ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବାର ଅଛି, ତିହାର ଜେଲରୁ ବାହାରିବା ପରେ କହିଲେ କେଜ୍ରିୱାଲ୍

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ 50 ଦିନ ଯାଏ ତିହାର ଜେଲରେ ରହିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନରେ ବାହାରକୁ ଆସିଛନ୍ତି । ଜେଲରୁ ବାହାରକୁ ଆସିବା ପରେ ସେ ଗାଡ଼ିରେ ବସି ସେଠାରେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇ ଘର ଅଭିମୁଖେ ବାହାରିଥିଲେ । ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାଗତ ପାଇଁ ତିହାର ଜେଲ ବାହାରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଆମ୍ ଆଦମୀ ପାର୍ଟିର ହଜାର ହଜାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ତିହାର ଜେଲରୁ ବାହାରିବା ପରେ କେଜ୍ରିୱାଲ ଗଡ଼ିରେ ବସି ହାତ ହଲାଇ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ତେବେ କିଛି ବାଟ ଯିବା ପରେ ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସଂକ୍ଷିପ୍ତରେ ଅପିଲ୍ କରିଥିଲେ । ସେ କହିଥିଲେ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ସାରା ଦେଶରୁ ଲୋକଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା ମିଳିଛି, ଏଥିପାଇଁ ସମସ୍ତଙ୍କ ନିକଟରେ କୃତଜ୍ଞ । ମୁଁ ସୁପ୍ରିମକୋର୍ଟଙ୍କ ଜଜଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯେଉଁମାନଙ୍କ ପାଇଁ ଆପଣଙ୍କ ମଧ୍ୟରେ ଅଛି । 

ଅରବିନ୍ଦ କେଜ୍ରିୱାଲ ସେଠାରେ ଉପସ୍ଥିତ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ମିଶି ଏକଛତ୍ରବାଦ ବିରୋଧରେ ଲଢନ୍ତୁ । ମୁଁ ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବା ପାଇଁ ଲଢେଇ କରୁଛି । କିନ୍ତୁ ଏହି ଲଢେଇ କେବଳ ମୋର ନୁହେଁ । ଏହି ଲଢେଇରେ 140 କୋଟି ଲୋକଙ୍କ ସହଯୋଗ ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.