ପାଟନା: ବିହାରର ସମସ୍ତୀପୁର ଏବଂ ଜମୁଇ ଜିଲ୍ଲାରେ ଯୌନ ନିର୍ଯାତନା ଘଟଣାକୁ ନେଇ କ୍ଷମତାସୀନ ଜନତା ଦଳ ୟୁନାଇଟେଡ୍ (JDU) ର ବରିଷ୍ଠ ନେତା ଏବଂ ବିହାର ସରକାରଙ୍କ ମନ୍ତ୍ରୀ ଅଶୋକ ଚୌଧୁରୀ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିହାରରେ ଲଗାତାର ଘଟୁଥିବା ଏହି ନିନ୍ଦନୀୟ ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ‘ଗଣମାଧ୍ୟମ ନିଜର ନାରେଟିଭ୍ ବା ଦୃଷ୍ଟିକୋଣ ସୃଷ୍ଟି କରିବା ବନ୍ଦ କରୁ’ ବୋଲି କହିଛନ୍ତି । 

ଏପରି ଅପରାଧ କେବଳ ବିହାରରେ ନୁହେଁ, ବରଂ ଆମେରିକା ଏବଂ ଜାପାନ ଭଳି ବିକଶିତ ଦେଶଗୁଡ଼ିକରେ ମଧ୍ୟ ଘଟୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଏହା ସହ ସେ କହିଛନ୍ତି, ବିହାର ୧୪ କୋଟି ଜନସଂଖ୍ୟାବିଶିଷ୍ଟ ଏକ ରାଜ୍ୟ ହୋଇଥିବାରୁ ଏଠାରେ ଅସାମାଜିକ, ଅଶିକ୍ଷିତ ଓ ଦୁଷ୍ଟ ଲୋକଙ୍କର ଅଭାବ ନାହିଁ, ଯେଉଁମାନେ ଆଇନ ଶୃଙ୍ଖଳାକୁ କ୍ଷତି ପହଞ୍ଚାଉଛନ୍ତି।   ଜମୁଇ, ଦରଭଙ୍ଗା ଏବଂ ନିକଟରେ ସମସ୍ତୀପୁରରେ ଜଣେ ଯୁବତୀଙ୍କୁ ନିର୍ଯାତନା ଦିଆଯିବା ଘଟଣା ପରେ ସାଧାରଣ ଲୋକଙ୍କ ସୁରକ୍ଷା ଓ ସରକାରଙ୍କ ଅଧିକାରକୁ ନେଇ ପ୍ରଶ୍ନ ଉଠିଛି। 

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ଅଧିକାର ଏବେ ବି କାୟମ ଅଛି ଏବଂ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜମୁଇରେ ୨୪ ଘଣ୍ଟା ଏବଂ ସମସ୍ତୀପୁରରେ ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ବିଶ୍ୱର କୌଣସି ନେତା କିମ୍ବା ମୁଖ୍ୟମନ୍ତ୍ରୀ ଅପରାଧ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଦାବି କରିପାରିବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି କି ? ସରକାର ଆକ୍ସନ ନେଉଛନ୍ତି ନା ନାହିଁ ?

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଅପରାଧୀଙ୍କ ଉପରେ ଆଇନର ବୁଲଡୋଜର ଚାଲିବ। ଅନ୍ୟପଟେ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନ୍ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଅପରାଧୀମାନେ ଜେଲ୍ ଗଲେ ବି ସହଜରେ ଜାମିନ ମିଳିଯିବ ବୋଲି ଜାଣିଥିବାରୁ ଏପରି ସାହସ କରୁଛନ୍ତି।