ଚେନ୍ନାଇ: ତାମିଲନାଡୁରେ ରାଜନୈତିକ ବୟାନବାଜିକୁ ନେଇ ନୂଆ ବିବାଦ ଦେଖାଦେଇଛି। ଶନିବାର ବିଜେପିର ତାମିଲନାଡୁ ରାଜ୍ୟ ସଭାପତି ନୈନାର ନାଗେନ୍ଦ୍ରନ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଚେନ୍ନାଇସ୍ଥିତ ବିଜେପିର ରାଜ୍ୟ ମୁଖ୍ୟାଳୟ କମଳାଳୟମରେ ଏକ ଦଳୀୟ କାର୍ଯ୍ୟକ୍ରମରେ ନାଗେନ୍ଦ୍ରନ କହିଥିଲେ ଯେ, ଯଦି କାହାକୁ “ତାଙ୍କ ବାପା କେଉଁଠି ଅଛନ୍ତି” ଜାଣିବାକୁ ଇଚ୍ଛା ହୁଏ, ତେବେ ଏହାର ଉତ୍ତର ବିଧାନସଭାରେ ଖୋଜିବା ପରିବର୍ତ୍ତେ ଘରେ ମାଆଙ୍କୁ ପଚାରିବା ଉଚିତ। ବିଜୟ ବିଧାନସଭାରେ ବାରମ୍ବାର ‘ବାପା’ ପ୍ରସଙ୍ଗ ଉଠାଉଥିବା ଦର୍ଶାଇ ନାଗେନ୍ଦ୍ରନ ତାଙ୍କୁ ଏଭଳି ଭାବେ କଟାକ୍ଷ କରିଥିଲେ। ତାଙ୍କ ଏହି ମନ୍ତବ୍ୟକୁ ବିଜୟଙ୍କ ପୂର୍ବ ରାଜନୈତିକ ଟିପ୍ପଣୀର ଜବାବ ବୋଲି କୁହାଯାଉଛି।

‘କୁଟ୍ଟି କଥା’କୁ ନେଇ ଆରମ୍ଭ ହୋଇଥିଲା ବିବାଦ

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭାରେ ଏକ ‘କୁଟ୍ଟି କଥା’ ବା ଛୋଟ କାହାଣୀ ଶୁଣାଇ ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନଙ୍କୁ କଟାକ୍ଷ କରିଥିଲେ। ୨୦୨୬ ଏପ୍ରିଲ ବିଧାନସଭା ନିର୍ବାଚନରେ ଡିଏମ୍କେର ପରାଜୟ ପରେ ବିଜୟଙ୍କ ଏହି ଟିପ୍ପଣୀ ଆସିଥିଲା। ବିଜୟ ତାଙ୍କ କାହାଣୀରେ ଉଧୟନିଧି ଷ୍ଟାଲିନଙ୍କ ବାପା କେଉଁଠି ଅଛନ୍ତି ବୋଲି ହାସ୍ୟାତ୍ମକ ଢଙ୍ଗରେ ପ୍ରଶ୍ନ କରିଥିଲେ। ଏହାକୁ ଷ୍ଟାଲିନଙ୍କ କୋଲାଥୁର ଆସନରେ ପରାଜୟ ସହ ଯୋଡ଼ି ଦେଖାଯାଇଥିଲା।

Also Read- ଆନାଲଗ୍ ଡାଏରୀ ପ୍ରଡକ୍ଟସ୍ ଉପରେ ଆକ୍ସନ, ପନିର-ଘିଅ-ଖୁଆ ସମେତ ସବୁ ବ୍ୟାନ୍

ବିଜୟଙ୍କ ଏହି ମନ୍ତବ୍ୟକୁ ନେଇ ସେତେବେଳେ ଡିଏମକେ ସମେତ ଅନେକ ରାଜନୈତିକ ଦଳ ଆପତ୍ତି ଉଠାଇଥିଲେ। ଏହାର ଜବାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ବିଧାନସଭାରେ ନଥିଲେ ମଧ୍ୟ ଲୋକଙ୍କ ହୃଦୟରେ ଉପସ୍ଥିତ ଅଛନ୍ତି।

ନାଗେନ୍ଦ୍ରନଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା

ବିଜେପି ରାଜ୍ୟ ସଭାପତିଙ୍କ ଏହି ମନ୍ତବ୍ୟ ପରେ ତାମିଲନାଡୁରେ ରାଜନୈତିକ ପ୍ରତିକ୍ରିୟା ତେଜ ହୋଇଛି। ରାଜ୍ୟ ମନ୍ତ୍ରୀ ଏ. ରାଜମୋହନ ଏହାକୁ “ଅସଭ୍ୟ ଓ ଅନୁଚିତ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉତ୍ତେଜନା ଓ ବ୍ୟକ୍ତିଗତ ଆକ୍ରମଣ ସତ୍ତ୍ୱେ ବିଜୟ ନିଜ ସହଯୋଗୀମାନଙ୍କୁ ସର୍ବଦା ରାଜନୈତିକ ମର୍ଯ୍ୟାଦା ବଜାୟ ରଖିବାକୁ କହିଆସିଛନ୍ତି।

ଅନ୍ନାମଲାଇ ମଧ୍ୟ କଲେ ନିନ୍ଦା

ପୂର୍ବତନ ବିଜେପି ରାଜ୍ୟ ସଭାପତି କେ. ଅନ୍ନାମଲାଇ ମଧ୍ୟ ନାଗେନ୍ଦ୍ରନଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଜଣାଇଛନ୍ତି। ତାଙ୍କ ମତରେ ଏହି ଟିପ୍ପଣୀ ରାଜନୈତିକ ଶିଷ୍ଟାଚାରର ସୀମା ଅତିକ୍ରମ କରିଛି। ଅନ୍ନାମଲାଇ କହିଛନ୍ତି ଯେ ସରକାରଙ୍କୁ ପ୍ରଶ୍ନ କରିବା ଏବଂ ରାଜନୈତିକ ମତଭେଦ ପ୍ରକାଶ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅଂଶ। କିନ୍ତୁ କୌଣସି ନେତାଙ୍କ ପରିବାର, ବିଶେଷକରି ତାଙ୍କ ମାଆଙ୍କୁ ନେଇ ବ୍ୟକ୍ତିଗତ ଆକ୍ରମଣ କରିବା ଗ୍ରହଣୀୟ ନୁହେଁ।

ଏଭଳି ମନ୍ତବ୍ୟକୁ ସେ ପଛୁଆ ଚିନ୍ତାଧାରାର ଏବଂ “ଥାର୍ଡ-ରେଟ୍” ରାଜନୀତି ବୋଲି ବର୍ଣ୍ଣନା କରିବା ସହ ଯୁବପିଢ଼ି ମଧ୍ୟରେ ଏପରି ରାଜନୈତିକ ସଂସ୍କୃତିକୁ ପ୍ରୋତ୍ସାହନ ନଦେବାକୁ କହିଛନ୍ତି। ନାଗେନ୍ଦ୍ରନଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ତାମିଲନାଡୁର ରାଜନୀତିରେ ବ୍ୟକ୍ତିଗତ ଆକ୍ରମଣ ବନାମ ରାଜନୈତିକ ମର୍ଯ୍ୟାଦାକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।