ନୂଆଦିଲ୍ଲୀ:  ବିଜେପି ଗରୁବାର ତିନି ରାଜ୍ୟ- ତ୍ରିପୁରା, ହରିୟାଣା ଏବଂ ପଞ୍ଜାବ ସହ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ପାଇଁ ନୂଆ ରାଜ୍ୟ ସଭାପତିଙ୍କ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ ରାଜ୍ୟମାନଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ପଦାଧିକାରୀଙ୍କ ଏକ ନୂଆ ଟିମ୍ ବାଛିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସାଂସଦ ଏବଂ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେହିଭଳି ହରିୟାଣାରେ ଅର୍ଚ୍ଚନା ଗୁପ୍ତାଙ୍କୁ ରାଜ୍ୟ ସଭାପତି ଘୋଷଣା କରାଯାଇଛି। ତ୍ରିପୁରାରେ ଅଭିଷେକ ଦେବରାୟ ଏବଂ ପଞ୍ଜାବରେ କେବଲ ସିଂହ ଢିଲ୍ଲୋଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି।

ହର୍ଷ ମାଲହୋତ୍ରା: ଦିଲ୍ଲୀ

ହର୍ଷ ମାଲହୋତ୍ରା ଏବେ କେନ୍ଦ୍ର ସରକାରରେ କର୍ପୋରେଟ ବ୍ୟାପାର ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ପଦରେ ଅଛନ୍ତି। ସେ ବିରେନ୍ଦ୍ର ସଚଦେବାଙ୍କ ସ୍ଥାନ ନେବେ। ହର୍ଷ ମାଲହୋତ୍ରା ୨୦୨୪ ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀ ସିଟରୁ ସାଂସଦ ହୋଇଥିଲେ। ସେ କର୍ପୋରେଟର ସହ ପୂର୍ବ ଦିଲ୍ଲୀ ନଗର ନିଗର (EDMC)ର ମେୟର ମଧ୍ୟ ରହିସାରିଛନ୍ତି। ଦିଲ୍ଲୀରେ ଆପ୍ ବିରୋଧରେ ପାର୍ଟିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ତାଙ୍କର ଚୟନକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ଭାବରେ ଦେଖାଯାଉଛି।

Also Read: ଫାଲ୍ଟା ପୋଛି ନେଲା ବିଜେପି: ବିପୁଳ ଭୋଟ୍‌ରେ ଜିତିଲେ ଦେବାଂଶୁ ପଣ୍ଡା, ଚତୁର୍ଥ ସ୍ଥାନକୁ ଖସିଲା ଟିଏମସି​​​​​​​

ଡା. ଅର୍ଚ୍ଚନା ଗୁପ୍ତା: ହରିୟାଣା

ହରିୟାଣାରେ ଦଳ ବଡ଼ ସାଂଗଠନିକ ପରିବର୍ତ୍ତନ କରିବା ସହ ମୋହନ ଲାଲ ବଡୌଲୀଙ୍କୁ ହଟାଇ ଡା. ଅର୍ଚ୍ଚନା ଗୁପ୍ତାଙ୍କୁ ନୂଆ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଡା. ଅର୍ଚ୍ଚନା ଗୁପ୍ତା ଏହା ପୂର୍ବରୁ ପାନିପତ ଜିଲ୍ଲା ସଭାପତି ଭାବରେ କାମ କରିସାରିଛନ୍ତି। ଜାଟ ଏବଂ ଅଣ- ଜାଟ ସମୀକରଣ ଏବଂ ରାଜ୍ୟରେ ମହିଳାଙ୍କ ଭାଗିଦାରୀ ବାର୍ତ୍ତା ଦେବା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ଏହି ବଡ଼ ଦାୟିତ୍ବ ଦିଆଯାଇଛି।

କେବଲ ସିଂହ ଢିଲ୍ଲୋ: ପଞ୍ଜାବ

ପଞ୍ଜାବରେ ସୁନୀଲ ଜାଖଡ଼ଙ୍କ ତିନି ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ପୂର୍ବତନ ବିଧାୟକ କେବଲ ସିଂହ ଢିଲ୍ଲୋଙ୍କୁ ରାଜ୍ୟର ନୂଆ ସଭାପତି ନିଯୁକ୍ତ କରାଯାଇଛି। ୭୫ ବର୍ଷୀୟ ଢିଲ୍ଲୋ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ବରନାଲାରୁ ବିଧାୟକ ହୋଇଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଖୁବ୍ ଘନିଷ୍ଠ। କଂଗ୍ରେସର ପଞ୍ଜାବ ନିର୍ବାଚନରେ ପରାଜୟ ପରେ, ଢିଲ୍ଲୋ ୨୦୨୨ ଜୁନରେ ବିଜେପିରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ ପଞ୍ଜାବ ବିଜେପିର ଉପାଧ୍ୟକ୍ଷ ଭାବରେ କାମ କରୁଥିଲେ। ମାଲଓ୍ବା କ୍ଷେତ୍ରରେ ତାଙ୍କ ମଜବୁତ ନେତୃତ୍ବ ଏବଂ ଶିଖ୍ ନେତା ହୋଇଥିବା କାରଣରୁ ତାଙ୍କ ଉପରେ ଦଳ ଭରଷା କରିଛି।

Also Read: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ସିଦ୍ଦରମୈୟା, ମନ୍ତ୍ରୀଙ୍କ ସହ ବ୍ରେକଫାଷ୍ଟ ମିଟିଂ ପରେ କଲେ ଘୋଷଣା

ଅଭିଷେକ ଦେବରାୟ: ତ୍ରିପୁରା

ପୂର୍ବୋତ୍ତର ରାଜ୍ୟ ତ୍ରିପୁରାରେ ରାଜୀବ ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନରେ ଯୁବ ବିଧାୟକ ଅଭିଷେକ ଦେବରାୟଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଛି। ୪୦ ବର୍ଷୀୟ ଦେବରାୟ ଗୋମତୀ ଜିଲ୍ଳାର ମାତାବଡ଼ୀ ବିଧାନସଭା କ୍ଷେତ୍ରରୁ ବର୍ତ୍ତମାନ ବିଧାୟକ ଅଛନ୍ତି। ୨୦୨୩ରେ ସେ ତ୍ରିପୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବଡ଼ ଭୋଟ ବ୍ୟବଧାନରେ ହରାଇ  ପ୍ରଥମ ଥର ବିଧାନସଭାକୁ ଯାଇଥିଲେ। ଫାର୍ମାସୀରେ ସ୍ନାତକ କରିଥିବା ଦେବରାୟ ପାର୍ଟିର ଯୁବ ଭୋଟର ଏବଂ କାର୍ମଙ୍କ ମଧ୍ୟରେ ବେଶ୍ ପରିଚିତ।