ହେବାକୁ ଚାହୁଁଥିଲେ କ୍ରିକେଟର, ବନିଗଲେ ଦେଶର ଧନୀ ବ୍ୟାଙ୍କର: ଏବେ ପଡିଛି RBI ନାଲିଆଖି

Published By : Prameya-News7 Bureau | April 27, 2024 IST

ମୁ୍ମ୍ୱାଇ ୨୭/୦୪: ବିବାଦରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ । ଦୁର୍ନୀତି ପରେ ପଡିଛି RBIର ଆଖି । ଯୋଡି ପାରିବନି ନୂଆ ଗ୍ରାହକ । ଲାଗୁ କରିପାରିବନି ନୂଆ କ୍ରେଡିଟ୍ କାର୍ଡ । ଭାରତର ସବୁ ବଡ ବ୍ୟାଙ୍କ ଲିଷ୍ଟରେ ଆସେ ଏହାର ନାଁ । ଆଉ ଏହାକୁ ଆରମ୍ଭ କରିଥିବା ବ୍ୟକ୍ତି ବି ଜଣାଶୁଣା ବ୍ୟାଙ୍କର । ନା ତାଙ୍କର ଉଦୟ କୋଟାକ୍ । ହେଲେ ଜାଣିଛନ୍ତି ବ୍ୟାଙ୍କର ହେବା ପୂର୍ବରୁ କଣ ଥିଲା ତାଙ୍କର ଇଚ୍ଛା । ଗୋଟିଏ ଦୁର୍ଘଟଣା ବଦଳାଇଦେଇଥିଲା ଜୀବନ । ଆସନ୍ତୁ ଜାଣିବା ପୂରା ଘଟଣା ।  

ଦେଶର ଧନୀ ବ୍ୟାଙ୍କର୍ ଉଦୟ କୋଟାକ୍ । ବ୍ୟାଙ୍କର୍ ହେବା ପୂର୍ବରୁ ସ୍ୱପ୍ନ ଥିଲା ଅଲଗା ।  ଇଚ୍ଛା ଥିଲେ କ୍ରିକେଟର ହେବେ, ପଡ଼ିଆରେ ମାରିବେ ଚଉକା, ଛକା । ମାର୍ଚ୍ଚ ୧୫, ୧୯୫୯ ରେ ଗୁଜୁରାଟୀ ବ୍ୟବସାୟ ପରିବାରରେ ଉଦୟଙ୍କ ଜନ୍ମ । ପିଲାଦିନେ ଭଲ କ୍ରିକେଟ ବି ଖେଳୁଥିଲେ । କ୍ୟାରିୟର କରିବାକୁ ୧୯୭୦ ଦଶକରେ ଭେଟେରାନ୍ କ୍ରିକେଟ୍ କୋଚ୍ ରମାକାନ୍ତ ଆର୍ଚେରକରଙ୍କ ଠାରୁ ନେଇଥିଲେ ପ୍ରଶିକ୍ଷଣ । ଯାହାଙ୍କ ଶିଷ୍ୟ ଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । 


କିନ୍ତୁ, ୨୦ ବର୍ଷ ବୟସରେ ଘଟିଥିଲା ଏମିତି କିଛି, ବଦଳାଇଦେଇଥିଲା ଜୀବନ ମୋଡ । କ୍ରିକେଟର ହେବାର ଭାଙ୍ଗିଯାଇଥିଲା ସ୍ୱପ୍ନ । ଦିନେ ଉଦୟ ଖେଳୁଥିବାବେଳେ, ମୁଣ୍ଡରେ ବାଜିଥିଲା ବଲ୍ । ସଂଗେ ସଂଗେ ଚେତାଶୂନ୍ୟ ହୋଇ ପଡିଥିଲେ ସେ । ଡାକ୍ତର କହିଥିଲେ, ଆଘାତ ଗୁରୁତର, ତୁରନ୍ତ ଅପରେସନ୍ କରିବାକୁ ପଡିବ। 

ଆଘାତ ହେତୁ ସବୁଦିନ କ୍ରିକେଟକୁ ବାଏ ବାଏ କରିଥିଲେ ଉଦୟ । ପରେ ପରିବାର ଲୋକେ ବାଧ୍ୟ କରିଥିଲେ ବ୍ୟବସାୟରେ ସାମିଲ ହେବାକୁ । ହେଲେ ଉଦୟ କୋଟାଙ୍କର ପ୍ରିୟ ବିଷୟ ଥିଲା ଗଣିତ । ଆଉ ଗଣିତ ସାହାଯ୍ୟରେ ବ୍ୟାଙ୍କିଂ କ୍ଷେତ୍ରରେ ପ୍ରବେଶ କରିଥିଲେ ଉଦୟ । ମାତ୍ର ୨୬ ବର୍ଷ ବୟସରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ମୂଳଦୁଆ ପକାଇଲେ ଉଦୟ। 

ସ୍ନାତକୋତ୍ତର ପରେ ସେ 'କୋଟାକ୍ କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଫାଇନାନ୍ସ ଲିମିଟେଡ୍'ରୁ ବିଲ୍ ରିହାତି ସେବା ଆରମ୍ଭ କରିଥିଲେ । ପରେ ମହିନ୍ଦ୍ରା ଗ୍ରୁପ୍ ସହିତ ହାତ ମିଳାଇବା ପରେ ସେ ହୋଇଗଲା କୋଟାକ୍ ମହିନ୍ଦ୍ରା ଫାଇନାନ୍ସ ଲିମିଟେଡ୍ ।୧୯୮୫ରେ ଆରମ୍ଭ ହୋଇଥିଲା ଏହି ବ୍ୟାଙ୍କ । 

ଏହି ବ୍ୟାଙ୍କକୁ ଗ୍ରାଉଣ୍ଡରୁ ଉଠାଇବାକୁ ଲାଗିଥିଲା ୩୮ ବର୍ଷ । ପରେ ସେପ୍ଟେମ୍ୱର ୧, ୨୦୨୩ରେ ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ ଉଦୟ । ବର୍ତ୍ତମାନ ସେ ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବ୍ୟାଙ୍କ ସହିତ ଜଡିତ । ତାଙ୍କ ବୁଝାମଣା ଏବଂ ଦକ୍ଷତା ଆଧାରରେ କୋଟାକ୍ ସମସ୍ତ ବାଧା ବିଗ୍ନ ପାର କରି ଶୀର୍ଷରେ ପହଞ୍ଚିଥିଲା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ । ହେଲ ଏବେ ଛନ୍ଦି ହୋଇଯାଇଛି ବିବାଦ ଘେରକୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.