ବ୍ରହ୍ମପୁର: ଅଡିଓ ବଢାଇଲା ବିକ୍ରମଙ୍କ ଅଡୁଆ । ଜେଲ୍ ଭିତରେ ଥାଇ ସାକ୍ଷୀଙ୍କୁ ଧମକ ଦେବା ଘଟଣାରେ ଏବେ ଏକ ଅଡିଓ ରେକର୍ଡ଼ ଭାଇରାଲ୍ ହୋଇଛି । ଭାଇରାଲ୍ ହୋଇଥିବା ଏହି ଅଡିଓ ରେକର୍ଡ଼ ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ଓ ସାକ୍ଷୀ ଲଳିତଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ । ତେବେ ଗତ କିଛି ଦିନ ପୂର୍ବରୁ ଡାକ୍ତରଙ୍କ ମୋବାଇଲକୁ ପୋଲିସ ଜବତ କରିଥିବା ବେଳେ ଅଡିଓ କିଭଳି ଭାଇରଲ ହେଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଅଡିଓ ରେକର୍ଡ଼ ସତ କିନ୍ତୁ ଏହା ଭାଇରାଲ କରିନାହିଁ ବୋଲି କହିଛନ୍ତି ସାକ୍ଷୀ ଲଳିତ ମୋହନ ମଙ୍ଗରାଜ ।

ସାକ୍ଷୀଙ୍କୁ ଦେଇଥିଲେ ଧମକ !

କୋର୍ଟରେ ଅଡିଓ ସତ କହିବା ପୂର୍ବରୁ ଅଡିଓ ରେକର୍ଡ଼ କିଛି ଅଂଶ ଭାଇରଲ ହେବା ପରେ ଏବେ ମାମଲାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଜେଲ ଭିତରେ ରହି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମାମଲାର ପ୍ରମୁଖ ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ନିଜେ ସାକ୍ଷୀ ଲଳିତ ମୋହନ ମଙ୍ଗରାଜ ଗୋଷାଣୀ ନୂଆଗାଁ ଥାନାରେ ଜେଲ ଡ଼ାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନରୁ ବିକ୍ରମ ଓ ମଦନ ଦଳେଇ କଥା ହୋଇ ଧମକ ଚମକ ଦେଇଥିବା ଥାନାରେ ଅଭିଯୋଗ କରିଥିଲେ ।

କିଭଳି ଭାଇରାଲ୍ ହେଲା ଅଡିଓ ?

ତେବେ ଏହି ମାମଲା ସଂକ୍ରାନ୍ତୀୟ ଏକ ଅଡିଓ ରେକର୍ଡ଼ ଭାଇରାଲ ହୋଇଛି । ଯେଉଁଥିରେ କି ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସାକ୍ଷୀ ଲଳିତଙ୍କୁ ଫୋନ କରି ନିଜର ପରିଚୟ ଦେବା ସହ ସେ ଚ୍ୟାଉପଟ୍ଟନାୟକ ଘରେ ଝାଡୁ ମାରୁଥିଲେ ବୋଲି ଲଳିତଙ୍କୁ କହିଥିଲେl ଏହାପରେ ମଦନ ଦଳେଇ କଥା ହେବେ ବୋଲି ଲଳିତଙ୍କୁ କହିଥିଲେ ସୁଶାନ୍ତ । ଏହି କିଛି କଥାର ଅଡିଓ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବିକ୍ରମଙ୍କ ଓକିଲ ! ଗତ କିଛି ଦିନ ପୂର୍ବରୁ ଡାକ୍ତରଙ୍କୁ ପୋଲିସ ଥାନାକୁ ଡ଼ାକି ପଚରାଉଚରା କରିବା ସହ ମୋବାଇଲ ଜବତ କରିଥିଲା । ତେବେ ଅଡିଓ ରେକର୍ଡ଼ କିଭଳି ଭାଇରଲ ହେଲା ? ଆଉ ଏହି ଅଡିଓ କେବେକାର ଓ କେଉଁଠି କଥା ହେଉଛନ୍ତି ସେ ନେଇ ଅଧିକ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିକ୍ରମଙ୍କ ଓକିଲ ।

କଥା ହୋଇଥିବା ସ୍ଵୀକାର କଲେ ଲଳିତ

ସେପଟେ ଅଡିଓ ରେକର୍ଡ଼ କିଏ ଭାଇରଲ କରିଛି ତାହା ଜାଣିନି, କିନ୍ତୁ ଏହା ଭାଇରାଲ କରିନାହିଁ ବୋଲି କହିଛନ୍ତି ଲଳିତ ମଙ୍ଗରାଜ । ଭାଇରାଲ ହୋଇଥିବା ଅଡିଓ ରେକର୍ଡ଼ରେ ଯେଉଁ କଥାବାର୍ତ୍ତା ହେଉଛି ସେଥିରେ ଡାକ୍ତରଙ୍କ ସହ କଥା ଲଳିତ କଥା ହୋଇଥିବା ସ୍ୱୀକାର କରିଛନ୍ତି । ଆଉ ଭାଇରାଲ ହୋଇଥିବା ଅଡିଓ ସତ ବୋଲି ସେ କହିଛନ୍ତି । ପୋଲିସ ଯେତେବେଳେ ଥାନାକୁ ଡକାଇଥିଲେ ସେହି ସମୟରେ ପାଖରେ ଥିବା ସମସ୍ତ ଅଡିଓ ରେକର୍ଡ଼ ପୋଲିସକୁ ଦେଇସାରିଥିବା କହିଛନ୍ତି ସାକ୍ଷୀ ଲଳିତ ମୋହନ ମଙ୍ଗରାଜ । ଏହି ଭାଇରାଲ୍ ଅଡିଓ ସହ ସାକ୍ଷୀ ଦେଇଥିବା ଅଡିଓ ରେକର୍ଡ଼ ପୋଲିସ ପାଇଁ କେତେ ସହାୟକ ହେବ ଏବଂ ଘଟଣାରେ ପୁଲିସର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର l