭବାନୀପୁରରୁ ପ୍ରାର୍ଥୀ ହୋଇଛନ୍ତି ମମତା
ଭବାନୀପୁର ନିର୍ବାଚନମଣ୍ଡଳି ତୃଣମୂଳ କଂଗ୍ରେସ ଦ୍ୱାରା ନିୟନ୍ତ୍ରିତ ଦକ୍ଷିଣ କୋଲକାତା ଲୋକସଭା ଆସନର ଏକ ଅଂଶ। ଏଥିରେ କୋଲକାତା ନଗର ନିମଗର ୮ ୱାର୍ଡ ସାମିଲ ରହିଛି। ଏଣୁ ନିର୍ବାଚନକୁ ଆଖିରେ ରଖି ଶୁଭେନ୍ଦୁ ଅଧିକାରୀ ଚକ୍ରବେରିଆ ଅଞ୍ଚଳରୁ ନିଜର ନିର୍ବାଚନ ଅଭିଯାନ ଆରମ୍ଭ କରିଥିବା କହିଛନ୍ତି। ବିଜେପି ସୋମବାର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କୁ ଉଭୟ ଭବାନୀପୁର ଓ ନନ୍ଦିଗ୍ରାମରୁ ପ୍ରାର୍ଥୀ କରିଛି। ଏଥିରେ ମମତା ବାନାର୍ଜୀ ଚତୁର୍ଥବାର ଭବାନୀପୁରରୁ ପ୍ରାର୍ଥୀ ହେବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି।

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ମୁକାବିଲା କରିବେ ପବିତ୍ରା କର
ସେହିପରି ମମତା ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ନିକଟତମ ପବିତ୍ରା କରଙ୍କୁ ପ୍ରାର୍ଥୀ କରିଛନ୍ତି। ଏଥିରେ କର ନନ୍ଦିଗ୍ରାମରେ ଅଧିକାରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ହେବେକି ବୋଲି ପ୍ରଶ୍ନ କରାଯିବାରେ ସେ ଏହାକୁ ଟାଳି ଯାଇଛନ୍ତି ଓ କହିଛନ୍ତି ମୁଁ ତାଙ୍କ ସମ୍ପର୍କରେ ପଦଟିଏ ବି କହିବି ନାହିଁ। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ମୋତେ ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଓ ବିଜୟ ସୁନିଶ୍ଚିତ କରିବାକୁ କହିଛନ୍ତି। ଏଥିରେ ଟିଏମସି ମୁଖପାତ୍ର ଦେବାଂଶୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଯଦି ଅଧିକାରୀ ଏତେ ନିଶ୍ଚିତ ତେବେ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି କାହିଁକି? ସେ ଏଥର ନିର୍ବାଚନରେ ଉଭୟ ଆସନରୁ ହାରିବେ।

ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି ମମତା
ଟିଏମସି ନେତାଙ୍କ ଅନୁସାରେ ଅଧିକାରୀ ଦିନବେଳା ପ୍ରଚାର କରିବା ପରେ ବାନାର୍ଜୀ ତାଙ୍କ କାଲିଘାଟସ୍ଥିତ ବାସଭବନରେ କ୍ୟାବିନେଟ୍ ମନ୍ତ୍ରୀ ଫିରହାଦ ହକିମ, ପାର୍ଟି ଅଧ୍ୟକ୍ଷା ସୁବ୍ରତା ବକ୍ସି ଓ ଟିଏମସି ପ୍ରଦେଶ ଉପାଧ୍ୟକ୍ଷ ଜୟପ୍ରକାଶ ମଜୁମଦାରଙ୍କୁ ଭେଟି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି। ମମତା ବାନାର୍ଜୀ ଭବାନୀପୁର ଆସନରୁ ୨୦୧୧ ମସିହାରେ ପ୍ରଥମ ଥର ବିଜୟୀ ହୋଇଥିଲେ। ସେତେବେଳେ ଟିଏମସି ରାଜ୍ୟରୁ ୩୪ ବର୍ଷ ପୁରୁଣା ବାମ ମୋର୍ଚ୍ଚା ସରକାରଙ୍କୁ ଶାସନରୁ ବେଦଖଲ କରିଥିଲା।

ଏବେ ବିରୋଧୀ ଦଳ ନେତା ଅଛନ୍ତି ଶୁଭେନ୍ଦୁ ଅଧିକାରୀ
ମମତା ୨୦୧୬ ମସିହା ନିର୍ବାଚନରେ ମଧ୍ୟ ସେହି ଆସନରୁ ବିଜୟୀ ହୋଇଥିଲେ। ସେ ନନ୍ଦିଗ୍ରାମରୁ ବିଜୟୀ ଶୁଭେନ୍ଦୁ ଅଧିକାରୀଙ୍କୁ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ କରିଥିଲେ। ତେବେ ଶୁଭେନ୍ଦୁ ଅଧିକାରୀ ୨୦୨୧ ନିର୍ବାଚନର କିଛି ମାସ ପୂର୍ବରୁ ଟିଏମସି ଛାଡି ବିଜେପିରେ ସାମିଲ ହୋଇଯାଇଥିଲେ। ମମତା ବାନାର୍ଜୀ ଅଧିକାରୀଙ୍କୁ ତାଙ୍କ ଘରୋଇ ଆସନରେ ଚ୍ୟାଲେଞ୍ଜ କରିଥିଲେ। ତେବେ ଅଧିକାରୀ ନିର୍ବାଚନରେ ବିଜୟୀ ହେବା ପରେ ବିଜେପି ତାଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା କରିଛି। ଏଥିରେ ମମତା ବାନାର୍ଜୀ ମଙ୍ଗଳବାର ପାର୍ଟିର ପ୍ରାର୍ଥୀ ତାଲିକା ଜାରି କରି ୨୦୨୬ରେ ୨୨୬ରୁ ଅଧିକ ଆସନ ଜିତିବା ଆମର ଟାର୍ଗେଟ ବୋଲି କହିଛନ୍ତି