ନୂଆଦିଲ୍ଲୀ: ବିହାରକୁ ଏହି ସପ୍ତାହରେ ନୂଆ ମୁଖ୍ୟମନ୍ତ୍ରୀ ମିଳିଯିବେ । ନୀତୀଶ କୁମାର ଦିଲ୍ଲୀ ଯିବା ପରେ ଏବେ ବିହାରରେ ବିଜେପିର ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ । ଏହା ପୂର୍ବରୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜପି ନିଜର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ବିଜେପି ବିଧାୟକ ଦଳ ବୈଠକ ପାଇଁ ଶିବରାଜ ସିଂହ ଚୌହାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି ଦିଲ୍ଲୀ ନେତୃତ୍ବ ।

ଶବିରାଜଙ୍କୁ ନିଯୁକ୍ତ କଲା ବିଜେପି

ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ବିହାରରେ ବିଧାୟକ ଦଳର ନେତା ଚୟନ ଲାଗି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ, ଏବେ ବିହାରରେ ପ୍ରଥମ ଥର ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ଏହି ତାଲିକାରେ ଆଗରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ

ଚିତ୍ର ସ୍ପଷ୍ଟ କଲେ ବିଜୟ ଚୌଧୁରୀ

ନୂତନ ସରକାର ଗଠନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିହାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ। ଏହି ସମୟରେ ସେ କହିଛନ୍ତି, ବିଜେପିକୁ ମୁଖ୍ୟମନ୍ତ୍ରୀ ପାଇଁ ନାମ ସୁପାରିଶ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ବିଜେପି ନେବ ବୋଲି ଇଙ୍ଗିତ କରିଛନ୍ତି ବିଜୟ ଚୌଧୁରୀ। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଲାଗି ପ୍ରାର୍ଥୀଙ୍କ ନାଁ ବିଜେପି ସୁପାରିଶ କରିବା ପରେ ଏନଡିଏ ବିଧାୟକ ଦଳର ବୈଠକ ହେବ । ଏଥିରେ ଏନଡିଏ ବିଧାୟକ ଦଳର ନେତା ଚୟନ କରାଯିବ ।

ଏନଡିଏ ବିଧାୟକ ଦଳ ନେତା ହିଁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଏହି ମାମଲାରେ ଭାରତୀୟ ଜନତା ପାର୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିଜେପିର ନିଜସ୍ୱ ପ୍ରକ୍ରିୟା ଅଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ସେ କହିଛନ୍ତି ଯେ, ସେମାନେ ପୂର୍ବରୁ ନିୟମିତ ଭାବରେ ବୈଠକ କରିଆସୁଛନ୍ତି ଏବଂ ଏଥିରେ କିଛି ନୂଆ ନାହିଁ । ନୂତନ ସରକାର ଗଠନ ସମ୍ପର୍କରେ ବିଜୟ ଚୌଧୁରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ।