ଦିନେ ଅମିତାଭ ବି ଲଢ଼ିଥିଲେ ନିର୍ବାଚନ; ଏଯାଏ କେହି ଭାଙ୍ଗିପାରିଲେ ନାହିଁ ଶେହେନ ଶାହଙ୍କ ରେକର୍ଡ

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ହେବା ପରେ ଦେଶରେ ପ୍ରଥମ ଥର ୧୯୫୧-୫୨ରେ ଲୋକସଭା ନିର୍ବାଚନ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ନିର୍ବାଚନରେ ପ୍ରଚାର-ପ୍ରସାର, ଭୋଟିଂ ଓ ଭୋଟଗଣନା ସହ ଜଡ଼ିତ କିଛି ଏମିତି ରୋଚକ କଥା ରହିଛି, ଯାହା ନିର୍ବାଚନ ଆସିଲେ ମନେପଡ଼େ। 

ଅମିତାଭ ବଚ୍ଚନ ପ୍ରଚାର ବେଳର ଫଟୋ

ଠିକ୍ ଏମିତି ଏକ ନିର୍ବାଚନୀ ରୋଚକ କଥା ୧୯୮୪ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ବାଲଟ ପେପରରେ ଭୋଟ୍ ବଦଳରେ ଥିଲା ମହିଳାଙ୍କ ଲିପ୍‌ଷ୍ଟିକ୍ ଚିହ୍ନ। ମହିଳାମାନେ ଭୋଟ୍ ତ ଦେଇଥିଲେ, ହେଲେ ଶତାଧିକ ବାଲଟ ପେପର୍‌କୁ ଲିପ୍‌ଷ୍ଟିକ୍ ଚିହ୍ନ ରଙ୍ଗୀନ କରି ଦେଇଥିଲେ। କଥାଟି ଆପଣଙ୍କୁ ରୋଚକ ଲାଗୁଛି ନା…? ନିର୍ବାଚନର ପୂରା କାହାଣୀ ଠିକ୍ ସେହିପରି..।

୧୯୮୪ ଲୋକସଭା ନିର୍ବାଚନରେ ମୈଦାନ୍‌କୁ ଓହ୍ଲାଇଥିଲେ ବଲିଉଡ୍ ଶେହେନ୍‌ ଶା’ ଦ ଟଲ୍ ଏଙ୍ଗ୍ରୀ ମ୍ୟାନ୍ ଅମିତାଭ ବଚ୍ଚନ। ଅମିତାଭ କଂଗ୍ରେସ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିଲେ ଭାରତୀୟ ଲୋକଦଳର ହେବି ୱେଟ୍ ହେମବତୀ ନନ୍ଦନ ବହୁଗୁଣା। ୧୯୭୭ ମସିହାରେ ହେମବତୀ ବହୁଗୁଣା ଥିଲେ ସେହି ବ୍ୟକ୍ତି ଯିଏ କଂଗ୍ରେସ ଦଳ ଛାଡ଼ି ଜନତା ପାର୍ଟିକୁ କେନ୍ଦ୍ରର କ୍ଷମତା ଦଖଲରେ ଅନେକ ସହଯୋଗ କରିଥିଲେ।

ବହୁଗୁଣାଙ୍କ ରାଜନୈତିକ ଲୋକପ୍ରିୟତା ଏତେ ଥିଲା ଯେ ତାଙ୍କୁ ହରାଇବାକୁ ରାଜୀବ ଗାନ୍ଧୀ ତାଙ୍କ ବନ୍ଧୁ ଅମିତାଭ ବଚ୍ଚନଙ୍କୁ ନିର୍ବାଚନ ମୈଦାନକୁ ଛାଡ଼ିଥିଲେ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏହି ନିର୍ବାଚନ ଆୟୋଜିତ ହେଉଥିବାରୁ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଓ କଂଗ୍ରେସ ପାର୍ଟିର ସମ୍ପୂର୍ଣ୍ଣ ଭାରା ଥିଲା ରାଜୀବ ଗାନ୍ଧୀଙ୍କ ହାତରେ। ହେମବତୀ ବହୁଗୁଣାଙ୍କ ଠାରୁ ରାଜନୈତିକ ପ୍ରତିଶୋଧ ବି ନେବାର ଥିଲା। 

ହେମବତୀ ନନ୍ଦନ ବହୁଗୁଣା

ପଢ଼ନ୍ତୁ-ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି, ଆତଙ୍କୀ କସାବକୁ ପହଞ୍ଚାଇଥିଲେ ଫାଶୀ ଖୁଣ୍ଟରେ; ପୁନମ ମହାଜନଙ୍କ କଟିଲା ଟିକଟ
ଇନ୍ଦିରାଙ୍କ ହତ୍ୟା ପରେ ଜନତାଙ୍କ ସହାନୁଭୂତି କଂଗ୍ରେସ ସହ ଥିଲା। ତେଣୁ ରାଜୀବ ଗାନ୍ଧୀ ତାଙ୍କ ବନ୍ଧୁ ଅଭିନେତା ଅମିତାଭ ବଚ୍ଚନଙ୍କୁ ଆହ୍ଲାବାଦରୁ ପ୍ରାର୍ଥୀ ଘୋଷଣା କରିଦେଲେ। ପ୍ରତିପକ୍ଷରେ ଥିଲେ ହେମବତୀ ନନ୍ଦନ ବହୁଗୁଣା। ଆଉ ଏହି ନିର୍ବାଚନ ଅମିତାବ ବହୁଗୁଣାଙ୍କୁ ଏମିତି ହରାଇଲେ ଯେ ଯାହା ଆଜି ବି ଏକ ରେକର୍ଡ ହୋଇ ରହିଛି।

ଅମିତାଭ ବଚ୍ଚନ ଓ ହେମବତୀ ନନ୍ଦନ ବହୁଗୁଣାଙ୍କ ମଧ୍ୟରେ ମୁକାବିଲା ଏତେ ରୋଚକ ହେଉଥିଲା ଯେ ମହାନାୟକ ପ୍ରଚାର ପାଇଁ ଯେଉଁଠି ଯାଉଥିଲେ ସେଠି ଏମିକି ଭିଡ଼ ହେଉଥିଲା ଯେମିତି ଶୋରିଷ ବୁଣିଲେ ବି ତଳେ ପଡ଼ିବନି। ଅମିତାଭଙ୍କ ଟିକେ ଝଲକ ପାଇବା ପାଇଁ ଯୁବବର୍ଗ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ। ମହିଳା ଓ ଯୁବତୀମାନେ ଦିୱାନୀ ଥିଲେ ଯେ ଅମିତାଭଙ୍କ ନିର୍ବାଚନ ପ୍ରଚାରରେ ନିଜ ଓଡ଼ଣୀ ବି ଫିଙ୍ଗି ଦେଉଥିଲେ। ଅମିତାଭଙ୍କ ଏହି ଲୋକପ୍ରିୟତା ଭୋଟ ଗଣନା ବେଳେ ବାରି ହୋଇ ପଡ଼ିଥିଲା।  ସେତେବେଳେ ନିର୍ବାଚନରେ ବାଲଟ ପେପର ବ୍ୟବହାର କରାଯାଉଥିଲା। ଯେତେବେଳେ ଭୋଟ ଗଣନା କରାଗଲା ସେତେବେଳେ ଅଧିକାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ବାଲଟ ପେପରରେ ମହିଳାମାନେ ଭୋଟ୍‌ ତ ଅମିତାଭଙ୍କୁ ଦେଇଥିଲେ ହେଲେ କିନ୍ତୁ ଚୁମା ଦେଇ ପୁରା ପେପରକୁ ଲିପ୍‌ଷ୍ଟିକ୍‌ର ଚିହ୍ନରେ ରଙ୍ଗୀନ କରିଦେଇଥିଲେ। 

ପଢ଼ନ୍ତୁ-ହେବାକୁ ଚାହୁଁଥିଲେ କ୍ରିକେଟର, ବନିଗଲେ ଦେଶର ଧନୀ ବ୍ୟାଙ୍କର: ଏବେ ପଡିଛି RBI ନାଲିଆଖି

ଅମିତାଭଙ୍କ ପ୍ରତି ଫ୍ୟାନ୍‌ଙ୍କର ଏଭଳି ପ୍ରେମ କିନ୍ତୁ ନିର୍ବାଚନରେ ମହଙ୍ଗା ପଡ଼ିଲା। ଆଜ୍ଞା ହଁ… ଏହି ଲିପ୍‌ଷ୍ଟିକ ଚିହ୍ନ ପାଇଁ ପ୍ରାୟ ୪ ହଜାର ଭୋଟ୍ ଥିବା ବାଲଟ ପେପରକୁ ରଦ୍ଦ କରିଦିଆଯାଇଥିଲା। ଏହା ସତ୍ତ୍ୱେ ବି ମହାନାୟକ ଅମିତାଭ ବଚ୍ଚନଙ୍କୁ ୨ ଲକ୍ଷ ୯୭ ହଜାର ୪୬୧ ଖଣ୍ଡ ଭୋଟ ମିଳିଥିଲା। ଅନ୍ୟପଟେ ବହୁଗୁଣାଙ୍କୁ ମିଳିଥିଲା ୧ ଲକ୍ଷ ୦୯ ହଜାର ୬୬୬ ଖଣ୍ଡ ଭୋଟ। ଅମିତଭା ଆହ୍ଲାବାଦର ହୋଇଥିବାରୁ ଏହା ବି ତାଙ୍କର ବଡ଼ ବିଜୟର ଏକ କାରଣ ହୋଇଥିଲା। ଅମିତାଭ ପ୍ରଚାର ପାଇଁ ଯେଉଁଠିକି ଯାଉଥିଲେ “ଛୋରା ଗଙ୍ଗା କିନାରେ ବାଲା” କହି ଲୋକଙ୍କୁ ଉତ୍ସାହିତ କରୁଥିଲେ।

ଅମିତାଭ ବଚ୍ଚନ ନିର୍ବାଚନ ଜିତି ନେତା ସିନା ହୋଇଗଲେ କିନ୍ତୁ ରାଜନୀତିରେ ତାଙ୍କ ମନ ଲାଗିଲା ନାହିଁ। ସାଂସଦ ଭାବେ ସେ ତାଙ୍କ ୫ ବର୍ଷର କାର୍ଯ୍ୟକାଳ ବି ପୂରା କରିପାରିଲେ ନାହିଁ, ମଝିରୁ ଇସ୍ତଫା ଦେଇଦେଲେ। ବୋଫର୍ଶ ଦୁର୍ନୀତି ଗାନ୍ଧୀ ପରିବାର ଓ ବଚ୍ଚନଙ୍କ ମଧ୍ୟର ଦୂରତା ବଢାଇ ଦେଇଥିଲା। ସେତେବେଳେ ଅମିତାଭ ବଚ୍ଚନ କହିଥିଲେ “ମୋର ରାଜନୀତିରେ ଆସିବା ଏକ ଭୁଲ ଥିଲା। ମୁଁ ଏକ ଆବେଗରେ ଭାସି ଯାଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିଲି। କିନ୍ତୁ ପ୍ରକୃତରେ ରାଜନୀତି ଖୁବ୍ ଅଲଗା। ଶେଷରେ ମୋତ ହାର ମାନିବାକୁ ପଡ଼ିଲା।”  

ଅମିତାଭଙ୍କ ରେକର୍ଡ ଏବେ ବି କେହି ଭାଙ୍ଗିପାରି ନାହାନ୍ତି
୧୯୮୪ ନିର୍ବାଚନରେ ଅମିତାଭ ବଚ୍ଚନଙ୍କୁ ୨,୯୭,୪୬୧ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିପକ୍ଷ ହେମବତୀ ନନ୍ଦନ ବହୁଗୁଣାଙ୍କୁ ମିଳିଥିଲା ୧, ୦୯,୬୬୬ ଖଣ୍ଡ ଭୋଟ୍। ମୋଟ ୪,୩୬,୧୨୦ ଖଣ୍ଡ ଭୋଟ୍‌ରୁ ଅମିତାଭ ହାତେଇଥିଲେ ୬୮.୨୧ ପ୍ରତିଶତ ଭୋଟ୍। ଅମିତାଭ ବହୁଗୁଣାଙ୍କୁ ୧,୮୭,୮୯୫ ଖଣ୍ଡ ଭୋଟ୍‌ରେ ହରାଇ ଦେଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ କୌଣସି ଲୋକପ୍ରିୟ ନେତା ଅମିତଭାଙ୍କ ରାଜନୈତିକ ରେକର୍ଡ ଭାଙ୍ଗିପାରି ନାହାନ୍ତି।


ଏହାର ୧୪ ବର୍ଷ ପରେ ମୁରଲୀ ମନୋହର ଜୋଶୀ ୨,୬୫,୨୩୨ ଖଣ୍ଡ ମିଳିଥିଲା। ହେଲେ ସେ ଅମିତାଭଙ୍କ ପାଖ ବି ଛୁଇଁପାରି ନଥିଲେ। ତେବେ ଏହା ଅହ୍ଲାବାଦ ଆସନରୁ ଦ୍ୱିତୀୟ ସର୍ବବୃହତ ବିଜୟ ଥିଲା। ଜୋଶୀ ପ୍ରତିପକ୍ଷ ସରୋଜ ଦୁବେଙ୍କୁ ୧,୦୩,୫୨୩ ଖଣ୍ଡ ଭୋଟ୍‌ରେ ହରାଇ ଦେଇଥିଲେ।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.