କଟକ: କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ଘରେ ହେଲା ବିଜେଡି ନେତାଙ୍କ ମେଳି। ଆସନ୍ତାକାଲି ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେପି ରେ ମିଶିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବସିଲା ବିଜେଡିର ମେଳି। କଟକ ମେୟର ସୁବାସ ସିଂ, ବିଜେଡି ଉପ ସଭାପତି ଦେବୀ ମିଶ୍ର , ରାଜ୍ୟସଭା ସାଂସଦ ସନ୍ତ୍ରୁପ୍ତ ମିଶ୍ର, ବିଜେଡି ନେତା ପ୍ରତାପ ଜେନା , ଦଳର ନେତା ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ବିଜେଡି ଜିଲ୍ଲା ସଭାପତି ଓ ନଗର ସଭାପତି ମଧ୍ୟ ସାମିଲ ଥିଲେ ।

ସଂଗଠନ କୁ ସୁଦୃଢ଼ କରିବା ପାଇଁ ନେତା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ କିଛି ଗୁପ୍ତ ଆଲୋଚନା ମଧ୍ୟ ହୋଇଥିଲା। ବିଜେଡି ଦଳ ଛାଡୁଥିବା ନେତାଙ୍କୁ କଟାକ୍ଷ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସଂତୃପ୍ତ ମିଶ୍ର। ବର୍ତ୍ତମାନ ବର୍ଷାଦିନ ଝଡ଼ ତୋଫାନରେ କେତେ ପତ୍ର ଉଡ଼ି ଇଆଡ଼େ ସିଆଡ଼େ ପଳାଇ ଯାଉଛନ୍ତି। ଯାହାଙ୍କର ହୃଦୟ ଆମ ସହ ଅଛି ସେମାନେ ଆମ ସହ ସବୁବେଳେ ରହିବେ।ଯିଏ ଟିକାଉ ସିଏ ରହିବେ ଯିଏ ବିକାଉ ସିଏ ଚାଲିଯିବେ।

ବିଜୁ ଜନତା ଦଳ ବୃହତ୍ ଦଳ ଦୁଇ ଚାରିଜଣ ଚାଲିଗଲେ କିଛି ଅସୁବିଧା ନାହିଁ।କଟକ ନେତୃତ୍ୱ ନେବା ପାଇଁ ବହୁତ ଲୋକ ଅଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର। ସେହିଭଳି ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ପୂର୍ବରୁ ଯେପରି ଦଳ ଚାଲିଥିଲା ସେମିତି ଦଳ ଚାଲିବ। ଦଳ ଆହୁରି ମଜବୁତ ହେବ ବୋଲି କହିଥିଲେ ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର।