ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ଏକ ଦୋହରୀ ନାଗରିକତା ସମ୍ପର୍କିତ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିଜର ଆଦେଶକୁ ଶନିବାର ପ୍ରତ୍ୟାହାର କରିଛନ୍ତି। ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମାନିଛନ୍ତି ଯେ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଆଦେଶ ତାଙ୍କ ବିନା ନୋଟିସ୍ ରେ ଜାରି କରାଯାଇ ପାରିନଥାନ୍ତା। ଉଲ୍ଲେଖଯୋଗ୍ୟ ଯେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ୧୭ ଏପ୍ରିଲ ଶୁକ୍ରବାର ରାହୁଲଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ଶୁଣାଣିରେ ବେଞ୍ଚ ଟିପ୍ପଣୀ କରିଥିଲେ ଯେ ଥରେ ଏତଲା ରୁଜୁ ହୋଇ ଗୋଲେ ରାଜ୍ୟ ସରକାର ଯେ କୌଣସି କେନ୍ଦ୍ରୀୟ ଏଜେନ୍ସୀଙ୍କୁ ମାମଲାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇ ପାରନ୍ତି। ହାଇକୋର୍ଟଙ୍କ ସିଙ୍ଗଲ ବେଞ୍ଚ ବିଚାରପତି ଜଷ୍ଟିସ୍ ସୁଭାଷ ବିଦ୍ୟାର୍ଥୀଙ୍କ ପୀଠ କର୍ଣ୍ଣାଟକ ବିଜେପି କାର୍ଯ୍ୟକର୍ତ୍ତା ଏସ୍.ୱିଗ୍ନସ୍ ଶିଶିରଙ୍କ ଦ୍ୱାରା ଋଜୁ ଏକ ଆବେଦନ ଉପରେ ଏହି ଆଦେଶ ଗୃହୀତ କରିଥିଲେ। କୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ଆପାତତଃ ଯାଞ୍ଚରୁ ଏହା ଜଣାପଡୁଛି ଯେ ଏକ ସାଂଘାତିକ ଅପରାଧ ହୋଇଛି। ଏଣୁ ମାମଲାର ଯାଞ୍ଚ ଆବଶ୍ୟକତା ଦେଖା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଆବେଦନ ଆରମ୍ଭରେ ରାୟବରେଲୀ ସ୍ୱତନ୍ତ୍ର ଏମପି, ଏମଏଲଏ କୋର୍ଟରେ ରୁଜୁ ହୋଇଥିଲା। ତେବେ ଆବେଦନକାରୀ ୱିଗ୍ନେସଙ୍କ ଏକ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ୧୭ ଡିସେମ୍ବର ୨୦୨୫ରେ ମାମଲାକୁ ଲକ୍ଷ୍ନୌ ସ୍ଥାନାନ୍ତରିତ କରିଦେଇଥିଲେ। ଲକ୍ଷ୍ନୌ ଏମପି, ଏମଏଲଏ କୋର୍ଟ ପରେ ୨୮ ଜାନୁୟାରୀ ୨୦୨୬ରେ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଆବେଦନକାରୀ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି।