West Bengal Election 2026: ପଶ୍ଚିମବଙ୍ଗରେ ମତଦାନ ଯେତେ ପାଖେଇ ଆସୁଛି କଟକଣା ସେତେ କଡ଼ା ହେଉଛି। କାରଣ ପଶ୍ଚିମବଙ୍ଗରେ ନିର୍ବାଚନ ସବୁବେଳେ ହିଂସାତ୍ମକ। ତେଣୁ ଏଥର ଯେମିତି ସେଭଳି କୌଣସି ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ନିର୍ବାଚନ କମିଶନ ପୂରା କଡ଼ା କଟକଣା ଲାଗୁ କରୁଛନ୍ତି। ଏଥିପାଇଁ ସାରା ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି। ବାଇକ୍‌ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଯାଇଛି। ଏବଂ ବାଇକ୍‌ରେ ପଛରେ କାହାକୁ ବସାଇବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ।

ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ। ଭୋଟଗ୍ରହଣକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ମଙ୍ଗଳବାର ଠାରୁ ଏହି ନୂଆ କଟଣା ଲାଗୁ କରାଯାଇଛି। ରାଜ୍ୟର ସମସ୍ତ ୧୫୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି କଟକଣା ଲାଗୁ ହେବ।

କଡ଼ା କଟକଣା ଲାଗୁ-

ରାତିରେ ବାଇକ ଚଲାଇବା ମନା- ରାଜ୍ୟରେ ନିର୍ବାଚନ ମାହୋଲ ଖୁବ୍ ଉତ୍ତେଜନା ମୂଳକ ଥିବା ବେଳେ ରାତିରେ ବାଇକ୍ ଚଳାଇବା ମନା କରାଯାଇଛି। ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ କେହି ବି ବାଇକ କିମ୍ବା ସ୍କୁଟର ଚଳାଇ ପାରିବେ ନାହିଁ। ତେବେ ମେଡିକାଲ ଓ ପାରିବାରିକ କାର୍ଯ୍ୟକ୍ରମ ଭଳି ଜରୁରୀ ପରିସ୍ଥିତିରେ କଟକଣା କୋହଳ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଭୟଭୀତ କରିବା ଏବଂ ବାଧା ସୃଷ୍ଟି କରିବା ଆଶଙ୍କା ଥିବାରୁ ବାଇକ୍ ରାଲି ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି।

Also Read- Lenskart Tilak Row: ଲେନ୍ସକାର୍ଟ ଶୋ'ରୁମ୍ରେ ତିଳକ ବିବାଦ, ଧାର୍ମିକ ଭେଦଭାବ ଅଭିଯୋଗ ପରେ କର୍ମଚାରୀଙ୍କୁ ତିଳକ ଲଗାଇଲେ ବିଜେପି ନେତ୍ରୀ

ଦିନରେ କାହାକୁ ପଛରେ ବସାଇବା ମନା- ଦିନ ବେଳା ମଧ୍ୟ ବାଇକ୍‌ରେ କାହାକୁ ପଛରେ ବସାଇ ଯାତ୍ରା କରିବାକୁ ବ୍ୟାନ୍ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ବାଇକ ଚାଳକ ପଛରେ ଅନ୍ୟ କୌଣସି ଯାତ୍ରୀଙ୍କୁ ବସାଇ ନେଇପାରିବେ ନାହିଁ। ଏଥିରେ ବି ଜରୁରୀ ପରିସ୍ଥିତିରେ ନିୟମ କୋହଳ କରାଯାଇଛି। ମେଡିକାଲ୍ ସ୍ଥିତି, ପିଲାକୁ ସ୍କୁଲ୍‌ ନେବା ଆଣିବା କରିବା ଓ ପାରିବାରିକ କାର୍ଯ୍ୟକ୍ରମରେ ନିୟମ କୋହଳ ରହିଛି।

ଭୋଟ୍‌ ଗ୍ରହଣ ଦିନ କେବଳ ପରିବାର ଲୋକେ ହିଁ ବାଇକ୍‌ରେ ବସିପାରିବେ: ଭୋଟଗ୍ରହଣ ଦିନ ନିୟମରେ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କେବଳ ପରିବାର ଲୋକେ ହିଁ ବାଇକ୍ ପଛରେ ବସି ଯାଇପାରିବେ। କଟକଣା ନେଇ କମିଶନ କହିଛନ୍ତି ଯେ ଅଯଥା ଭୟ ସୃଷ୍ଟି କରିବା, କାମରେ ବାଧା ଦେବା ଏବଂ ଭୋଟରମାନଙ୍କ ପାଇଁ ଏକ ଶାନ୍ତ ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଏହିସବୁ ନିୟମ କରାଯାଇଛି। ନିୟମରେ କୋହଳ ଚାହୁଁଥିବା ବ୍ୟକ୍ତିମାନେ ସେମାନଙ୍କର ସ୍ଥାନୀୟ ପୋଲିସ ଷ୍ଟେସନରୁ ପୂର୍ବରୁ ଏକ ଲିଖିତ ଅନୁମତି ନେଇପାରିବେ ବୋଲି କମିଶନ କହିଛନ୍ତି।

ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ-​​​​​​​ ପଶ୍ଚିମବଙ୍ଗର ମୋଟ ୨୯୪ଟି ଆସନ ପାଇଁ ମୋଟ ୨ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଗୁରୁବାର (୨୩ ଏପ୍ରିଲ ୨୦୨୬) ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆସନ୍ତା ବୁଧବାର (୨୯ ଏପ୍ରିଲ ୨୦୨୬)ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡ଼ିବ। ମେ ୪ ତାରିଖରେ ସୋମବାର ଭୋଟ ଗଣତି ହେବ। ରାଜ୍ୟରେ କ୍ଷମତା ଦଖଳ କରିବାକୁ ହେଲେ ମ୍ୟାଜିକ୍ ନମ୍ବର ୧୪୮ ରହିଛି। ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ପର୍ଯ୍ୟାୟ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ୪୮ ଘଣ୍ଟା ପାଇଁ 'ଡ୍ରାଏ ଡେ' (ମଦ ବିକ୍ରି ନିଷେଧ) ମଧ୍ୟ ଘୋଷଣା କରାଯାଇଛି।

​​​​​​​