ଭୁବନେଶ୍ୱର ୧୫।୦୪ : ବିଜେପି ସରକାରକୁ ବିଜେଡିର ଟାର୍ଗେଟ । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଦେଶର ମହିଳାମାନଙ୍କୁ ଭୁଆଁ ବୁଲାନଯାଉ । ଏବେ ବିଭିନ୍ନ ରାଜ୍ୟରେ ନିର୍ବାଚନ ରହିଛି। ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି । ବିଭିନ୍ନ ସାମଗ୍ରୀର ଦରଦାମ ହୁହୁ ହୋଇ ବଢିବାରେ ଲାଗିଛି । ତେଣୁ ଏସବୁ ପ୍ରସଙ୍ଗ ଉପରେ ନଜରା ହଟାଇବାକୁ ରାଜନୈତିକ ଅଭିସନ୍ଧି ରଖି ପ୍ରହସନ କରାନଯାଉ ବୋଲି ବିଜେଡି ପ୍ରେସମିଟ୍ କରି କହିଛି ।

ଦଳର ବରିଷ୍ଠ ନେତ୍ରୀ ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ସ୍ନେହାଙ୍ଗୀନି ଛୁରିଆ ଏକ ପ୍ରେସମିଟର ଆୟୋଜନ କରିଥିଲେ । ଏହି ପ୍ରେସମିଟ୍ରେ ସେ ବିଜେପି ସରକାରଙ୍କୁ ନାରୀ ଶକ୍ତ ବନ୍ଦନ ଅଧିନିୟମକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲାଗୁ କରିବାକୁ ବିଜେଡି ସ୍ୱାଗତ କରୁଛି। କିନ୍ତୁ ଏହି ଅଧିନିୟମ ନାଁରେ ବିଜେପି ପ୍ରହସନ ନକରୁ। ପାର୍ଲିଆମେଣ୍ଟରେ ଏହି ବିଲ୍ ୨୦୨୩ରେ ପାରିତ ହୋଇଛି। ଆନ୍ତରିକତା ସହ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରନ୍ତୁ। ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଯେତେବେଳେ ସାରା ଦେଶ ଚିନ୍ତା କରିନଥିଲା । ସେତେବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ।

Also Read:-୧୮୦ ଝିଅ, ୩୫୦ ଭିଡିଓ... ଅମରାବତୀ ଘଟଣାରେ ମୋବାଇଲ୍ ଫୋନରୁ ଡାଉନଲୋଡ୍ ହୋଇଥିବା ଭିଡିଓ ପଛର ସତ କଣ ?

ସେହିପରି ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ମହିଳା କମିଶନ ପ୍ରତିଷ୍ଠା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ଆରମ୍ଭ କରିଥିଲେ। ଯାହାକି ସାରା ଦେଶକୁ ଦିଗଦର୍ଶନ ଦେଇଥିଲା। ଏହି ଧାରାକୁ ଆହୁରି ଆଗକୁ ନେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ପାଇଁ ବିଜେଡି ସ୍ଵର ଶାଣିତ କରିଆସିଛି। ଅଘୋଷିତ ଭାବରେ ବିଜେଡି ଲୋକସଭା ଓ ବିଧାନସଭାରେ ଅଧିକ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୧୮ରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେଉ ବୋଲି ସର୍ବସମ୍ମତି ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଥିଲା। ଏହି ବିଲକୁ ସଂସଦରେ ପାରିତ କରିବା ପାଇଁ ୨୨ଟି ରାଜନୈତିକ ଦଳକୁ ବିଜେଡି ପ୍ରତିନିଧି ପଠାଇ ଅନୁରୋଧ କରିଥିଲା। ଆଜି ସାରା ଦେଶରେ ମହିଳାଙ୍କ ଚାପ ବଢିବା ପରେ ସରକାର ଏହାକୁ ଲାଗୁ କରିବାକୁ ଯାଉଛନ୍ତି।